ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାକାର ପ୍ରସିଦ୍ଧ ଆଇଟି କମ୍ପାନୀ କ୍ୟାପ ଜେମିନିର ଏଚଏଏଲ କ୍ୟାମ୍ପସରେ ଥିବା ଡେ କେୟାର ସେଣ୍ଟରରେ ଶିଶୁଙ୍କ ସହିତ ମାରପିଟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଆଧାରରେ ୫ ମହିଳା କେୟାର ଗିଭର୍ସଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି। ଏବେ ପୋଲିସ ପିଲାଙ୍କ ସହ ହୋଇଥିବା ଦୁର୍ବ୍ୟବହାରର ଯାଞ୍ଚ କରୁଛି।

ଏହି ଅଭିଯୋଗ ସେଣ୍ଟର ଭିତରେ ରେକର୍ଡ କରାଯାଇଥିବା ଭିଡିଓ ଆଧାରରେ କରାଯାଇଛି। ଅଭିଯୋଗକାରୀଙ୍କ ଅନୁସାରେ ଫୁଟେଜରେ ପିଲା କାନ୍ଦୁଥିବା ଓ କେୟାର ଗିଭର୍ସ ସେମାନଙ୍କୁ ମାରପିଟ କରୁଥିବା, ଡରାଉଥିବା ଧମକାଉଥିବା ଦେଖାଯାଉଛନ୍ତି। ପୋଲିସ କହିଛି ଯେ ଭିଡିଓରେ ନାନୀ ୨/୩ ବର୍ଷର ଶିଶୁଙ୍କୁ ଧମକାଉଥିବା ଦେଖା ଯାଉଛି। ଅଭିଯୋଗ ଅନୁସାରେ କେୟାର ଗିଭର୍ସ ପିଲାଙ୍କୁ ଫ୍ରଣ୍ଟ ଲୋଡିଂ ୱାସିଂମେସିନରେ ଭର୍ତ୍ତି କରୁଥିବା, ପିଲାଙ୍କୁ ଟୟେଲଟରେ ବସାଉଥିବା, ଟୟଲେଟ ଜେଟ୍ ସ୍ପ୍ରେରୁ ପିଲା ମୁହଁକୁ ପାଣି ମାଡ଼ କରିବା, ପିଲାଙ୍କୁ ବାଥରୁମରେ ବନ୍ଦ କରିଦେଉଥିବା ଓ ଚୁପ୍ ରହିବା ପାଇଁ ଧମକାଉଥିବା ଦେଖା ଯାଉଛି।

ପୋଲିସ କହିଛି ଯେ ପଚରା ଉଚରା ପାଇଁ ନାନୀଙ୍କୁ ଜଲଦି ଡକାଯିବ। ଏହି ଘଟଣା ଏକ ଚାଇଲ୍ଡ କେୟାର ସେଣ୍ଟରରେ ହୋଇଛି ଯେଉଁଠି ଆଇଟି କମ୍ପାନୀ କର୍ମଚାରୀ କାମ କରିବାକୁ ଯିବା ବେଳେ ସେମାନଙ୍କ ଶିଶୁଙ୍କୁ ଛାଡି ଯାଆନ୍ତି। ଏହି ମାମଲା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଏହାର ଭିଡିଓ ହ୍ୱାଟସ୍ଆପ ଓ ଏ ବାବଦେ ଚାଇଲ୍ଡ ହେଲପଲାଇନକୁ ସୂଚନା ଦିଆଗଲା। ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ କରିଛି। ଅଭିଯୋଗ ଆଧାରରେ ପୋଲିସ ଜୁଭେନାଇଲ ଜଷ୍ଟିସ୍ ଆକ୍ଟର ସମ୍ପର୍କିତ ଧାରାରେ ୫ ଜଣ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଛି।