ପୁରୀ ୧୨।୮: ଆଜି ପବିତ୍ର ଚିତାଲାଗି ଅମାବାସ୍ୟା । ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ଆଜି ମହାପ୍ରଭୁଙ୍କୁ ଲାଗି ହେବ ବ୍ରହ୍ମଜ୍ୟୋତି ହୀରା ଚିତା । ପତିମହାପାତ୍ର ସେବାୟତ ସଂସ୍କାର କରିବା ପରେ ତିନି ବାଡର ବାଡ଼ଗ୍ରାହୀ ଓ ଅନ୍ୟାନ୍ୟ ଦଇତାପତି ସେବକ ମହାପ୍ରଭୁଙ୍କୁ ଏହି ଦିବ୍ୟ ଅଳଙ୍କାର ଲାଗି କରିବେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁଭ୍ର ହୀରା ଖଚିତ ରତ୍ନଚିତା, ପ୍ରଭୁ ଶ୍ରୀବଳଭଦ୍ରଙ୍କୁ ନୀଳା ଓ ଦେବୀ ସୁଭଦ୍ରାଙ୍କୁ ପାନା ହୀରା ଖଚିତ ରତ୍ନ ଚିତା ଲାଗି କରାଯିବ । ଚିତାଲାଗି ପରେ ମହାପ୍ରଭୁଙ୍କର ମହାସ୍ନାନ ନୀତି କରାଯିବ ।

ସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ଥିଲେ । ସେହି ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଏହି ଚିତା ଗୁଡିକୁ ଓଲାଗି କରି ଦିଆଯାଇଥିଲା । ରଥଯାତ୍ରା ଦିନ ମହାପ୍ରଭୁଙ୍କୁ ସୋଲ ଚିତା ଲାଗି କରାଯାଇଥିଲା । ଆଜି ସେହି ସୋଲ ଚିତାକୁ ଓଲାଗି କରାଯାଇ ଅସଲ ଚିତା ଲାଗି କରାଯିବ । ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତି ସରିବା ପରେ ଏହି ବିଶେଷ ନୀତି ଅନୁଷ୍ଠିତ ହେବ । ଶ୍ରୀଦେବୀ ଓ ଭୂଦେବୀ ରତ୍ନ ସିଂହାସନରୁ ଆସି ଖଟ ଶେଯରେ ବିଜେ କରିବେ ।

Also Read:- କ୍ଲାସ୍ରୁମ୍‌ରେ କୁମ୍ଭକର୍ଣ୍ଣ ନିଦ୍ରାରେ ଶିକ୍ଷକ, ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା ଜୋର

ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ଦିନ ୨ଟାରୁ ସନ୍ଧ୍ୟା ୭ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇ ଏହି ନୀତି ଅନୁଷ୍ଠିତ ହେବ ।