ନୂଆଦିଲ୍ଲୀ: ଚୀନ ଦ୍ରୁତ ଗତିରେ ନିଜର ପରମାଣୁ ଭଣ୍ଡାର ବୃଦ୍ଧି କରୁଛି । ଜାନୁଆରୀ ସୁଦ୍ଧା ଚୀନ ପାଖରେ ୬୨୦ଟି ପରମାଣୁ ୱାରହେଡ୍ (କ୍ଷେପଣାସ୍ତ୍ର, ରକେଟ୍, ଟାରପିଡୋ) ହୋଇଛି । ଜାନୁଆରୀ ୨୦୨୫ରେ ଏହି ସଂଖ୍ୟା ୬୦୦ ଥିଲା । ଅର୍ଥାତ୍ ଚୀନ୍ ଗୋଟିଏ ବର୍ଷରେ ୨୦ଟି ନୂଆ ୱାରହେଡ୍ ଯୋଡ଼ିଛି । ଏହି ହିସାବରେ ସେ ପ୍ରାୟ ପ୍ରତି ୧୮ ଦିନରେ ଏକ ନୂଆ ପରମାଣୁ ୱାରହେଡ୍ ନିଜ ଭଣ୍ଡାରରେ ସାମିଲ କରୁଛି । ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ୍ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (SIPRI)ର ନୂଆ ରିପୋର୍ଟରେ ଏହି ଚାଞ୍ଚଲ୍ୟକର ତଥ୍ୟ ଦିଆଯାଇଛି ।

ରିପୋର୍ଟ ଅନୁଯାୟୀ, ଚୀନ କେବଳ ୱାରହେଡ୍ ସଂଖ୍ୟା ବଢ଼ାଉ ନାହିଁ, ବରଂ ନିଜର ସମ୍ପୂର୍ଣ୍ଣ ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମକୁ ଆଧୁନିକ କରୁଛି । ସିପ୍ରି ଅନୁମାନ କରିଛି ଯେ ଆସନ୍ତା ୧୦ ବର୍ଷ ମଧ୍ୟରେ ଚୀନର ପରମାଣୁ ଭଣ୍ଡାର କ୍ରମାଗତ ଭାବେ ବଢ଼ିବ । ଚୀନ କହିଆସୁଛି ଯେ ସେ 'ନୋ ଫାଷ୍ଟ ୟୁଜ୍' ଅର୍ଥାତ୍ ପ୍ରଥମେ ପରମାଣୁ ଆକ୍ରମଣ ନ କରିବା ନୀତି ପାଳନ କରେ ଏବଂ କେବଳ ନିଜ ସୁରକ୍ଷା ପାଇଁ ଆବଶ୍ୟକ ସର୍ବନିମ୍ନ ପରମାଣୁ ଶକ୍ତି ରଖିଥାଏ ।

୨୦୨୬ ଜାନୁଆରୀ ସୁଦ୍ଧା ଚୀନ ପାଖରେ ୭୭୫ଟି ମିସାଇଲ୍ ସାଇଲୋ ଥିଲା । ଏଗୁଡ଼ିକ ଏମିତି ଆଡ୍ଡା ଯେଉଁଠାରୁ ଦୂରଗାମୀ ମିସାଇଲ୍ ଉତକ୍ଷେପଣ କରାଯାଇପାରିବ । ରିପୋର୍ଟରେ କୁହାଯାଇଛି ଯେ ଚୀନ ପାଖରେ ଏବେ ଇଣ୍ଟରକଣ୍ଟିନେଣ୍ଟାଲ୍ ବାଲିଷ୍ଟିକ୍ ମିସାଇଲ୍ ଲଞ୍ଚର ସଂଖ୍ୟା ରୁଷ ଏବଂ ଆମେରିକା ଠାରୁ ମଧ୍ୟ ଅଧିକ ହୋଇଯାଇଛି । ଅନୁମାନ କରାଯାଉଛି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ଚୀନର ଆଇସିବିଏମ୍ ଭଣ୍ଡାର ରୁଷ ଏବଂ ଆମେରିକା ସହ ସମାନ ହୋଇପାରେ ।

