ନୂଆଦିଲ୍ଲୀ, ୧୩/୦୯ :ବ୍ରିକ୍ସ ପାଇଁ ଭାରତରେ ପହଁଚିଛନ୍ତି ବିଶ୍ୱର ବଡ ବଡ ନେତା । ଋଷିଆ ଏବଂ ଚାଇନାର ରାଷ୍ଟ୍ରପତି ଦିଲ୍ଲୀରେ ଅଛନ୍ତି । ଏହାସହ୨୧ଟି ଦେଶର ପ୍ରତିନିଧି ସମ୍ମିଳନୀରେ ସାମିଲ ହୋଇଛନ୍ତି । ସବୁଠି ଭାରତର ଆୟୋଜନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରାଯାଉଛି । ଏହା ମଧ୍ୟରେ ପୂର୍ବତନ କ୍ରିକେଟର ତଥା ଭାରତୀୟ ଦଳର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ସୋସିଆଲ ମିଡିଆରେ ବ୍ରିକ୍ସରେ ଭାରତର ଦବଦବାକୁ ପ୍ରଶଂସା କରିଛନ୍ତି ।

Also Read :- ଏପଟେ BRICSରେ ଶାନ୍ତିର ଅପିଲ୍, ସେପଟେ ହର୍ମୁଜରେ ଜାହାଜ ଉପରେ ମିସାଇଲ୍ ଆଟାକ୍

ରବି ଶାସ୍ତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ୍ ସେୟାର କରିଛନ୍ତି । ଏହି ପୋଷ୍ଟରେ ମୋଦୀ ବୃକ୍ଷରୋପଣ କରୁଛନ୍ତି । ମୋଦୀଙ୍କ ସହ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍ ଏବଂ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ନଜର ଆସିଛନ୍ତି । ଏସବୁକୁ ନେଇ ଶାସ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ସେ କେବେହେଳେ ଏତେ ଗର୍ବ ଅନୁଭବ କରିନଥିଲେ । ଭାରତ ମାଟିରେ ମୋଦୀଙ୍କ ସହ ପୁଟିନ ଏବଂ ଜିନପିଙ୍ଗ୍ ଅଛନ୍ତି । ଏପରି ବିଶ୍ୱ କୁଟନୀତି ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା ।

ଆତଙ୍କବାଦକୁ ନିନ୍ଦା

ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଭାରତର କୂଟନୈତିକ ଆଭିମୁଖ୍ୟକୁ ବଡ଼ ସମର୍ଥନ ମିଳିଛି। ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ସମସ୍ତ ୨୧ ସଦସ୍ୟ ଦେଶ ଏକମତ ହୋଇ ‘ନୂଆଦିଲ୍ଲୀ ଘୋଷଣା-୨୦୨୬’ ଗ୍ରହଣ କରିଛନ୍ତି। ଏହି ଘୋଷଣାରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଛି। ରୁଷ ଓ ଚୀନ୍ ସମେତ ବ୍ରିକ୍ସର ସମସ୍ତ ସଦସ୍ୟ ଦେଶ ଆତଙ୍କବାଦର ସମସ୍ତ ରୂପ ଓ ପ୍ରକାର ବିରୋଧରେ ଦୃଢ଼ ମତ ପ୍ରକାଶ କରିଛନ୍ତି। ଆତଙ୍କବାଦର ଉଦ୍ଦେଶ୍ୟ ଯାହା ହେଉନା କାହିଁକି, ଏହାକୁ ଅପରାଧ ଓ ଅନ୍ୟାୟ ବୋଲି ବିବେଚନା କରାଯିବ ବୋଲି ସଦସ୍ୟ ଦେଶଗୁଡ଼ିକ ସ୍ପଷ୍ଟ କରିଛନ୍ତି। ଏଥିସହ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ବା ଟେରର ଫଣ୍ଡିଂ ବନ୍ଦ କରିବା ନେଇ ମଧ୍ୟ ସମହିତ ହୋଇଛି।

ପହଲଗାମ ଆକ୍ରମଣକୁ କଡ଼ା ନିନ୍ଦା

ବ୍ରିକ୍ସର ମିଳିତ ଘୋଷଣାରେ ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ କଡ଼ା ଭାବେ ନିନ୍ଦା କରାଯାଇଛି। ଏହି ଆକ୍ରମଣରେ ୨୬ ଜଣ ନିରୀହ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଥିଲେ। ଘୋଷଣାରେ କୁହାଯାଇଛି ଯେ, କେବେ, କେଉଁଠି କିମ୍ବା କାହା ଦ୍ୱାରା ଆତଙ୍କବାଦୀ ଘଟଣା ଘଟାଯାଉନା କାହିଁକି, ଏହାକୁ ଅପରାଧିକ ଓ ଅନ୍ୟାୟପୂର୍ଣ୍ଣ ଘଟଣା ଭାବେ ବିବେଚନା କରାଯିବ। ଆତଙ୍କବାଦୀଙ୍କ ସୀମାପାର ଯାତାୟାତ, ଆତଙ୍କବାଦ ପାଇଁ ଅର୍ଥ ଯୋଗାଣ ଏବଂ ଆତଙ୍କବାଦୀଙ୍କୁ ସୁରକ୍ଷିତ ଆଶ୍ରୟ ପ୍ରଦାନ ଭଳି ସମସ୍ତ ପ୍ରକାରର ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ମିଳିତ ଭାବେ ଲଢ଼ିବାକୁ ଦେଶଗୁଡ଼ିକ ପ୍ରତିବଦ୍ଧତା ଦୋହରାଇଛନ୍ତି।

ଆତଙ୍କବାଦ ଉପରେ ଚାଲିବନି ଦୋହରା ମାପଦଣ୍ଡ

ବ୍ରିକ୍ସ ଦେଶଗୁଡ଼ିକ ଆତଙ୍କବାଦ ବିରୋଧରେ ‘ଜିରୋ ଟଲରେନ୍ସ’ ନୀତି ଆପଣାଇବା ଉପରେ ଜୋର ଦେଇଛନ୍ତି। ଆତଙ୍କବାଦକୁ ନେଇ କୌଣସି ପ୍ରକାରର ଦୋହରା ମାପଦଣ୍ଡ ଗ୍ରହଣୀୟ ନୁହେଁ ବୋଲି ମିଳିତ ବାର୍ତ୍ତା ଦିଆଯାଇଛି। ଆତଙ୍କବାଦକୁ କୌଣସି ଧର୍ମ, ଜାତୀୟତା, ସଭ୍ୟତା କିମ୍ବା ଜାତିଗତ ଗୋଷ୍ଠୀ ସହ ଯୋଡ଼ିବା ଠିକ୍ ନୁହେଁ ବୋଲି ଘୋଷଣାରେ କୁହାଯାଇଛି। ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବା କିମ୍ବା ଆତଙ୍କବାଦକୁ ସମର୍ଥନ କରୁଥିବା ସମସ୍ତଙ୍କୁ ଉତ୍ତରଦାୟୀ କରାଯିବା ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ନ୍ୟାୟିକ ପ୍ରକ୍ରିୟାର ସମ୍ମୁଖୀନ କରାଯିବା ଆବଶ୍ୟକ ବୋଲି ବ୍ରିକ୍ସ ଦେଶଗୁଡ଼ିକ କହିଛନ୍ତି।