ମୁମ୍ଵାଇ ୨୩।୧୦; ବୟସ କେବଳ ଏକ ସଂଖ୍ୟା। ଆଉ ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ବଲିଉଡ୍ର ଗ୍ଲାମରସ୍ ଡିଭା ମଲାଇକା ଅରୋରା। ଫିଟନେସ୍ ହେଉ କି ଫ୍ୟାଶନ୍, ଡ୍ୟାନ୍ସ ହେଉ କି ଷ୍ଟାଇଲ୍ ପ୍ରତିଟି କ୍ଷେତ୍ରରେ ତାଙ୍କର ଅନ୍ଦାଜ୍ ଆଜି ବି ଯୁବପିଢ଼ିଙ୍କୁ କରୁଛି ଆକର୍ଷିତ। ଆଜି ଅକ୍ଟୋବର ୨୩, ମଲାଇକାଙ୍କ ଜନ୍ମଦିନ। ତାଙ୍କର ଦୀର୍ଘ କ୍ୟାରିୟର, ଜବରଦସ୍ତ ଫିଟନେସ୍ ଏବଂ ଅନନ୍ୟ ଷ୍ଟାଇଲ୍ ତାଙ୍କୁ ବଲିଉଡର ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ତେବେ କେମିତି ଜଣେ ଭିଜେରୁ ଆରମ୍ଭ କରି ମଲାଇକା ପାଲଟିଲେ ଫିଟନେସ୍ ଆଇକନ୍ ଓ ଗ୍ଲାମର କୁଇନ୍? ଆସନ୍ତୁ ଜାଣିବା

୯୦ ଦଶକରେ ଏମଟିଭି ଇଣ୍ଡିଆରେ ଭିଜେ ଭାବେ କ୍ୟାରିୟର ଆରମ୍ଭ କରିଥିଲ ମଲାଇକା। ଆଉ ଆଜି ବଲିଉଡ୍ର ସେ ଜଣେ ଚର୍ଚ୍ଚିତ ଚେହେରା। ମଲାଇକା ଅରୋରା ନା ଶୁଣିଲେ ସଭିଏଁ ଦିୱାନା। ନିଜର ଆତ୍ମବିଶ୍ୱାସ, ଆକର୍ଷଣୀୟ ବ୍ୟକ୍ତିତ୍ୱ ଏବଂ ଷ୍ଟାଇଲିସ୍ ଅନ୍ଦାଜ୍ରେ ଖୁବ୍ କମ୍ ସମୟରେ ସେ ହାସଲ କରିଥିଲେ ଲୋକପ୍ରିୟତା। କିନ୍ତୁ ମଲାଇକାଙ୍କ ପରିଚୟ କେବଳ ଜଣେ ଭିଜେ ମଧ୍ୟରେ ସୀମିତ ରହିନଥିଲା। ପପ୍ ମ୍ୟୁଜିକ୍ ଭିଡିଓରୁ ଆରମ୍ଭ କରି ବଲିଉଡ ଲୋକପ୍ରିୟ ଗୀତ ପର୍ଯ୍ୟନ୍ତ, ପ୍ରତିଟି ମଞ୍ଚରେ ସେ ଦେଖାଇଥିଲେ ନିଜର ଦମଦାର ଉପସ୍ଥିତି।

ଡ୍ୟାନ୍ସର ନୁହେଁ ସଫଳ ପ୍ରଡ୍ୟୁସର ମଧ୍ୟ

୧୯୯୮ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଦିଲ୍ ସେ…’ର ଗୀତ ‘ଛୈୟା ଛୈୟା’ ତାଙ୍କ କ୍ୟାରିୟରରେ ଆଣିଥିଲା ବଡ଼ ମୋଡ଼। ଚଳନ୍ତା ଟ୍ରେନ୍ ଉପରେ ଶାହରୁଖ ଖାନଙ୍କ ସହ ତାଙ୍କର ଜବରଦସ୍ତ ଡ୍ୟାନ୍ସ ଆଜି ବି ଦର୍ଶକଙ୍କ ମନରେ ରହିଛି। ଏହାପରେ ‘ମୁନ୍ନି ବଦନାମ୍ ହୁଇ’, ‘ମାହି ଭେ’ ଏବଂ ‘ଅନାରକଲି ଡିସ୍କୋ ଚଲି’ ଭଳି ଗୀତ ତାଙ୍କୁ ଦେଇଥିଲା ଏକ ସ୍ୱତନ୍ତ୍ର ପରିଚୟ।

ଡ୍ୟାନ୍ସ ଫ୍ଲୋର୍ରେ ନିଜ ଜଲୱା ଦେଖାଇବା ସହ ରିଆଲିଟି ଶୋ’ରେ ଜଜ୍ ଭାବେ ମଧ୍ୟ ମଲାଇକା ଦର୍ଶକଙ୍କ ମନ ଜିଣିଛନ୍ତି। ‘ନାଚ୍ ବଲିୟେ’, ‘ଝଲକ୍ ଦିଖଲା ଜା’ ଏବଂ ‘ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ’ ଭଳି ଶୋ’ରେ ତାଙ୍କର ଉପସ୍ଥିତି ତାଙ୍କୁ ଟେଲିଭିଜନ୍ ଜଗତରେ ମଧ୍ୟ ଲୋକପ୍ରିୟତା ହସଲ କରିବା ସହ ଟିଆରପି ଭାଙ୍ଗିଥିଲା । ଏହା ବ୍ୟତୀତ, ସେ ଅରବାଜ ଖାନଙ୍କ ସହ ମିଶି ଏକ ପ୍ରଡକ୍ସନ୍ ହାଉସ୍ ପରିଚାଳନା କରିଥିଲେ ଏବଂ ‘ଦବଙ୍ଗ’ ଓ ‘ଦବଙ୍ଗ ୨’ ଭଳି ସୁପରହିଟ୍ ଚଳଚ୍ଚିତ୍ର ପାଇଁ ପ୍ରଯୋଜକ ଭାବରେ କାର୍ଯ୍ୟ କରିଥିଲେ।

