ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଖରିଫ ୠତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଣ୍ଟନ ଉପରେ ସମୀକ୍ଷା କରି ସାରର ଲାଷ୍ଟ ମାଇଲ ଡେଲିଭରୀ ଉପରେ ଗୁରୁତ୍ବ ଆରୋପ କରିଛନ୍ତି। ପ୍ରତ୍ୟେକ ଚାଷୀ, କ୍ଷୁଦ୍ର ହୁଅନ୍ତୁ ବା ନାମମାତ୍ର, ସମସ୍ତେ ଯେପରି ଆବଶ୍ୟକତା ଅନୁଯାୟୀ ସାର ପାଇବେ, ତାକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ପଶ୍ଚିମ ଏସିଆରେ ଲାଗି ରହିଥିବା ଯୁଦ୍ଧ ଜନିତ ପରିସ୍ଥିତି ଯୋଗୁ ସାର ପ୍ରସ୍ତୁତି ବାଧାପ୍ରାପ୍ତ ହୋଇଛି। ତେଣୁ, ଖରିଫ ୠତୁରେ ଯେପରି ଚାଷୀ ଉଚିତ୍ ମୂଲ୍ୟରେ ଆବଶ୍ୟକତା ଅନୁଯାୟୀ ସାର ପାଇବେ, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନ୍ଫରେନ୍ସିଙ୍ଗ ଜରିଆରେ ଆଲୋଚନା କରି ନିର୍ଦ୍ଦେଶ ଦେଇଛନ୍ତି।

ଏପ୍ରିଲ ୧୫ ସୁଦ୍ଧା ଉପଲବ୍ଧ ଅଛି ସାଢ଼େ ୩ ଲକ୍ଷ ଟନ୍‌ରୁ ଅଧିକ ସାର 

ଏହି ଅବସରରେ କୃଷି ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାରର ଉପଲବ୍ଧତା ସମ୍ପର୍କରେ ଉପସ୍ଥାପନା ରଖି କହିଥିଲେ ଚଳିତ ବର୍ଷ କେନ୍ଦ୍ର ସରକାର ବିଭିନ୍ନ ସାର ପାଇଁ ୧୧,୪୨,୯୫୦ ମେଟ୍ରିକ ଟନର ସାର ଯୋଗାଇଦେବେ। ଏପ୍ରିଲ ମାସ ପାଇଁ ୭୯,୬୩୦ ମେଟ୍ରିକ ଟନ ସାର ଆବଶ୍ୟକ ଥିବାବେଳେ, ଏପ୍ରିଲ ୧୫ ସୁଦ୍ଧା ୩,୬୧,୪୯୦ ମେଟ୍ରିକ ଟନ ସାର ଉପଲବ୍ଧ ଅଛି। ରାଜ୍ୟରେ ସାର ହୋଲସେଲର ବିକ୍ରେତାମାନଙ୍କ ସଂଖ୍ୟା ୧୦୨୯ ଥିବାବେଳେ ଖୁଚୁରା ବିକ୍ରେତାଙ୍କ ସଂଖ୍ୟା ୧୨,୦୯୩ ଅଛି। ବିଭିନ୍ନ ସାର ଯୋଗାଣ କମ୍ପାନୀଙ୍କ ପକ୍ଷରୁ ସାର ଯୋଗାଣ ମଧ୍ୟ ଠିକ୍ ରହିଛି।

Also Read: ଯୁବବର୍ଗଙ୍କ ଆର୍ଥିକ ସଚେତନତା ଓ ଦାୟିତ୍ୱବୋଧତା ହିଁ ସମୃଦ୍ଧ ଓଡ଼ିଶା ଗଠନର ମୂଳଦୁଆ ପକାଇବ : ମୁଖ୍ୟମନ୍ତ୍ରୀ

