ମୁମ୍ଵାଇ ୨୩।୧୦; ବଲିଉଡର ଶେହେନଶାହ ଅମିତାଭ ବଚ୍ଚନଙ୍କୁ ନେଇ ଆସିଛି ଏକ ବଡ଼ ଅପଡେଟ୍। ବିଗ୍ ବିଙ୍କ ଏକ ସୋସିଆଲ୍ ମିଡିଆ ପୋଷ୍ଟ ଏବେ ତାଙ୍କ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ଚିନ୍ତା ବଢ଼ାଇ ଦେଇଛି। ନିୟମିତ ଭାବେ ନିଜ ବ୍ଲଗ୍ ଓ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହୁଥିବା ଅମିତାଭ ହଠାତ୍ କାହିଁକି ନିଜକୁ ଲେଖାଲେଖିରୁ ଦୂରେଇ ରଖିଛନ୍ତି? ନିଜେ ପୋଷ୍ଟ କରି କ୍ଷମା ମାଗିବା ସହ ବିଶ୍ରାମ ନେବା ଏବଂ ସୁସ୍ଥ ହେବା ପାଇଁ ସମୟ ଆବଶ୍ୟକ ବୋଲି କହିଛନ୍ତି ବିଗ୍ ବି। ତେବେ କ’ଣ ଅମିତାଭଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନାହିଁ? ତାଙ୍କର ଏହି ପୋଷ୍ଟ ପରେ ପ୍ରଶଂସକଙ୍କ ମନରେ ଏବେ ଅନେକ ପ୍ରଶ୍ନ। ଆସନ୍ତୁ ଜାଣିବା ପୂରା ଖବର।

ସାଧାରଣତଃ ନିଜ ବ୍ଲଗ୍ ମାଧ୍ୟମରେ ଦୈନନ୍ଦିନ ଜୀବନର ଅନୁଭୂତି ଓ ଚିନ୍ତାଧାରା ବାଣ୍ଟୁଥିବା ବିଗ୍ ବି କିଛି ଦିନ ଧରି ନିୟମିତ ଲେଖିପାରିନଥିଲେ। ଏହାକୁ ନେଇ ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ବଢ଼ିଥିବା ବେଳେ, ଶେଷରେ ନିଜେ ଏକ ପୋଷ୍ଟ ମାଧ୍ୟମରେ ଏହାର କାରଣ ଜଣାଇଛନ୍ତି ଅମିତାଭ।

ସେ କହିଛନ୍ତି ଯେ ତାଙ୍କୁ ବିଶ୍ରାମ ନେବା ସହ ସୁସ୍ଥ ହେବା ପାଇଁ କିଛି ସମୟ ଦେବାକୁ ପରାମର୍ଶ ଦିଆଯାଇଛି। ତେଣୁ ଏବେ ସେ କିଛି ଲେଖିବା ସ୍ଥିତିରେ ନାହାନ୍ତି। ନିଜର ନିୟମିତ ପାଠକ ଓ ପ୍ରଶଂସକଙ୍କୁ କ୍ଷମା ମାଗିବା ସହ ଏହି ସୂଚନା ଦେଇଛନ୍ତି ବିଗ୍ ବି। ତାଙ୍କର ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରୁଛନ୍ତି। ଅନେକେ କମେଣ୍ଟ ମାଧ୍ୟମରେ ତାଙ୍କର ସୁସ୍ଥତା କାମନା କରିବା ସହ ଶୀଘ୍ର ସୁସ୍ଥ ହୋଇ ଫେରିବାକୁ ପ୍ରାର୍ଥନା କରିଛନ୍ତି।

ଆଣ୍ଠୁରେ ଆଘାତ ପରେ ବଢ଼ିଲା ଚର୍ଚ୍ଚା

ନିକଟରେ ‘କୌନ୍ ବନେଗା କରୋଡ଼ପତି’ର ସୁଟିଂ ସମୟରେ ଅମିତାଭଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ଖବର ସାମ୍ନାକୁ ଆସିଥିଲା। ନିଜେ ଏକ ଏପିସୋଡ୍ରେ ଏହି ଘଟଣା ବିଷୟରେ ଜଣାଇଥିଲେ ଅଭିନେତା। ତେବେ ଆଘାତଟି ଗୁରୁତର ନୁହେଁ ବୋଲି ସେ କହିଥିଲେ ଏବଂ ସୁଟିଂ ମଧ୍ୟ ଜାରି ରଖିଥିଲେ। ହେଲେ ବର୍ତ୍ତମାନ ବିଶ୍ରାମ ନେବାକୁ ନେଇ ତାଙ୍କର ଏହି ନୂଆ ପୋଷ୍ଟ ପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଆଲୋଚନା ଆହୁରି ବଢ଼ିଛି। ତେବେ ଅମିତାଭ କେଉଁ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ବିଶ୍ରାମ ନେଉଛନ୍ତି, ସେନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି।