ଜଗତସିଂହପୁର ୨୩।୩: ମୃତ୍ୟୁ ଏମିତି ବି ଆସେ । କଲେଜ ଯାଇ ଘରକୁ ଫେରିଲେନି ଛାତ୍ରୀ । କିଏ ଜାଣିଥିଲା ଘରକୁ ଫେରିବା ରାସ୍ତାରେ ଛକି ବସିଥିବ ଯମ । ଆଉ କଲେଜ ଯାଇ ଘରକୁ ଫେରିପାରିବେନି ଛାତ୍ରୀ । ଏମିତି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି ଜଗତସିଂହପୁର ସାନ ବଜାର ଜଇପୁର ରୋଡ୍ ଛକ ନିକଟରେ । ଯେଉଁଠି ଚାଲିଯାଇଛି ଗୋଟିଏ ନୀରିହ ଜୀବନ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା ।

ଜଗତସିଂହପୁର ସାନ ବଜାର ଜଇପୁର ରୋଡ଼ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାଲିଯାଇଛି ଜଣେ କଲେଜ ପଢ଼ୁଆ ଛାତ୍ରୀଙ୍କ ଜୀବନ । ଛାତ୍ରୀ ଜଣଙ୍କ ସାଇକେଲ ଯୋଗେ କଲେଜ ଯାଇଥିଲେ । ଆଉ କ୍ଲାସ୍ ସରିବା ପରେ ସାଇକେଲରେ ଘରକୁ ଫେରୁଥିଲେ । ସେହି ସମୟରେ ଘଟିଲା ଦୁର୍ଘଟଣା । ସାଇକେଲକୁ ପିଟିଲା ଦ୍ରୁତଗତିରେ ଆସୁଥିବା କାର୍ । ଫଳରେ ଦୁର୍ଘଟଣାରେ ସାଇକେଲ ଆରୋହୀ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ତୃପ୍ତିମୟୀ ସାହୁ । ସେ ଗାଦିବ୍ରହ୍ମ ମହିଳା କଲେଜରେ ଯୁକ୍ତ ୩ର ଛାତ୍ରୀ ଥିଲେ । 

Also Read:- ସହର ସାରା ମାଟିତଳେ ଐତିହ୍ୟ କୀର୍ତ୍ତିରାଜି ଭର୍ତ୍ତି, ଶ୍ରୀମନ୍ଦିର ଠାରୁ ସମୁଦ୍ର ପର୍ଯ୍ୟନ୍ତ ରହିଛି ସୁଡ଼ଙ୍ଗ

ତେବେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଉତ୍ତ୍ୟକ୍ତ ଲୋକ ଜଗତସିଂହପୁର-ଜଇପୁର ରାସ୍ତା ଅବରୋଧ କରିଛନ୍ତି । ଦୁର୍ଘଟଣା ଘଟାଇଥିବା କାର୍ ଚାଳକ ଲୁଚିଥିବା ବେଳେ ତାଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି । ଦୁର୍ଘଟଣାଗ୍ରସ୍ତ କାର୍‌କୁ ମଧ୍ୟ ଜବତ କରିଛି ପୋଲିସ । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।