ଫିଟନେସ୍ ହିଁ ମଲାଇକାଙ୍କ ଷ୍ଟାଇଲ୍ ଷ୍ଟେଟମେଣ୍ଟ

ମଲାଇକାଙ୍କ ବୟସ ବଢ଼ୁଛି, କିନ୍ତୁ ତାଙ୍କର ଫିଟନେସ୍ ଓ ଏନର୍ଜି ଆଜି ବି ଚର୍ଚ୍ଚାରେ। ଯୋଗ, ପିଲାଟେସ୍ ଏବଂ ନିୟମିତ ବ୍ୟାୟାମ ତାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ନିଜର ଦୈନନ୍ଦିନ ରୁଟିନ୍ରେ ଶୃଙ୍ଖଳା ବଜାୟ ରଖିବା ସହ ସୁସ୍ଥ ଜୀବନଶୈଳୀକୁ ଗୁରୁତ୍ୱ ଦିଅନ୍ତି। କେବଳ ନିଜ ଫିଟନେସ୍ ନୁହେଁ, ଯୋଗ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା ଦିଗରେ ମଧ୍ୟ ସେ କାମ କରୁଛନ୍ତି। ତାଙ୍କ ପାଇଁ ଫିଟନେସ୍ କେବଳ ଭଲ ଦେଖାଯିବାର ମାଧ୍ୟମ ନୁହେଁ, ବରଂ ଏହା ଏକ ସୁସ୍ଥ ଜୀବନ ବଞ୍ଚିବାର ଉପାୟ।
ଷ୍ଟିକ୍ଟ ଡାଏଟ ରୁଟିନ: ସେ ପ୍ୟାକେଜଡ୍ ଫୁଡ୍ ଏବଂ ଚିନି ଠାରୁ ଦୂରେଇ ରୁହନ୍ତି। ଘରେ ପ୍ରସ୍ତୁତ ସରଳ ଖାଦ୍ୟ, ନଡ଼ିଆ ପାଣି, ପ୍ରଚୁର ପରିମାଣର ପନିପରିବା ଏବଂ ଇଣ୍ଟରମିଣ୍ଟେନ୍ ଫାସ୍ଟିଙ୍ଗ ତାଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟାର ମୁଖ୍ୟ ଅଂଶ ଅଟେ।

ମେଣ୍ଟାଲ ପିସ୍ ଓ ହାଇଡ୍ରେସନ୍: ସେ ସମୟାନୁବର୍ତ୍ତୀ ନିଦ, ପର୍ଯ୍ୟାପ୍ତ ପରିମାଣର ଜଳ ପାନ ଏବଂ ଧ୍ୟାନକୁ ନିଜ ସୌନ୍ଦର୍ଯ୍ୟ ତଥା ବୟସ ବଢ଼ିବା ପ୍ରକ୍ରିୟାକୁ ମାତ୍ ଦେବାର ମୁଖ୍ୟ ରହସ୍ୟ ବୋଲି ମାନନ୍ତି।

ଭିଜେରୁ ଅଭିନେତ୍ରୀ, ଡ୍ୟାନ୍ସର୍ରୁ ରିଆଲିଟି ଶୋ’ ଜଜ୍, ପ୍ରତିଟି ପର୍ଯ୍ୟାୟରେ ନିଜକୁ ନୂଆ ରୂପରେ ଗଢ଼ିଛନ୍ତି ମଲାଇକା ଅରୋରା। ତାଙ୍କର ଯାତ୍ରା ଦର୍ଶାଏ ଯେ ନିଜ ପ୍ରତି ଆତ୍ମବିଶ୍ୱାସ, ଶୃଙ୍ଖଳା ଓ ନିରନ୍ତର ପରିଶ୍ରମ ହିଁ ସଫଳତାର ପ୍ରକୃତ ମନ୍ତ୍ର। ମଲାଇକାଙ୍କ ୫୩ ବର୍ଷର ଯାତ୍ରା ଏହା ପ୍ରମାଣିତ କରେ ଯେ ଶୃଙ୍ଖଳା ଏବଂ ନିଷ୍ଠା ରହିଲେ, ବୟସ ବଢ଼ିବା କେବେବି କାହାର ସୌନ୍ଦର୍ଯ୍ୟ କିମ୍ବା ସଫଳତା ପଥରେ ବାଧା ସୃଷ୍ଟି କରିପାରେ ନାହିଁ। ଫ୍ୟାଶନ୍ ହେଉ କି ଫିଟନେସ୍, ମଲାଇକା ଆଜି ବି ଅନେକଙ୍କ ପାଇଁ ପ୍ରେରଣା।