ମୁମ୍ଵାଇ ୨୩।୧୦; ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ପ୍ରମୁଖ ତାରକା ପ୍ରଭାସ । ଆଜି ସେ ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ଜୀବନର ଏହି ପର୍ଯ୍ୟାୟରେ ଆଜି ସେ ଅବିବାହିତ ଅଛନ୍ତି। କେବଳ ଚଳଚ୍ଚିତ୍ର କିମ୍ବା ଅଭିନୟ ପାଇଁ ନୁହେଁ, ବରଂ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସେ ଅନେକ ସମୟରେ ଚର୍ଚ୍ଚାରେ ରହିଆସିଛନ୍ତି। ସବୁଠାରୁ ବଡ କଥା ସେ ପ୍ରାୟ ୬,୦୦୦ ବିବାହ ପ୍ରସ୍ତାବକୁ ରିଜେକ୍ଟ କରିଦେଇଥିଲେ। ଚଳଚ୍ଚିତ୍ର ଜଗତରେ ଦୁଇ ଦଶନ୍ଧିରୁ ଅଧିକ ସମୟ ବିତାଇ ସାରିଥିଲେ ମଧ୍ୟ, ୨୦୧୫ରେ ବ୍ଲକବଷ୍ଟର ଚଳଚ୍ଚିତ୍ର 'ବାହୁବଳୀ' ତାଙ୍କୁ ବ୍ୟାପକ ଲୋକପ୍ରିୟତା ଓ ପରିଚୟ ଆଣିଦେଇଥିଲା।

ଚଳଚ୍ଚିତ୍ର ଜଗତ ସହ ଗଭୀର ସମ୍ପୃକ୍ତି ଥିବା ଏକ ପରିବାରରୁ ଆସିଥିଲେ ମଧ୍ୟ, ଆଶ୍ଚର୍ଯ୍ୟର କଥା ଯେ ପ୍ରଭାସ କେବେବି ଅଭିନେତା ହେବାକୁ ଲକ୍ଷ୍ୟ ରଖିନଥିଲେ। କିନ୍ତୁ ଭାଗ୍ୟର କିଛି ଅନ୍ୟ ଯୋଜନା ଥିଲା, ଯାହା ତାଙ୍କୁ କେବଳ ଜଣେ ଅଭିନେତା ନୁହେଁ, ବରଂ ଜଣେ ବିଶାଳ ସୁପରଷ୍ଟାର୍ରେ ପରିଣତ କଲା। ତାଙ୍କ ଜନ୍ମଦିନ ଅବସରରେ, ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ ତଥ୍ୟ ଜାଣିବା।

କାହିଁକି ଅଭିନେତା ହେବାକୁ ଚାହୁଁନଥିଲେ ପ୍ରଭାସ?

ପ୍ରଭାସ ୧୯୭୯ ମସିହା ଅକ୍ଟୋବର ୨୩ ତାରିଖରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୁରା ନାମ ହେଉଛି ଉପ୍ପଲାପତି ଭେଙ୍କଟ ସୂର୍ଯ୍ୟନାରାୟଣ ପ୍ରଭାସ ରାଜୁ। ବିଭିନ୍ନ ସାକ୍ଷାତକାରରେ ସେ ପ୍ରକାଶ କରିଛନ୍ତି ଯେ, ତାଙ୍କର ଅଭିନେତା ହେବାର କୌଣସି ଇଚ୍ଛା ନଥିଲା, ବରଂ ଆରମ୍ଭରେ ସେ ହସ୍ପିଟାଲିଟି (ହୋଟେଲ୍) କ୍ଷେତ୍ରରେ ନିଜର କ୍ୟାରିୟର ଗଢ଼ିବାକୁ ଆଗ୍ରହୀ ଥିଲେ।

ପ୍ରାରମ୍ଭରେ, ଲୋକଙ୍କ ସହ ମିଳାମିଶା କରିବା, କ୍ୟାମେରା ସାମ୍ନା କରିବା କିମ୍ବା ଭିଡ଼ ମଧ୍ୟରେ ରହିବା ପାଇଁ ପ୍ରଭାସ ସହଜ ଅନୁଭବ କରୁନଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, ଅଭିନୟ କ୍ଷେତ୍ରକୁ ଆସିବା ପରେ ସେ ଚଳଚ୍ଚିତ୍ର ଜଗତରେ ସଫଳ ନ ହୁଅନ୍ତି, ତେବେ ସେ ହୋଟେଲ୍ ବ୍ୟବସାୟ କରିବା ବିଷୟରେ ଚିନ୍ତା କରିଥିଲେ।

