ମାଳ ଜପିବାର ମହତ୍ତ୍ୱ: କଳିଯୁଗରେ ଭଗବାନଙ୍କ ସହ ଯୋଡ଼ିହେବା ପାଇଁ ମାଳ ଜପକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା ଯାଏ । ରୁଦ୍ରାକ୍ଷ, ତୁଳସୀ, ସ୍ଫଟିକ ଭଳି ବିଭିନ୍ନ ପ୍ରକାରର ମାଳି ସାହାଯ୍ୟରେ ଜପ କରାଯାଇଥାଏ । ପ୍ରକୃତରେ, ଜପ କେବଳ ମନ୍ତ୍ରର ଉଚ୍ଚାରଣ ନୁହେଁ, ବରଂ ଏହା ଭଗବାନଙ୍କ ସହ ଭାବନାତ୍ମକ ଭାବେ ଯୋଡ଼ିହେବାର ଏକ ମାଧ୍ୟମ ଅଟେ ।

ଭଗବାନ ଶ୍ରୀକୃଷ୍ଣ ଭଗବଦ୍ ଗୀତାରେ କହିଛନ୍ତି, "ପତ୍ରଂ ପୁଷ୍ପଂ ଫଳଂ ତୋୟଂ ୟୋ ମେ ଭକ୍ତ୍ୟା ପ୍ରୟଚ୍ଛତି, ତଦହଂ ଭକ୍ତ୍ୟୁପହୃତମଶ୍ନାମି ପ୍ରୟତାତ୍ମନଃ" । ଅର୍ଥାତ୍, ଯିଏ ମତେ ଭକ୍ତିର ସହ ପତ୍ର, ଫୁଲ, ଫଳ କିମ୍ବା ଜଳ ଅର୍ପଣ କରେ, ମୁଁ ସେହି ଶୁଦ୍ଧ ମନର ଭକ୍ତଙ୍କ ଉପହାରକୁ ଆନନ୍ଦର ସହ ଗ୍ରହଣ କରିଥାଏ । ଠିକ୍ ସେହିପରି, ଜପକୁ ମଧ୍ୟ ପ୍ରେମ ଏବଂ ଭକ୍ତିର ପ୍ରତୀକ ବୋଲି ଧରାଯାଏ ।

ତ୍ରେତୟା ଏବଂ ଦ୍ୱାପର ଯୁଗରେ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ନିରନ୍ତର ଭକ୍ତି, ତପସ୍ୟା ଏବଂ ଯଜ୍ଞ କରାଯାଉଥିଲା । କିନ୍ତୁ କଳିଯୁଗରେ ଜପକୁ ସବୁଠାରୁ ଅଧିକ ମହତ୍ତ୍ୱ ଦିଆଯାଇଛି । କୁହାଯାଏ ଯେ ଯଦି ଭଗବାନଙ୍କ ନାମ ଏକାଗ୍ର ଚିତ୍ତରେ ଜପ କରାଯାଏ, ତେବେ ଦିବ୍ୟ ଅନୁଭୂତି ହୋଇଥାଏ । ଜପ କରିବା ସମୟରେ କିଛି ଲୋକ ମାଳା ବ୍ୟବହାର କରନ୍ତି, ଆଉ କିଛି ଲୋକ ମନେ ମନେ ଜପ କରନ୍ତି । ତେବେ କଳିଯୁଗରେ ଜପ କରିବା ପାଇଁ ମୁଖ୍ୟତଃ ୩ ପ୍ରକାରର ମାଳା ବ୍ୟବହାର କରାଯାଏ ।

୧. ରୁଦ୍ରାକ୍ଷ ମାଳ

ମାନ୍ୟତା ଅଛି ଯେ ରୁଦ୍ରାକ୍ଷ ମାଳରେ କରାଯାଉଥିବା ଜପ ଦ୍ୱାରା ଭଗବାନ ଶିବଙ୍କ ପ୍ରତ୍ୟକ୍ଷ କୃପା ମିଳିଥାଏ । ରୁଦ୍ରାକ୍ଷ ମାଳ ଧାରଣ କରିବା ଦ୍ୱାରା ଅକାଳ ମୃତ୍ୟୁ ଭୟରୁ ରକ୍ଷା ମିଳିଥାଏ । ଏହାସହ ଭୋଳାନାଥ ସମସ୍ତ ମନସ୍କାମନା ପୂରଣ କରନ୍ତି । ତେବେ ଏହା କେବଳ ମାଳା ଧାରଣ କରିବା ବା ଜପ କରିବା ମଧ୍ୟରେ ସୀମିତ ନୁହେଁ, ଏହା ମନୁଷ୍ୟର କର୍ମ ଶୁଦ୍ଧତା ଉପରେ ମଧ୍ୟ ନିର୍ଭର କରେ ।

୨. ସ୍ଫଟିକ ମାଳ

ସ୍ଫଟିକ ମାଳ ସ୍ୱତନ୍ତ୍ର ଶକ୍ତି ପ୍ରଦାନ କରିଥାଏ । ଏହାକୁ ଧାରଣ କରିବା ଦ୍ୱାରା ଅନ୍ୟ ବ୍ୟକ୍ତିଙ୍କ ମନର କଥା ବୁଝିବାର ଶକ୍ତି ମିଳିଥାଏ । ଆଧ୍ୟାତ୍ମିକ ଦୃଷ୍ଟିରୁ ବ୍ୟକ୍ତିଙ୍କ ମଧ୍ୟରେ କିଛି ସ୍ୱତନ୍ତ୍ର ସକାରାତ୍ମକ ଶକ୍ତିର ପ୍ରକାଶ ଘଟିଥାଏ ।

୩. ତୁଳସୀ ମାଳି

ଭଗବାନ ବିଷ୍ଣୁଙ୍କୁ ତୁଳସୀ ମାଳି ସବୁଠାରୁ ପ୍ରିୟ ଅଟେ । ଏହି ମାଳିକୁ ସବୁ ବର୍ଗର ଲୋକ ଧାରଣ କରିପାରିବେ । ତୁଳସୀ ମାଳି ବିଷ୍ଣୁଙ୍କ କୃପା ଆଣିଥାଏ ଏବଂ ଜୀବନ ଜୀଇଁବା ପାଇଁ ଆବଶ୍ୟକ ଶକ୍ତି ପ୍ରଦାନ କରେ । ପଦ୍ମ ପୁରାଣ ଅନୁସାରେ, ଅତିକମରେ ୧୦୮ ଦିନ ପର୍ଯ୍ୟନ୍ତ ତୁଳସୀ ମାଳି ବେକରେ ଧାରଣ କଲେ ଅଶ୍ୱମେଧ ଯଜ୍ଞର ଫଳ ପ୍ରାପ୍ତ ହୋଇଥାଏ ।