ନୂଆଦିଲ୍ଲୀ: ତିବ୍ବତ-ନେପାଳ ସୀମାନ୍ତରେ ଭୂସ୍ଖଳନ ଏବଂ ଫ୍ଲାସ୍ ଫ୍ଲଡ୍ (ଆକସ୍ମିକ ବନ୍ୟା) ସୃଷ୍ଟି ହେବା ପରେ ଏକ ବିପଜ୍ଜନକ ହ୍ରଦ ବନ୍ଧ (Barrier Lake) ଭାଙ୍ଗିବାର ଆଶଙ୍କା ଦେଖାଦେଇଛି। ଚୀନ୍ ପ୍ରଶାସନ ଅନୁଯାୟୀ, ଆଗାମୀ ୭୨ ଘଣ୍ଟା ମଧ୍ୟରେ ଏହି ହ୍ରଦ ବଡ଼ ଧରଣର ବିପଦ ସୃଷ୍ଟି କରିପାରେ । 

ଏହା ପୂର୍ବରୁ ତାଣ୍ଡବ ରଚିଥିବା ଆକସ୍ମିକ ବନ୍ୟାରେ ତିବ୍ବତରୁ ପ୍ରାୟ ୫୫୮ ଜଣ ନିଖୋଜ ଥିବା ବେଳେ ନେପାଳ ପାର୍ଶ୍ୱରୁ ପାଖାପାଖି ୧୦୦ ଜଣ ଚୀନ୍ ନାଗରିକ ନିଖୋଜ ଅଛନ୍ତି। ଗୋଙ୍ଗରୋଙ୍ଗ ନିକଟସ୍ଥ ଲହେନ୍ଦେ ନଦୀରେ ପାହାଡ଼ ଧସିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ନେପାଳର ତଳିଆ ଅଞ୍ଚଳରେ ଏହି ବନ୍ୟା ଯୋଗୁଁ  ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ସେହିଭଳି ୧୩୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି ।

ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀରେ ଆସିଥିବା ପ୍ରବଳ ଜଳସ୍ରୋତ ଯୋଗୁଁ ନେପାଳ ଏବଂ ତିବ୍ବତର ଅନେକ ଘରଦ୍ୱାର, ରାସ୍ତାଘାଟ ଓ ଜଳବିଦ୍ୟୁତ୍ ପ୍ରକଳ୍ପ ସମ୍ପୂର୍ଣ୍ଣ ଧୋଇଯାଇଛି। ଏହାରି ମଧ୍ୟରେ ଆଉ ଏକ ବନ୍ୟାର ଆଶଙ୍କା କରିଛି ଚୀନ । ଛୋଚେନ୍ ଖୋଲା ଏବଂ ପୁରେପୁ ସାଙ୍ଗପୋ ନଦୀର ସଙ୍ଗମସ୍ଥଳରେ ସୃଷ୍ଟି ହୋଇଥିବା ଏକ ହ୍ରଦରେ ବର୍ତ୍ତମାନ ୨୦ ଲକ୍ଷ କ୍ୟୁବିକ୍ ମିଟର ଜଳ ରହିଛି। ଆଗାମୀ ୩ ଦିନ ମଧ୍ୟରେ ଆହୁରି ୩୦ ଲକ୍ଷ କ୍ୟୁବିକ୍ ମିଟର ଜଳ ପ୍ରବେଶ କରିବା ସମ୍ଭାବନା ରହିଛି ।  ହ୍ରଦରୁ ଜଳ ପ୍ରବାହ ବୃଦ୍ଧି ପାଇବାକୁ ଲାଗିଛି, ପ୍ରାୟ ୭୨ ଘଣ୍ଟା ପରେ ଏହା ଆଉ ଏକ ପ୍ରଳୟ ସୃଷ୍ଟି କରିପାରେ । 

ଚୀନର ଜଳସମ୍ପଦ ମନ୍ତ୍ରଣାଳୟ ଘଟଣାସ୍ଥଳରେ ନଜର ରଖିଛି। ବେଜିଂ ଏବଂ ଚେଙ୍ଗଡୁରୁ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ପଠାଯାଇଛି। ଉପାନ୍ତ ଗାଁଗୁଡ଼ିକୁ ଖାଲି କରାଯାଇ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଗାଇରୋଙ୍ଗ ସହରରେ ସଂଯୋଗ ପୁନରୁଦ୍ଧାର ହୋଇଥିଲେ ସୁଦ୍ଧା ବନ୍ଦର ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ହିମାଳୟ ଅଞ୍ଚଳରେ ଗ୍ଲେସିୟର ଓ ବରଫ ଅସ୍ଥିର ହେବା ଯୋଗୁଁ ପ୍ରକୃତିର ଏହି ବିନାଶକାରୀ ରୂପ ବାରମ୍ବାର ଦେଖିବାକୁ ମିଳୁଛି।