୨୦୦୨ ମସିହାରେ ଅଭିନୟ ଜଗତରେ ପଦାର୍ପଣ

ପ୍ରଭାସ ଏକ ଚଳଚ୍ଚିତ୍ର ବ୍ୟାକଗ୍ରାଉଣ୍ଡ ଥିବା ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଉପ୍ପଲାପତି ସୂର୍ଯ୍ୟ ନାରାୟଣ ରାଜୁ ଜଣେ ଚଳଚ୍ଚିତ୍ର ନିର୍ମାତା ଥିଲେ ଏବଂ ଅଭିନେତା କୃଷ୍ଣମ ରାଜୁ ତାଙ୍କର ଦାଦା ଥିଲେ। ପ୍ରଭାସ ୨୦୦୨ ମସିହାରେ 'ଈଶ୍ୱର' (Eeswar) ଚଳଚ୍ଚିତ୍ର ମାଧ୍ୟମରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଚଳଚ୍ଚିତ୍ର ଜଗତରେ ପଦାର୍ପଣ କରିବା ସମୟରେ ତାଙ୍କୁ ୨୩ ବର୍ଷ ବୟସ ହୋଇଥିଲା। ନିଜ କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ, ପ୍ରଭାସ 'ବିଲ୍ଲା', 'ମିର୍ଚି', 'ମିଷ୍ଟର ପରଫେକ୍ଟ', 'ବର୍ଷମ୍', 'ଛତ୍ରପତି' ଏବଂ 'ଡାର୍ଲିଂ' ଭଳି ଚଳଚ୍ଚିତ୍ର ମାଧ୍ୟମରେ ଲୋକପ୍ରିୟତା ହାସଲ କରିଥିଲେ।

ହେଲେ ପ୍ରଭାସ ତେଲୁଗୁ ଭାଷାଭାଷୀ ଦର୍ଶକଙ୍କ ମଧ୍ୟରେ ପୂର୍ବରୁ ହିଁ ଏକ ବଡ଼ ସୁନାମ ଅର୍ଜନ କରିସାରିଥିଲେ, ତଥାପି ସେ ସମଗ୍ର ଭାରତ ତଥା ବିଶ୍ୱସ୍ତରରେ ଲୋକପ୍ରିୟତା ହାସଲ କରିବାକୁ ବାକି ଥିଲେ। ଏସ୍. ଏସ୍. ରାଜମୌଲିଙ୍କ ନିର୍ଦ୍ଦେଶିତ ବ୍ଲକବଷ୍ଟର ଚଳଚ୍ଚିତ୍ର 'ବାହୁବଳୀ' ଏବଂ 'ବାହୁବଳୀ-୨' ହିଁ ତାଙ୍କୁ ବିଶ୍ୱବ୍ୟାପୀ ସଫଳତା ଓ ଖ୍ୟାତି ଆଣିଦେଇଥିଲା।

୨୦୧୫ ମସିହାରେ ମୁକ୍ତିଲାଭ କରିଥିବା 'ବାହୁବଳୀ' ସାରା ଦେଶରେ ବକ୍ସ ଅଫିସ୍ରେ ଏକ ଚହଳ ସୃଷ୍ଟି କରିବା ସହ ଅନେକ ରେକର୍ଡ ଭାଙ୍ଗି ଦେଇଥିଲା। ୧୭୦ କୋଟି ଟଙ୍କାର ବଜେଟ୍ରେ ନିର୍ମିତ ଏହି ଚଳଚ୍ଚିତ୍ରଟି ବିଶ୍ୱସ୍ତରରେ ୬୫୦ କୋଟି ଟଙ୍କାର ଆୟ କରିଥିଲା। ଏହାର ଦୁଇ ବର୍ଷ ପରେ, ଏହାର ଦ୍ୱିତୀୟ ଭାଗ 'ବାହୁବଳୀ-୨' ମୁକ୍ତିଲାଭ କଲା।ଯାହା ବିଶ୍ୱସ୍ତରରେ ୧,୮୦୦ କୋଟି ଟଙ୍କାରୁ ଅଧିକ ଆୟ କରିଥିଲା। ଏହି ଚଳଚ୍ଚିତ୍ରଗୁଡ଼ିକ ପ୍ରଭାସଙ୍କ ତାରକା ଛବିକୁ ଏକ ନୂତନ ଉଚ୍ଚତାକୁ ନେଇଗଲା। ବିଶେଷ ଉଲ୍ଲେଖନୀୟ ଯେ, ପ୍ରଭାସ 'ବାହୁବଳୀ' ସିରିଜ୍ ପାଇଁ ପାଞ୍ଚ ବର୍ଷ ସମୟ ଦେଇଥିଲେ ଏବଂ ସୁଟିଂ ପାଇଁ ସେଟ୍ରେ ୬୦୦ ଦିନରୁ ଅଧିକ ସମୟ ବିତାଇଥିଲେ।

