ନୂଆଦିଲ୍ଲୀ:ଦୀର୍ଘ ୨୧ ଘଣ୍ଟା ଧରି ଇସଲାମାବାଦରେ ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ମାରାଥନ ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟରେ ତିକ୍ତତା ଆହୁରି ବଢ଼ିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ସାମୁଦ୍ରିକ ଅବରୋଧ ଘୋଷଣା କରିଛନ୍ତି। ସେ କହିଛନ୍ତି ଆମେରିକା ସେନା, ଇରାନ ବନ୍ଦରକୁ ଯାଆସ କରୁଥିବା ସବୁ ଜାହାଜକୁ ଅବରୋଧ କରିବ। ବିଶେଷ କରି ହର୍ମୁଜ ସାମୁଦ୍ରିକ ମାର୍ଗରେ ସେହି ଜାହାକୁ ଅଟକାଯିବ ଏବଂ ଯାଞ୍ଚ କରାଯିବ ଯେଉଁ ଜାହଜ ଗୁଡ଼ିକ ଇରାନକୁ ଶୁଳ୍କ ଦେଇଛନ୍ତି କିମ୍ବା ବନ୍ଦର ଆଡ଼କୁ ଯାଉଛନ୍ତି। ଅବଶ୍ୟ ଅଣ- ଇରାନ ବନ୍ଦରକୁ ଯାଉଥିବା ଜାହାଜକୁ ରାସ୍ତା ଦିଆଯିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି।

ଅନ୍ୟପଟେ ଇରାନର ସଶସ୍ତ୍ର ବଳ କଡ଼ା ଚେତାବନୀ ଦେଇ କହିଛି ଯେ, ଯଦି ଏହାର ବନ୍ଦରଗୁଡ଼ିକର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୁଏ, ତେବେ ଏହି ଅଞ୍ଚଳର କୌଣସି ବନ୍ଦର ସୁରକ୍ଷିତ ରହିବ ନାହିଁ। ଆମେରିକାର ଅବରୋଧକୁ "ସମୁଦ୍ର ଡକାୟତି" ବୋଲି କହି ଇରାନ କହିଛି ଯେ, ଏହି ରଣନୈତିକ ଜଳପଥ "ସମସ୍ତଙ୍କ ପାଇଁ ନହେଲେ କାହା ପାଇଁ ବି ସୁରକ୍ଷିତ ହେବ ନାହିଁ।"

Also read: ଶାନ୍ତି ଆଲୋଚନା ବିଫଳ ପରେ ବଢ଼ିଲା ଟେନସନ୍, ଇରାନ ବନ୍ଦରକୁ ସାମୁଦ୍ରିକ ପରିବହନ ବନ୍ଦ କରିବ ଆମେରିକା

ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟ ପ୍ରତିକ୍ରିୟା- ଆମେ ଫସିବୁ ନାହିଁ

ହେଲେ ଏହାରି ମଧ୍ୟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କିର ଷ୍ଟାରମର ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ଦେଶ ଇରାନ ବିରୁଦ୍ଧରେ ଆମେରିକା ନେତୃତ୍ବାଧୀନ କୌଣସି ନୌସେନା ଅବରୋଧରେ ଯୋଗ ଦେବ ନାହିଁ । ସେ ଜୋର ଦେଇ କହିଛନ୍ତି ଯେ, ବ୍ରିଟେନକୁ ଇରାନ ସହିତ ଯୁଦ୍ଧରେ ସଂପୃକ୍ତ କରାଯିବ ନାହିଁ। ଷ୍ଟାରମର କହିଛନ୍ତି ହର୍ମୁଜ ପ୍ରଣାଳୀକୁ ଜାହାଜ ଚଳାଚଳ ପାଇଁ ସମ୍ପୂର୍ଣ୍ଣ ଖୋଲା ରଖିବା ତାଙ୍କର ପ୍ରାଥମିକତା। କାରଣ ଏହା ବନ୍ଦ ହେବା ବିଶ୍ବ ଶକ୍ତି ବଜାରକୁ ପ୍ରଭାବିତ କରୁଛି ଏବଂ ଲୋକଙ୍କ ପାଇଁ ବିଦ୍ୟୁତ୍ ଏବଂ ଗ୍ୟାସ୍ ବିଲ୍ ବୃଦ୍ଧି କରୁଛି। ସେ କହିଛନ୍ତି, "ଏହା ଆମର ଯୁଦ୍ଧ ନୁହେଁ ଏବଂ ଆମେ ଏଥିରେ ସାମିଲ ହେବୁ ନାହିଁ।" ଆଉ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ଏକ ବଡ଼ ଝଟକା ଭାବରେ ଦେଖାଯାଉଛି।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମଧ୍ୟ ବିବାଦରୁ ଦୂରରେ

