ଦୁବାଇ: ଦୀପାବଳି ରାତିରେ ବୁର୍ଜ ଖଲିଫା ଏକ ଖାସ ଡିସପ୍ଲେ ସହିତ ସହରର ଆକାଶକୁ ଆଲୋକିତ କରିଛି। ଏଥିରେ ଇଂରାଜୀ ଓ ହିନ୍ଦୀ ଉଭୟ ଭାଷାରେ ଲୋକଙ୍କୁ ଦୀପାବଳିର ଶୁଭେଚ୍ଛା ଦିଆଯାଇଛି। ୮୨୮ ମିଟର ଉଚ୍ଚ ଏହି ପ୍ରସିଦ୍ଧ ଟାୱାରରୁ ଲୋକଙ୍କ ସୁଖ ଓ ସମୃଦ୍ଧି କାମନା କରି ଏକ ବାର୍ତ୍ତା ଦିଆଯାଇଛି, ଶେଷରେ ‘ହ୍ୟାପି ଦିୱାଲୀ’ ଲେଖା ହୋଇଛି। ବୁର୍ଜ ଖଲିଫାର ଅଧିକାରୀକ ଇଂଷ୍ଟାଗ୍ରାମ ପେଜରେ ଆଲୋକରେ ଝଲମଲ ହେଉଥିବା ଟାୱାରର ଭିଡିଓ ସେୟାର କରାଯାଇଛି।

ଏହି ଭିଡିଓ ଉପରେ ସୋସିଆଲ ମିଡିଆ ୟୁଜର୍ସଙ୍କ ପ୍ରତିକ୍ରିୟା ମଧ୍ୟ ଆସିବାରେ ଲାଗିଛି। ଯାହାର କ୍ୟାପସନରେ ଲେଖାଥିଲା ‘ଆଲୋକର ଏହି ଉତ୍ସବରେ ସମସ୍ତଙ୍କୁ ସୁଖ ଓ ସମୃଦ୍ଧିର ଶୁଭକାମନା’। ଏହି ଖାସ ଦୃଶ୍ୟ ଦୁବାଇରେ ବସବାସ କରୁଥିବା ଅଲଗା ଅଲଗା ସମୂଦାୟ ଯେଉଁମାନଙ୍କ ମଧ୍ୟରେ ପ୍ରବାସୀ ଭାରତୀୟ ମଧ୍ୟ ଅଛନ୍ତି ସେମାନଙ୍କ ଲାଗି ଏକ ଉତ୍ସବ ଭଳି ପରିବେଶ ସୃଷ୍ଟି ହୋଇଛି। ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟଦ ଅଲ ନାହୟାନ ୟୁଏଇ ସମେତ ସାରା ବିଶ୍ୱରେ ଦୀପାବଳି ପାଳନ କରୁଥିବା ସମସ୍ତଙ୍କୁ ନିଜ ଶୁଭ କାମନା ଜଣାଇଛନ୍ତି।

ରବିବାର ଏକ ଏକ୍ସ ପୋଷ୍ଟରେ ରାଷ୍ଟ୍ରପତି ଏହି ଶୁଭକାମନା ଜଣାଇଛନ୍ତି। ଏହି ପାର୍ବଣ ଓ ଆଗାମୀ ବର୍ଷ ଆପଣ ଓ ଆପଣଙ୍କ ପରିବାର ଲାଗି ସୁସ୍ଥସ୍ୱାସ୍ଥ୍ୟ ଓ ସମୃଦ୍ଧି ନେଇ ଆସୁ ବୋଲି ଶେଖ କାମନା କରିଛନ୍ତି। ଏହା ପୂର୍ବରୁ ଶନିବାର ମଧ୍ୟ ୟୁଏଇର ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ଦୁବାଇ ଶାସକ ଶେଖ ମହମ୍ମଦ ବିନ ରାସିଦ ଅଲ ମକତୁମ ଏକ୍ସ ପୋଷ୍ଟରେ ତାଙ୍କ ଶୁଭକାମନା ସେୟାର କରିଥିଲେ। ଏହି ଶୁଭ କାମନା ଏପରି ସମୟରେ ଆସିଛି ଯେତେବେଳେ ୟୁଏଇରେ ବସବାସ କରୁଥିବା ଭାରତୀୟ ସମୂଦାୟ ଦକ୍ଷିଣ ଏସିୟାର ଅନ୍ୟ ବାସିନ୍ଦା ଦୀପାବଳି ପର୍ବ ପାଳନ କରୁଛନ୍ତି।