୬,୦୦୦ରୁ ଅଧିକ ପ୍ରପୋଜାଲକୁ ରିଜେକ୍ଟ କରିଥିଲେ

'ବାହୁବଳୀ'ର ବହୁ ସଫଳତା ପରେ, ପ୍ରଭାସ ସମଗ୍ର ଦେଶରେ ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ ପାଲଟିଗଲେ। ଏହି ଚଳଚ୍ଚିତ୍ରଟି ଏକ ବ୍ଲକବଷ୍ଟର ହେବା ପରେ, ଅଭିନେତା ଜଣକ ଦେଶର ବିଭିନ୍ନ ସ୍ଥାନରୁ ୬,୦୦୦ରୁ ଅଧିକ ବିବାହ ପ୍ରସ୍ତାବ ପାଇଥିଲେ; କିନ୍ତୁ ସେ ସେହି ସମସ୍ତ ପ୍ରସ୍ତାବକୁ ରିଜେକ୍ଟ କରିଥିଲେ।

ଅନୁଷ୍କା ଶେଟ୍ଟୀଙ୍କ ସହ ନାମ ଯୋଡ଼ି ହେବା

ପ୍ରଭାସ 'ବାହୁବଳୀ' ଏବଂ 'ବାହୁବଳୀ-୨'ରେ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ସହ କାମ କରିଥିଲେ। ଏହା ପୂର୍ବରୁ, ଉଭୟ କଳାକାର 'ମିର୍ଚି' ଏବଂ 'ବିଲ୍ଲା' ଭଳି ଚଳଚ୍ଚିତ୍ରରେ ମଧ୍ୟ ଏକାଠି ନଜର ଆସିଥିଲେ। ସେମାନେ ଏକାଠି କାମ କରୁଥିବା ସମୟରେ, ଏଭଳି ଖବର ଶୁଣିବାକୁ ମିଳିଥିଲା ଯେ ସେମାନେ ପରସ୍ପରକୁ ଡେଟ୍ କରୁଛନ୍ତି।

ତେବେ, ଏକ ଆଲୋଚନା ସମୟରେ ପ୍ରଭାସ ଏହି ଗୁଜବକୁ ଖଣ୍ଡନ କରିଥିଲେ। ସେ ବୁଝାଇ କହିଥିଲେ ଯେ, ଯେଉଁ କଳାକାରମାନେ ବାରମ୍ବାର ଏକାଠି କାମ କରନ୍ତି, ସେମାନଙ୍କ ମଧ୍ୟରେ ଥିବା ବୃତ୍ତିଗତ ସମ୍ପର୍କକୁ ଅନେକ ସମୟରେ ଭୁଲ୍ବଶତଃ ଏକ ପ୍ରେମ ସମ୍ପର୍କ ବୋଲି ଭାବି ନିଆଯାଏ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୪୭ ବର୍ଷ ବୟସରେ ମଧ୍ୟ ଅଭିନେତା ପ୍ରଭାସ ଅବିବାହିତ ଅଛନ୍ତି, ଏବଂ ୪୪ ବର୍ଷୀୟା ଅନୁଷ୍କା ମଧ୍ୟ ବିବାହ କରିନାହାନ୍ତି।

ପ୍ରଭାସ ନିଜ ପାରିଶ୍ରମିକ ୧୦୦ କୋଟିରୁ ଅଧିକ ନିଅନ୍ତି

ପ୍ରଭାସ ଭାରତର ସର୍ବାଧିକ ପାରିଶ୍ରମିକ ପାଉଥିବା ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କର ପୂର୍ବରୁ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଦ ରାଜା ସାହେବ' ପାଇଁ ସେ ୧୦୦ କୋଟି ଟଙ୍କା ପାରିଶ୍ରମିକ ନେଇଥିଲେ। ଯେତେବେଳେ କି ୨୦୨୪ ମସିହାର ଚଳଚ୍ଚିତ୍ର 'କଲ୍କି ୨୮୯୮ ଏଡି' ପାଇଁ ସେ ୧୫୦ କୋଟି ଟଙ୍କା ନେଇଥିବା କୁହାଯାଉଛି। ବର୍ତ୍ତମାନର କାର୍ଯ୍ୟସୂଚୀ ଅନୁଯାୟୀ, ତାଙ୍କର ଦୁଇଟି ବଡ଼ ଚଳଚ୍ଚିତ୍ର ଆଗକୁ ଆସିବାକୁ ଅଛି। ତାଙ୍କର ଅତ୍ୟନ୍ତ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସ୍ପିରିଟ୍' ୨୦୨୭ ମସିହା ଦୀପାବଳି ସମୟରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ, ତାଙ୍କର 'ଫୌଜି' (Fauji) ନାମକ ଆଉ ଏକ ଚଳଚ୍ଚିତ୍ର ମଧ୍ୟ ରହିଛି। ଯାହା ଡିସେମ୍ବର ମାସରେ ମୁକ୍ତିଲାଭ କରିବାର ଯୋଜନା ରହିଛି।