ବାତିଲ ହୋଇଛି ୬ ଡିଲର ପଏଣ୍ଟର ଲାଇସେନ୍ସ

ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଡିଲର ପଏଣ୍ଟ ଯାଞ୍ଚ କରାଯାଇ ୬ଟି ଲାଇସେନ୍ସ ବାତିଲ୍ କରାଯାଇଛି। ବୈଠକରେ ସୂଚନା ଦିଆଯାଇଥିଲା ଯେ, କେନ୍ଦ୍ର ସରକାରଙ୍କ ସାର ବିଭାଗ ପକ୍ଷରୁ ଏକ ଇଣ୍ଟିଗ୍ରେଟେଡ୍ ଫର୍ଟିଲାଇଜର ମ୍ୟାନେଜମେଣ୍ଟ ସିଷ୍ଟମ (IFMS) ଆରମ୍ଭ କରାଯାଇଛି। ଏଥିରେ ପ୍ରତ୍ୟେକ ଜିଲ୍ଲାର ଦୈନିକ ସାର ଉପଲବ୍ଧତା ଓ ଆବଣ୍ଟନ ସମ୍ପର୍କରେ ସୂଚନା ପ୍ରଦାନ କରାଯାଉଛି।

ଲାଷ୍ଟ ମାଇଲ ଡେଲିଭରୀକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

ଜିଲ୍ଲାପାଳମାନଙ୍କ ସହିତ ସାର ଯୋଗାଣ ପରିସ୍ଥିତି ସମ୍ପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ବର୍ତ୍ତମାନ ୧.୭୭ ଲକ୍ଷ ମେଟ୍ରିକ ଟନ ୟୁରିଆ ଓ ୬୦ ହଜାର ମେଟ୍ରିକ ଟନରୁ ଅଧିକ DAP ସାର ମହଜୁଦ ଅଛି। ତେବେ ପରିସଂଖ୍ୟାନରେ ସୀମିତ ନରହି ଲାଷ୍ଟ ମାଇଲ ଡେଲିଭରୀ ଉପରେ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, ଛୋଟ ଚାଷୀ ହେଉ ବା ନାମମାତ୍ର, ବର୍ତ୍ତମାନ ସମୟରେ ପ୍ରତ୍ୟେକ ଚାଷୀ ଯେପରି ଆବଶ୍ୟକତା ଅନୁରୂପ ସାର ପାଇବ ତାହାକୁ ଜିଲ୍ଲାପାଳ ମାନେ ସୁନିଶ୍ଚିତ କରନ୍ତୁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ୬ଟି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।

Also Read: ଓଡ଼ିଶା ଓ ଓଡ଼ିଆ ଜାତିଙ୍କୁ ଭଲ ପାଉଥିବା ଶ୍ରେଷ୍ଠ ରାଜନେତା ହେଉଛନ୍ତି ବିଜୁ ବାବୁ: ମୋହନ ମାଝୀ

ମୁଖ୍ୟମନ୍ତ୍ରୀଙ୍କ ୬ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ

୧- କଳାବଜାରୀ ଓ ସାର ମହଜୁଦକାରୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପାଇକାରୀ ଓ ଖୁଚୁରା ବିକ୍ରେତାଙ୍କ ଗୋଦାମକୁ ସମୟ ସମୟରେ ଯାଞ୍ଚ କରାଯାଉ। ଜିଲ୍ଲାପାଳମାନେ ହଠାତ ପରିଦର୍ଶନରେ ଯାଇ ଯାଞ୍ଚ କରନ୍ତୁ। ବେନିୟମ ସାର ମହଜୁଦକାରୀଙ୍କ ବିରୋଧରେ FIR କରି ସେମାନଙ୍କ ଲାଇସେନ୍ସ ବାତିଲ କରାଯାଉ ବୋଲି ସେ କହିଥିଲେ।

୨- ସାର ଯୋଗାଣର ଏହି ପରିସ୍ଥିତି ସମୟରେ ଯେପରି ପଡୋଶୀ ରାଜ୍ୟକୁ ସାର ଚୋରାଚାଲଣ ନହୁଏ ସେଥିପାଇଁ ପୋଲିସ ଓ କୃଷି ବିଭାଗ ମିଳିତ ଭାବେ ସୀମାନ୍ତ ଅଞ୍ଚଳର ଚେକପୋଷ୍ଟ ଗୁଡିକ ଉପରେ ନଜର ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, Fertiliser Movement Control Order ଅନୁଯାୟୀ ପ୍ରତ୍ୟେକ ସନ୍ଦେହ ଜନକ ଗାଡିର ଯାଞ୍ଚ ହେବା ଜରୁରୀ।

