ନୂଆଦିଲ୍ଲୀ ।୧୦: ସୁପ୍ରିମକୋର୍ଟ ଆଜି ପୂର୍ବତନ ଅଭିନେତ୍ରୀ ଅନୀତା ଆଡଭାନୀଙ୍କ ଏକ ଆବେଦନକୁ ଖାରଜ କରିଦେଇଛନ୍ତି। ସେଥିରେ ସେ ସ୍ବର୍ଗତ ଅଭିନେତା ରାଜେଶ ଖାନ୍ନାଙ୍କ ସହ ତାଙ୍କର ତଥାକଥିତ ସମ୍ପର୍କକୁ ବୈବାହିକ ମାନ୍ୟତା ଦେବାକୁ ଅନୁରୋଧ କରିଥିଲେ । ସର୍ବୋଚ୍ଚ ଅଦାଲତ ଏହି ମାମଲାକୁ ଲକ୍ଜୁରୀ ଲିଟିଗେସନ ବୋଲି ଉଲ୍ଲେଖ କରିବା ସହ ଏହାକୁ ଖାରଜ କରିଦେଇଥିଲେ। ବିଚାରପତି ଏମ.ଏମ ସୁନ୍ଦରେଶ ଓ ବିଚାରପତି ପ୍ରସନ୍ନା ବି. ଭରାଲେଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ ଯେ ଉକ୍ତ ପିଟିସନର ଶୁଣାଣି ଲାଗି କୌଣସି ଆଧାର ହିଁ ନାହିଁ । ଅନୀତାଙ୍କ ଓକିଲ ଦର୍ଶାଇଥିଲେ ଯେ ସେ ଉକ୍ତ ସମ୍ପର୍କକୁ ଆଇନଗତ ମାନ୍ୟତା ସହ ସମ୍ମାନର ସହିତ ବଞ୍ଚିବାକୁ ଚାହୁଁଛନ୍ତି । ତାଙ୍କ ଆବେଦନର ଉଦ୍ଦେଶ୍ୟ ସମ୍ମାନ ଓ ପରିଚୟ ପାଇବା। କିନ୍ତୁ ସର୍ବୋଚ୍ଚ ଅଦାଲତ ତାଙ୍କ ଯୁକ୍ତିକୁ ଗ୍ରହଣ କରିନଥିଲେ। ଅନୀତା ଦାବି କରିଥିଲେ ଯେ ସେ ଅନେକ ବର୍ଷ ଧରି ରାଜେଶ ଖାନ୍ନାଙ୍କ ସହ ଲିଭ-ଇନରେ ରହିଥିଲେ। ୨୦୧୨ରେ ତାଙ୍କୁ ରାଜେଶ ଖାନ୍ନାଙ୍କ ବଙ୍ଗଳା ‘ଆଶୀର୍ବାଦ’ରୁ ବାହାର କରିଦିଆଯାଇଥିଲା।

ଡିମ୍ପଲ କାପାଡିଆ, ଝିଅ ଟ୍ଵିଙ୍କଲ ଖାନ୍ନା ଓ ଜ୍ବାଇଁ ଅକ୍ଷୟ କୁମାରଙ୍କ ନାମ ଉଲ୍ଲେଖ କରିଥିଲେ। ରାଜେଶ ଖାନ୍ନାଙ୍କର ୨୦୧୨ରେ ମୃତ୍ୟୁ ଘଟିଥିଲା। ଏହା ପରେ ଅନୀତାଙ୍କୁ ରାଜେଶ ଖାନ୍ନାଙ୍କ ଘରୁ ବାହାର କରିଦିଆଯାଇଥିଲା । ସେ ଆଶ୍ବସ୍ତି ପାଇବା ଲାଗି ସେସନ୍ସ କୋର୍ଟରେ ସିଭିଲ୍ ପିଟିସନ ଫାଇଲ କରିଥିଲେ। ଏଥିସହ ରାଜେଶ ଖାନ୍ନାଙ୍କ ପରିବାର ସଦସ୍ୟଙ୍କ ନାମରେ ଘରୋଇ ହିଂସା ଅଭିଯୋଗ ମଧ୍ୟ ଆଣିଥିଲେ। ବାନ୍ଦ୍ରା ଅଞ୍ଚଳରେ ରହିବା ଲାଗି ଏକ ୩ ବେଡ୍ରୁମ ବିଶିଷ୍ଟ ଘର ଓ ମାସିକ ଭରଣପୋଷଣ ଦାବି କରିଥିଲେ। ହେଲେ ଏହାକୁ ରାଜେଶ ଖାନ୍ନାଙ୍କ ପରିବାର ସଦସ୍ୟ ବିରୋଧ କରିଥିଲେ। ସେମାନେ ଦର୍ଶାଇଥିଲେ ଯେ ଡିମ୍ପଲ କାପାଡିଆଙ୍କ ସହ ରାଜେଶ ଖାନ୍ନାଙ୍କ ବିବାହ ଆଇନଗତ ଭାବେ ବୈଧ ରହିଛି। ତେଣୁ ଅନୀତାଙ୍କୁ ପତ୍ନୀ ଭାବେ ଆଇନଗତ ଦୃଷ୍ଟିରୁ ଗ୍ରହଣ କରାଯାଇପାରିବ ନାହିଁ। ୨୦୧୭ରେ ମୁମ୍ବାଇର ଡିଣ୍ଡୋରି ସେସନ୍ସ କୋର୍ଟ ଏହାକୁ ଗ୍ରହଣ କରିବା ସହ ଅନୀତାଙ୍କ ପିଟିସନକୁ ଖାରଜ କରିଦେଇଥିଲେ।