ସେହିପରି, ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍ କହିଛନ୍ତି, ଅବରୋଧ ସାମିଲ ହେବା ପାଇଁ ସେ ଆମେରିକାରୁ କୌଣସି ଅନୁରୋଧ ପାଇାନାହାଁନ୍ତି ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ଆଇନ ପ୍ରତି ସମ୍ମାନକୁ ସମର୍ଥନ କରନ୍ତି। ସେପଟେ ତୁର୍କୀ ବୈଦେଶିକ ମନ୍ତ୍ରୀ ହାକାନ୍ ଫିଦାନ ଆଶା ପ୍ରକାଶ କରିଛନ୍ତି ଯେ, ନିକଟ ଭବିଷ୍ୟତରେ ହର୍ମୁଜ୍ ପ୍ରଣାଳୀ ସମସ୍ୟାର କୂଟନୈତିକ ସମାଧାନ ହେବ। ସେ ନିୟମାବଳୀରେ କିଛି ପରିବର୍ତ୍ତନ ପାଇଁ ସୂଚନା ଦେଇଛନ୍ତି। ଆମେରିକା ଏବଂ ଇରାନ ମଧ୍ୟରେ ଆହୁରି ଆଲୋଚନାକୁ ସହଜ କରିବା ପାଇଁ ସେ ବର୍ତ୍ତମାନର ଯୁଦ୍ଧବିରତିକୁ ୪୫ରୁ ୬୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

Also read: ‘ΔO_BSOH>0 ⇒ f(f(O))>f(O)’; ମୁହଁ ଖୋଲିଲାନି, ଗଣିତ ସୂତ୍ରରେ ଆମେରିକାକୁ ଘାଇଲା କଲା ଇରାନ

ହର୍ମୁଜ ପ୍ରଣାଳୀରେ ଜାହାଜଗୁଡ଼ିକର ଚଳାଚଳ ପ୍ରତିକୂଳ ପ୍ରଭାବିତ ହୋଇଛି

ସୂଚନାଥାଉକି, ସପ୍ତମ ସପ୍ତାହରେ ପହଞ୍ଚିଥିବା ଯୁଦ୍ଧ ଯୋଗୁ ହଜାର ହଜାର ଲୋକଙ୍କ ଜୀବନ ଯାଇଛି ଏବଂ ବିଶ୍ବ ବଜାରକୁ ବାଧାପ୍ରାପ୍ତ କରିଛି। ଏହି ଉତ୍ତେଜନା ମଧ୍ଯରେ, ହର୍ମୁଜ ପ୍ରଣାଳୀରେ ପରିବହନ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ଲୟଡ୍ସ ଲିଷ୍ଟ ଇଣ୍ଟେଲିଜେନ୍ସର ରିପୋର୍ଟ ଅନୁସାରେ, ଟ୍ରମ୍ପଙ୍କ ଚେତାବନୀ ପରେ ହର୍ମୁଜ ପ୍ରଣାଳୀରେ ସମସ୍ତ ଯାତାୟାତ ବନ୍ଦ ହୋଇଯାଇଛି। ଏହା ଠିକ୍ ସେହି ସମୟରେ ଆସିଛି ଯେତେବେଳେ ଶତ୍ରୁତାରେ ପୂର୍ବ ଶାନ୍ତ ହେବା ପରେ ସୀମିତ ଯାତାୟାତ ପୁନଃ ଆରମ୍ଭ ହୋଇଥିଲା।