୩- ବେଳେବେଳେ ଶିଳ୍ପ କ୍ଷେତ୍ରରେ ରେଜିନ୍, ପ୍ଲାଇଉଡ କିମ୍ବା ପଶୁଖାଦ୍ୟ ଶିଳ୍ପକୁ ଚାଷପାଇଁ ଉଦ୍ଦିଷ୍ଟ ସବସିଡ୍ଯୁକ୍ତ ୟୁରିଆ ଚୋରାଚାଲଣ ହେବାର ଆଶଙ୍କା ଥାଏ। ତେଣୁ, ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଗୁଡିକ ଏହାର ଯାଞ୍ଚ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

୪- ପଞ୍ଚାୟତ ସ୍ତରରେ ସାରର ଉପଲବ୍ଧତା ଏବଂ ଯୋଗାଣ ବ୍ୟବସ୍ଥାକୁ ସୁନିୟନ୍ତ୍ରୀତ କରିବା କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ନିରୀକ୍ଷଣ ସମିତି (ନିଗ୍ରାନୀ ସମିତି) ଗଠନ କରାଯାଉଛି। ସୂଚନାଯୋଗ୍ୟ, ରାଜ୍ୟରେ ୬୭୯୪ଟି ଗ୍ରାମପଞ୍ଚାୟତ ଥିବା ବେଳେ, ତନ୍ମଧ୍ୟରୁ ୬୨୨୯ଟି ପଞ୍ଚାୟତରେ ଏହା ଗଠନ କରାଯାଇଛି। ବାକି ୫୬୫ଟି ପଞ୍ଚାୟତରେ ବାକି ଅଛି। ଏହାକୁ ଦୁଇ-ତିନ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

୫- ଚାଷୀମାନେ ଯେପରି ସରକାରଙ୍କ ସମସ୍ତ ଯୋଜନାର ସୁଫଳ ଠିକ୍ ଭାବେ ପାଇପାରିବେ ସେଥିପାଇଁ ଚାଷୀମାନଙ୍କର ଡିଜିଟାଲ ପଞ୍ଜୀକରଣ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୪୪ ଲକ୍ଷ ଚାଷୀଙ୍କ ମଧ୍ୟରୁ ୧୫ ଲକ୍ଷ ଚାଷୀଙ୍କର Digital Farmer ID କରାଯାଇଛି। ଏହାକୁ ମିଶନ ମୋଡରେ କାର୍ଯ୍ୟକାରୀ କରି ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଚାଷୀ ସମସ୍ତ ପ୍ରକାର ସରକାରୀ ସୁବିଧା ଓ ସହାୟତା ଠିକ୍ ଭାବେ ପାଇବା ସହିତ ସାର ବଣ୍ଟନରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଆସିପାରିବ।

୬- ଚାଷୀମାନଙ୍କୁ ୟୁରିଆ ପରି ଅଧିକ କେମିକାଲ ସାର ବ୍ୟବହାର ନକରି ସନ୍ତୁଳିତ ସାର ପ୍ରୟୋଗ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଜୈବିକ ସାର, ନାନୋ ୟୁରିଆ ପ୍ରଭୃତି ବିକଳ୍ପ ସାର ବ୍ୟବହାର କରିବା ପାଇଁ ଚାଷୀ ମାନଙ୍କୁ ସଚେତନ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।

ବୈଠକରେ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, କେନ୍ଦ୍ର ସରକାର ରାଜ୍ୟ ସରକାର ମାନଙ୍କୁ ମଝିରେ ମଝିରେ ସାର ସମ୍ପର୍କରେ ପରାମର୍ଶ (Advisory) ଦେଉଛନ୍ତି। କୃଷି ବିଭାଗ ଅଧିକାରୀମାନେ ଏହାକୁ ଅନୁସରଣ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଧ୍ୟ ଆଲୋଚନାରେ ଅଂଶ ଗ୍ରହଣ କରି ଅଧିକାରୀମାନଙ୍କୁ ସାର ବଣ୍ଟନ ବ୍ୟବସ୍ଥା ସୁନିୟନ୍ତ୍ରିତ କରିବା ପାଇଁ ପରାମର୍ଶ ଦେଇଥିଲେ। 

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ୍ ଏବଂ କୃଷି ଓ ସମବାୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।