ହାଇଦ୍ରାବାଦ: କଂଗ୍ରେସ ନେତା ରାହୁଲ ଗାନ୍ଧି ହାଇଦ୍ରାବାଦରେ ଶନିବାର ‘ଭାରତ ସମିଟ’କୁ ସମ୍ବୋଧିତ କରି ୨୦୨୪ ଲୋକସଭା ନିର୍ବାଚନର ବୈଧତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥିରେ ରାହୁଲ ଗାନ୍ଧି ନିର୍ବାଚନ ଆୟୋଗଙ୍କ ଉପରେ ଆରୋପ ଲଗାଇଛନ୍ତି ଓ କହିଛନ୍ତି ଯେ ଆୟୋଗ ୧୪୦ ନିୟୁତ (୧୪କୋଟି) ଭୋଟରଙ୍କୁ ଅସ୍ତିତ୍ୱହୀନ ଅଥବା ଅଣଭୋଟର କହିଛନ୍ତି। ଏଥିରେ ଯଦି ଏତେ ସଂଖ୍ୟକ ଭୋଟରଙ୍କୁ ସେ ଅବୈଧ ଘୋଷଣା କରୁଛନ୍ତି ତେବେ ନିର୍ବାଚନ ବୈଧ କିପରି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

ଲୋକସଭାରେ ବିରୋଧୀ ଦଳ ନେତା କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ଯେଉଁମାନେ ଭୋଟ ଦେଇଥିଲେ, ସେମାନଙ୍କ ମଧ୍ୟରୁ ୧୪୦ ନିୟୁତ ଲୋକଙ୍କୁ କିଛିମାସ ପୂର୍ବରୁ ‘ଅସ୍ତିତ୍ୱହୀନ ଭୋଟର’ ବା ’ଅଣ ଭୋଟର’ ଘୋଷଣା କରାଯାଇଛି। ଯଦି ନିର୍ବାଚନ ଆୟୋଗ ୧୪ କୋଟି ଭୋଟର ଯେଉଁମାନେ ଭାରତର ମୋଟ ଭୋଟର ସଂଖ୍ୟାର ପାଖାପାଖି ୧୩% ଓ ସେମାନେ ୨୦୨୪ ଲୋକସଭା ନିର୍ବାଚନରେ ଭୋଟ ଦେଇଥିଲେ ସେମାନଙ୍କୁ ଅବୈଧ ଘୋଷଣା କରାଯିବା ଦ୍ୱାରା ଏହି ନିର୍ବାଚନ ବୈଧ କିପରି ହୋଇ ପାରିବ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

ରାହୁଲ ଗାନ୍ଧି ୨୦୨୪ ଲୋକସଭା ନିର୍ବାଚନ ଉପରେ ପ୍ରଶ୍ନବାଚୀ ଲଗାଇ କହିଛନ୍ତି ଯେ ‘୨୦୨୪ରେ ଆମେ ଏକ ସମ୍ପୂର୍ଣ୍ଣ ନୂଆ ନିର୍ବାଚନ ଦେଖିଛେ, ଏପରି କିଛି ଯାହାକୁ ଆମେ ପୂର୍ବରୁ କେବେ ଦେଖି ନଥିଲେ। ରାଜନୈତିକ ବ୍ୟବସ୍ଥାରେ କୋଟି କୋଟି ଟଙ୍କା ଲଗାଇ ଦିଆଯାଇଥିଲା’। ରାହୁଲ କହିଛନ୍ତି ଯେ ବିରୋଧୀ ପ୍ରଥମେ ଏହି ପରିବର୍ତ୍ତନକୁ ନେଇ ଆଶ୍ଚର୍ଯ୍ୟ ହୋଇଥିଲେ ଓ ଏହି ପରିବର୍ତ୍ତନକୁ ବୁଝିବାକୁ ପାଖାପାଖି ୧୦ ବର୍ଷ ଲାଗି ଯାଇଥିଲା। ରାହୁଲ କହିଛନ୍ତି ଯେ ଏହି ପରିବର୍ତ୍ତନ ସେହି ନିର୍ବାଚନ ବ୍ୟବସ୍ଥାକୁ ବଦଳାଇ ଦେଇଥିଲା ଯେଉଁଥିରେ ପୂର୍ବରୁ କଡ଼ ପ୍ରତିଦ୍ୱନ୍ଦ୍ୱୀତା ଓ ମେଣ୍ଟ ସରକାରଙ୍କ ସମୟ ହେଉଥିଲା। ରାହୁଲ ଗାନ୍ଧି କହିଛନ୍ତି ଯେ ଗୋଟିଏ ଦଶନ୍ଧୀରେ ବିଜେପିର ସମ୍ପତ୍ତି ୧୧ ଗୁଣା ବଢି ଯାଇଛି। ସେ ପାର୍ଟିର ଏହି ଆର୍ଥିକ ଅଭିବୃଦ୍ଧିକୁ ରାଜନୈତିକ ଓ ଆର୍ଥିକ କ୍ଷମତାର ଗୋଟିଏ ସ୍ଥାନ ସହ ଯୋଡି ହୋଇ ରହିଥିବାର କହିଛନ୍ତି।