ସିପ୍ରି କହିଛି ଯେ ଚୀନର ଅଧିକାଂଶ ପରମାଣୁ ଅସ୍ତ୍ରକୁ ଏବେ ମଧ୍ୟ ମିସାଇଲ୍ ଠାରୁ ଅଲଗା କରି ରଖାଯାଏ । କିନ୍ତୁ ଏବେ ଚୀନ କିଛି ମୋବାଇଲ୍ ମିସାଇଲ୍ ୟୁନିଟ୍ରେ ଶାନ୍ତି ସମୟରେ ମଧ୍ୟ ୱାରହେଡ୍ ମୁତୟନ କରିବା ଆରମ୍ଭ କଲାଣି । ଜାନୁଆରୀ ୨୦୨୫ରେ ଚୀନ ପାଖରେ ପ୍ରାୟ ୨୪ଟି ମୁତୟନ ପରମାଣୁ ୱାରହେଡ୍ ଥିଲା, ଯାହା ଏବେ ବଢ଼ି ପ୍ରାୟ ୩୪ ହୋଇଯାଇଛି । ରିପୋର୍ଟରେ କୁହାଯାଇଛି ଯେ ଚୀନ ତାର ତିନୋଟି ନୂଆ ମିସାଇଲ୍ ସାଇଲୋ ଅଞ୍ଚଳରେ ରଖାଯାଇଥିବା ପ୍ରାୟ ୧୦୦ଟି ମିସାଇଲ୍ ମଧ୍ୟରୁ କିଛି ମିସାଇଲରେ ପରମାଣୁ ୱାରହେଡ୍ ଥାଇପାରେ । ଏହା ବ୍ୟତୀତ ଏକ ବୁଡ଼ାଜାହାଜରେ ମଧ୍ୟ ପରମାଣୁ ଅସ୍ତ୍ର ମୁତୟନ ହେବାର ସମ୍ଭାବନା ରହିଛି ।

ରିପୋର୍ଟ ଅନୁଯାୟୀ, ଯଦି ୨୦୩୦ ସୁଦ୍ଧା ଚୀନ ପାଖରେ ୧,୦୦୦ରୁ ଅଧିକ ପରମାଣୁ ୱାରହେଡ୍ ହୁଏ, ତଥାପି ଏହି ସଂଖ୍ୟା ରୁଷ ଏବଂ ଆମେରିକାର ବର୍ତ୍ତମାନର ଭଣ୍ଡାରର ପ୍ରାୟ ଏକ-ଚତୁର୍ଥାଂଶ ହିଁ ହେବ । ସିପ୍ରି ଏହା ମଧ୍ୟ କହିଛି ଯେ ବିଶ୍ୱର ସମସ୍ତ ୯ଟି ପରମାଣୁ ଅସ୍ତ୍ର ସମ୍ପନ୍ନ ଦେଶ — ଆମେରିକା, ରୁଷ, ଚୀନ, ବ୍ରିଟେନ, ଫ୍ରାନ୍ସ, ଭାରତ, ପାକିସ୍ତାନ, ଉତ୍ତର କୋରିଆ ଏବଂ ଇସ୍ରାଏଲ୍ ନିଜ ନିଜ ପରମାଣୁ ଅସ୍ତ୍ରକୁ କ୍ରମାଗତ ଭାବେ ଆଧୁନିକ କରୁଛନ୍ତି । ଜାନୁଆରୀ ୨୦୨୬ ସୁଦ୍ଧା ସାରା ବିଶ୍ୱରେ ମୋଟ ୧୨,୧୮୭ ପରମାଣୁ ୱାରହେଡ୍ ଉପଲବ୍ଧ ଥିଲା, ଯେଉଁଥିରୁ ୯,୭୪୫ଟି ସାମରିକ ବ୍ୟବହାର ପାଇଁ ରଖାଯାଇଥିଲା ।