ନୂଆଦିଲ୍ଲୀ: ମଣିପୁରର କୁକି ସଂପ୍ରଦାୟ ବହୁଳ ଚୁରାଚାନ୍ଦପୁର ଜିଲ୍ଲାରେ ଗୁରୁବାର ସନ୍ଧ୍ୟାରେ ଜୋରଦାର ବିରୋଧ ପ୍ରଦର୍ଶନ ହୋଇଛି । ବିଧାୟକ ନେମଚା କିପଗେନଙ୍କ ବିଜେପି ନେତୃତ୍ୱାଧୀନ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବରେ ଯୋଗଦାନ କରିବା ବିରୋଧରେ ପ୍ରତିବାଦ ହୋଇଛି । ଏହି ପ୍ରତିବାଦ ପରେ ସଂଘର୍ଷର ରୂପ ମଧ୍ୟ ନେଇଛି । ଅଧିକାରୀଙ୍କ ଅନୁଯାୟୀ, ପ୍ରତିବାଦକାରୀମାନେ ତୁଇବଙ୍ଗ ବଜାର ନିକଟରେ ଏକତ୍ରୀତ ହୋଇ ଟାୟାର ଜାଳି ପ୍ରତିବାଦ କରିଛନ୍ତି ।

ପ୍ରତିବାଦକାରୀ କିପଗେନଙ୍କ ବିରୁଦ୍ଧରେ ସ୍ଲୋଗାନ ମଧ୍ୟ ଦେଇଛନ୍ତି । ସୁରକ୍ଷା ବାହିନୀ ଭିଡ଼କୁ ଘଉଡ଼ାଇବାକୁ ଚେଷ୍ଟା କରିବା ପରେ ପରିସ୍ଥିତି ଆହୁରି ଖରାପ ହୋଇଛି । ନିୟୋଜିତ କର୍ମଚାରୀଙ୍କ ତୁଳନାରେ ସଂଖ୍ୟାରେ ଅଧିକ ଥିବା ପ୍ରଦର୍ଶନକାରୀମାନେ ପଥର ମାଡ଼ କରିଛନ୍ତି । ସୁରକ୍ଷା ବାହିନୀ ଲାଠିଚାର୍ଜ କରି ପ୍ରତିବାଦକୁ ଦମନ କରିବାକୁ ଚେଷ୍ଟା କରିଛି । ଖବର ସରବରାହ ସଂସ୍ଥା ପିଟିଆଇ ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ବାହିନୀ ଠାଯାଇଛି।’ କାଙ୍ଗପୋକପିର କିପଗେନ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ବୁଧବାର ସନ୍ଧ୍ୟାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଶୁକ୍ରବାର କୁକି-ବହୁଳ ଚୁରାଚାନ୍ଦପୁର ଜିଲ୍ଲାରେ ଅନେକ ଗୋଷ୍ଠୀ ‘ସମ୍ପୂର୍ଣ୍ଣ ବନ୍ଦ’ ଡାକରା ଦେଇଥିଲେ।

ମୈତେଇ-କୁକି ବିବାଦ ଦ୍ୱାରା ପ୍ରଭାବିତ ମଣିପୁରରେ ଏନଡିଏ ସରକାରର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ବୁଧବାର ଦିନ ବିଜେପିର ୟୁମନାମ୍ ଖେମଚାନ୍ଦ ସିଂହ ଶପଥ ଗ୍ରହଣ କରିଥିଲେ। ତାଙ୍କ ସହିତ କୁକି ବିଧାୟକ ନେମଚା କିପଗେନ୍ ଏବଂ ନାଗା ବିଧାୟକ ଲୋସି ଦିଖୋ ଉପମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ ଶପଥ ଗ୍ରହଣ କରିଥିଲେ। ମଣିପୁରରେ ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସା ୨୦୨୩ ମସିହା ମେ ମାସରେ ଘଟିଥିଲା। ଅଶାନ୍ତି ଜାରି ରହିବା ପରେ, ଗତ ବର୍ଷ ଫେବୃଆରୀରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା।