ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ବିଫଳ ହେବା ପରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ନେଇ ବିବାଦ ବୃଦ୍ଧି ପାଇଛି । ଏହି ଜଳମାର୍ଗରେ ନାକାବନ୍ଦୀ ଲଗାଇବାକୁ ଧମକ ଦେଇଛି ଆମେରିକା । ସୋମବାର ସନ୍ଧ୍ୟାରୁ ଏହାକୁ ନିଜ ନିୟନ୍ତ୍ରଣରେ ନେଇପାରନ୍ତି ଟ୍ରମ୍ପ । ଆମେରିକାର ଏହି ଧମକକୁ ଖାତିର କରିନାହିଁ ଇରାନ୍ । ନୂଆ ତରିକାରେ ଆମେରିକା ରାଷ୍ଟ୍ରପତିଙ୍କୁ ତେହେରାନ ଜବାବ ଦେଇଛି । ଟ୍ରମ୍ପଙ୍କୁ ଗଣିତ ପଢ଼ାଇଛନ୍ତି ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ । ‘ମ୍ୟାଥ୍ ଫର୍ମୁଲା’ ମାଧ୍ୟମରେ ସେ ଜଣାଇ ଦେଇଛନ୍ତି, ହର୍ମୁଜ୍ରେ ନାକାବାନ୍ଦୀ କଲେ ନାକେଦମ ହେବ ବିଶ୍ବ ।

ଆମେରିକା କହିଛି ଯେ, ଇରାନ ବନ୍ଦରଗୁଡ଼ିକରେ ଜାହାଜଗୁଡ଼ିକୁ ପ୍ରବେଶ କରିବା କିମ୍ବା ରୋକିବା ପାଇଁ ନାକାବନ୍ଦୀ କରିବ। ଆମେରିକା କେନ୍ଦ୍ରୀୟ କମାଣ୍ଡ (CENTCOM) ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ ସୋମବାର ସନ୍ଧ୍ୟା (ଇରାନ ସମୟ) ଠାରୁ କାର୍ଯ୍ୟକାରୀ ହେବ। ଇରାନର ସମୁଦ୍ର ପଥ ଉପରେ ନଜର ରଖାଯିବ ଏବଂ ଜାହାଜ ଚଳାଚଳକୁ ନିୟନ୍ତ୍ରଣ କରିବ ଆମେରିକା। ସେହିଭଳି ଇରାନର ନିଷିଦ୍ଧ ବନ୍ଦର ମଧ୍ୟରେ ଯାତ୍ରା କରୁଥିବା ଜାହାଜଗୁଡ଼ିକୁ ହର୍ମୁଜ୍ ପ୍ରଣାଳୀ ଦେଇ ଯିବାକୁ ଅନୁମତି ମିଳିନପାରେ ।

Also Read: ହର୍ମୁଜ୍ ପ୍ରଣାଳୀର ପାଣି ତଳେ ମାଇନ୍ସ ବିଛାଇଛି ଇରାନ୍, ମ୍ୟାପ୍ ଦେଖି ଛାନିଆ ବିଶ୍ବ

ଗଣିତ ସୂତ୍ର କଣ ?

ଆମେରିକାକୁ ଟାର୍ଗେଟ କରି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଇରାନ । କୌଣସି ପ୍ରତିକ୍ରିୟା ନଦେଇ ମହମ୍ମଦ ବାଘେର ଗାଲିବାଫ ଏକ ଗାଣିତିକ ସୂତ୍ର ସେୟାର କରିଛନ୍ତି, ΔO_BSOH>0 ⇒ f(f(O))>f(O)। ସେ ଏହି ସୂତ୍ର ବ୍ୟବହାର କରି ବୁଝାଇ ଦେଇଛନ୍ତି ଯେ, ଯଦି ହର୍ମୁଜ୍ ପ୍ରଣାଳୀ (BSOH) ର ଅବରୋଧ ବୃଦ୍ଧି ପାଏ, ତେବେ ତୈଳ ମୂଲ୍ୟ (O) ଦ୍ରୁତ ଗତିରେ ବୃଦ୍ଧି ପାଇବ।

 

ଏହି ସୂତ୍ରର ପ୍ରଥମ ଭାଗରୁ ଜଣାପଡ଼ୁଛି ଯେ, ହର୍ମୁଜରେ ନାକାବନ୍ଦୀ ହେଲେ ତୈଳ ମୂଲ୍ୟ ତୁରନ୍ତ ବୃଦ୍ଧି ପାଇବ। କିନ୍ତୁ ପ୍ରକୃତ ବିପଦ ଦ୍ୱିତୀୟ ଭାଗରେ ରହିଛି । ଯାହା ଦର୍ଶାଉଛି ଯେ, ଏହି ବୃଦ୍ଧି ସୀମିତ ରହିବ ନାହିଁ। ଏହାର ଅର୍ଥ ହେଉଛି, ପ୍ରଥମେ ମୂଲ୍ୟ ବୃଦ୍ଧି ପରେ, ବଜାରରେ ଆତଙ୍କ, ଯୋଗାଣରେ ବାଧା, ପରିବହନ ଖର୍ଚ୍ଚ ଏବଂ ନିବେଶକଙ୍କ ପ୍ରତିକ୍ରିୟା ଫଳରେ ଦ୍ବିତୀୟ ଭାଗରେ ତୈଳ ମୂଲ୍ୟ ଆହୁରି ବଢ଼ିବ । ସ୍ପଷ୍ଟ ଭାବରେ କହିବାକୁ ଗଲେ, ଏହା ଏକ ଚେନ୍ ରିଏକ୍ସନ ହେବ, ଫଳରେ ପ୍ରତି ପର୍ଯ୍ୟାୟରେ ସଙ୍କଟ ଆହୁରି ବଢ଼ି ବଢ଼ି ଯିବ । ଗାଲିବାଫଙ୍କ ଅନୁସାରେ, ପ୍ରଥମ ପ୍ରଭାବ (f(O)) ହେଉଛି ଯୋଗାଣ ବାଧାପ୍ରାନ୍ତ ହେବା ଯୋଗୁଁ ତୁରନ୍ତ ମୂଲ୍ୟ ବୃଦ୍ଧି ହେବ । ଦ୍ୱିତୀୟରେ (f(f(O)) ) ନକ-ଅନ୍ ପ୍ରଭାବ, ଯେମିତିକି ଆତଙ୍କିତ କ୍ରୟ, ଯୋଗାଣ ଶୃଙ୍ଖଳ ବ୍ୟାହତ, ବୀମା ବୃଦ୍ଧି ଦରଦାମକୁ ବଢ଼ାଇବ ।

Also Read: West Asiaରେ ଶାନ୍ତି ଲାଗି ପୁଟିନଙ୍କ ନୂଆ ଚାଲ, ଇରାନ ଆଗରେ ରଖିଲେ ମଧ୍ୟସ୍ଥତାର ପ୍ରସ୍ତାବ

ଆମେରିକାକୁ ଇରାନର ଚେତାବନୀ

ଆମେରିକାକୁ ଇରାନ ସ୍ପଷ୍ଟ ଭାଷାରେ ବୁଝାଇ ଦେଇଛି ଯେ, ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣ କରିବାର ପ୍ରୟାସ ବିଶ୍ୱ ଶକ୍ତି ବଜାର ପାଇଁ ବିନାଶକାରୀ ପରିଣାମ ଆଣିପାରେ। ଏହି ବାର୍ତ୍ତାକୁ ଆହୁରି ସ୍ପଷ୍ଟ କରିବା ପାଇଁ, ଗାଲିବାଫ୍ ବର୍ତ୍ତମାନର ପେଟ୍ରୋଲ ମୂଲ୍ୟର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ସେ ଆମେରିକୀୟମାନଙ୍କୁ କହିଛନ୍ତି, ‘ବର୍ତ୍ତମାନର ମୂଲ୍ୟର ଆନନ୍ଦ ନିଅନ୍ତୁ, ଇରାନ ଖୁବଶୀଘ୍ର ଗ୍ୟାଲନ୍ ପ୍ରତି ୪ରୁ ୫ ଡଲାର ବୃଦ୍ଧି କରିପାରେ ।’