ତେବେ ଡିଣ୍ଡୋରୀ ସେସନ୍ସ କୋର୍ଟ ଦେଇଥିବା ରାୟକୁ ଅନୀତା ମୁମ୍ବାଇ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ। କିନ୍ତୁ ହାଇକୋର୍ଟ ଗତ ଏପ୍ରିଲ ୧ରେ ମଧ୍ୟ ତାଙ୍କ ଆବେଦନକୁ ମଧ୍ୟ ଖାରଜ କରିଥିଲେ। ହାଇକୋର୍ଟ ଦର୍ଶାଇଥିଲେ ଯେ ରାଜେଶ ଖାନ୍ନାଙ୍କ ମୃତ୍ୟୁବେଳକୁ ଡିମ୍ପଲ କାପାଡିଆ ଆଇନଗତ ଭାବେ ତାଙ୍କ ପତ୍ନୀ ଥିଲେ। ହେଲେ ଉଭୟେ ବହୁବର୍ଷ ହେଲା ପୃଥକ ରହୁଥିଲେ, କିନ୍ତୁ ସେମାନଙ୍କ ଭିତରେ ବୈଧ ଛାଡପତ୍ର ହୋଇନଥିଲା । ତେଣୁ ଆଇନ ଡିମ୍ପଲ କାପାଡିଆଙ୍କୁ ରାଜେଶ ଖାନ୍ନାଙ୍କ ପତ୍ନୀ ଭାବେ ମାନ୍ୟତା ଦେବ। କିନ୍ତୁ ଅନୀତାଙ୍କର ବିବାହ ସଂକ୍ରାନ୍ତ କୌଣସି ବୈଧ ପ୍ରମାଣ ବା ଦସ୍ତାବିଜ ନଥିବାରୁ ସେ ରାଜେଶ ଖାମୁଙ୍କ ପତ୍ନୀ ବୋଲି ଦାବି କରିପାରିବେ ନାହିଁ। ହାଇକୋର୍ଟଙ୍କ ଏହି ରାୟକୁ ଅନୀତା ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ ।

ଅନୀତା ‘ଆଡେରୋବଲି ୱିକଡ୍ ୱେଜ ଅଫ୍ ରାଜେଶ ଖାନ୍ନା ନାମକ ଏକ ଲେଖିଥିଲେ। ସେଥିରେ ରାଜେଶ ଖାନ୍ନାଙ୍କ ସହ ସମ୍ପର୍କ ବିଷୟରେ ଉଲ୍ଲେଖ ଥିଲା। ଏକ ସାକ୍ଷାତକାରରେ ଅନୀତା କହିଥିଲେ ଯେ ସେମାନେ ଗୋପନରେ ବିବାହ କରିଥିଲେ । କିନ୍ତୁ ଫିଲ୍ମ ଜଗତ ସହ ଜଡିତ କୌଣସି ବ୍ୟକ୍ତି ଏ ବିଷୟରେ ଜାଣିନଥିଲେ । ସମସ୍ତେ ଜାଣିଥିଲେ ସେମାନେ ଦୁହେଁ ଭଲ ବନ୍ଧୁ । କିନ୍ତୁ ଏହି ବନ୍ଧୁତା ଭିତରେ ସମ୍ପର୍କ ଗଢ଼ି ଉଠିଥିଲା। ରାଜେଶ ଖାନ୍ନା ତାଙ୍କ ବାସଭବନକୁ ନେଇଥିଲେ। ସେଠାରେ ମଥାରେ ସିନ୍ଦୂର ଦେବା ସହ ତାଙ୍କ ନାଁର ମଙ୍ଗଳସୂତ୍ର ପିନ୍ଧାଇଥିଲେ। ଏପରିକି ରାଜେଶ ଖାନ୍ନା ୧୯୭୩ରେ ଡିମ୍ପଲଙ୍କୁ ବିବାହ କରିବା ପୂର୍ବରୁ ମଧ୍ୟ ସେ ତାଙ୍କୁ ଭଲ ଭାବେ ଜାଣିଥିଲେ ବୋଲି ଅନୀତା କହିଥିଲେ।