ନୂଆଦିଲ୍ଲୀ ୦୨।୦୬; ତାମଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ନିର୍ବାଚନ ଜିତିବାଠୁ ନେଇ ଶପଥ ନେବା ପରେ ଚର୍ଚ୍ଚାରେ ରହି ଆସିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ସେ ନେଇଥିବା ପଦକ୍ଷେପକୁ ମଧ୍ୟ ବେଶ୍ ପ୍ରଶଂସା କରାଯାଉଛି । ମୁଖ୍ୟମନ୍ତ୍ରୀ ବିଜୟ ଆଉ ଗୋଟିଏ କଥା ପାଇଁ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ଲୁକ୍ ପାଇଁ । ମୁଖ୍ୟମନ୍ତ୍ରୀ ହେବା ପରଠୁ ସେ କଳା-ଧଳା ସୁଟ୍ରେ ନଜର ଆସୁଛନ୍ତି । ଏହି କଳାଧଳା ସୁଟ ପିନ୍ଧିବା ନେଇ ବିଜୟ ପ୍ରତିକ୍ରିୟା ଦେଇଛନ୍ତି । ସେ କାହିଁକି ଏହି କଳା କୋଟ୍ ସହ ଧଲା ସାର୍ଟ ପିନ୍ଧନ୍ତି ? ଏ ଲୁକ୍ ପଛରେ ରାଜ କଣ ରହିଛି କହିଛନ୍ତି ସିଏମ୍ ବିଜୟ । ଏହା ସ୍ୱଚ୍ଛ ଆଭିମୁଖ୍ୟର ପ୍ରତୀକ ବୋଲି କହିଛନ୍ତି ।

ବିଜୟଙ୍କ କଳା-ଧଳା ଫର୍ମୁଲା କଣ?

ତାମିଲନାଡୁରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ତାମିଲଗା ଭେଟ୍ରି କାଝଗମା (ଟିଭିକେ)ର ବିଶାଳ ବିଜୟ ପରେ ସି ଜୋସେଫ୍ ବିଜୟ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଇତି ମଧ୍ୟରେ ସେ ଏକ ଜନସଭାରେ ପାରମ୍ପରିକ ପୋଷାକ ବଦଳରେ କଳାଧଳା ସୁଟ୍ ପିନ୍ଧିବା ନେଇ ପ୍ରତିକ୍ରିୟା ରଖିଛନ୍ତି । ତିରୁଚିରାପଲ୍ଲୀର ସେଣ୍ଟ ଜୋସେଫ କଲେଜ ଗ୍ରାଉଣ୍ଡରେ ଆୟୋଜିତ ଧନ୍ୟବାଦ ରାଲିରେ ସେ କହିଛନ୍ତି, ତାଙ୍କର କଳାଧଳା ସୁଟ୍ ପରିଧାନ ନେଇ ବେଶ୍ ଆଲୋଚନା ଚାଲିଛି । ଆମେକୁ କୋଟ୍ ଏବଂ ସୁଟ୍ ପିନ୍ଧିବାକୁ ଅନୁମତି ମିଳିବା କାହିଁକି ଉଚିତ୍ ନୁହେଁ । ଏହା କଣ କ୍ଷମତାଶାଳୀ ଏବଂ ସମାଜରେ ଦବଦବା ଥିବା ଲୋକଙ୍କ ପାଇଁ ସଂରକ୍ଷିତ । କୌଣସି ଖାସ୍ ପୋଷାକ ଉପରେ କୌଣସି ବର୍ଗର ଏକଚାଟିଆ ଅଧିକାର ରହିପାରିବ ନାହିଁ । ସେହିପରି ସେ ଜାଣିଶୁଣି କଳା ଏବଂ ଧଳା ରଙ୍ଗର ପରିଧାନକୁ ବାଛିଛନ୍ତି ।

ଏହି ରଙ୍ଗ ସ୍ପଷ୍ଟ ବିଚାରଧାରା ଏବଂ ଭ୍ରମିତ ନ ହୋଇ ନିଷ୍ପତ୍ତ ନେବାର ବାର୍ତ୍ତା ଦେଇଥାଏ । ଏହି ସମୟରେ ବିଜୟ ନିଜକୁ ମୁଖ୍ୟମନ୍ତ୍ରୀ ନୁହନ୍ତି, ବରଂ ଜନତାଙ୍କ ସେବକ ବୋଲି ମଧ୍ୟ ଦର୍ଶାଇଥିଲେ । ସୂଚନାଥାଉକି, ରାଜ୍ୟ ବିଧାନସଭା ନିର୍ବାଚନରେ ବିଜୟ ତିରୁଚିରାପଲ୍ଲୀ ଇଷ୍ଟ ଏବଂ ଚେନ୍ନାଇର ପେରାମ୍ବୁର ଆସନରୁ ଜିତିଥିଲେ । ତେବେ ପରବର୍ତ୍ତୀ ସମୟରେ ସେ ସାମ୍ବିଧାନିକ ନିୟମ କାରଣରୁ ତିରୁଚିରାପଲ୍ଲୀ ଇଷ୍ଟ ଆସନରୁ ଇସ୍ତଫା ଦେଇଥିଲେ । ଏହାପରେ ତିରୁଚିରାପଲ୍ଲୀ ଇଷ୍ଟର ଭୋଟର ଏବଂ କାର୍ଯ୍ୟକର୍ତ୍ତାଙ୍କୁ ବିଶେଷ ଧନ୍ୟବାଦ ଜଣାଇବା ଲାଗି ଆଜିର ଜନସଭାର ଆୟୋଜନ କରାଯାଇଥିଲା । ସଭାସ୍ଥଳରେ ଭିଡକୁ ନିୟନ୍ତ୍ରଣ କରିବା ଲାଗି କଡା ବ୍ୟବସ୍ଥା ହୋଇଥିଲା । ମୈଦାନ ମଧ୍ୟକୁ କେବଳ ୫୦୦୦ ଲୋକଙ୍କୁ ପ୍ରବେଶ ଲାଗି ଅନୁମତି ମିଳିଥିଲା । ସଭାରେ ଯୋଗ ଦେଇଥିବା ଲୋକଙ୍କୁ ପୂର୍ବରୁ କ୍ୟୁଆର କୋଡ୍ ଯୁକ୍ତ ବିଶେଷ ଏଣ୍ଟ୍ରି ପାସ୍ ଜାରି କରାଯାଇଥିଲା ।