ନୂଆଦିଲ୍ଲୀ/ଦୁବାଇ: ଗୋଟିଏ ପଟେ ବ୍ରିକ୍ସ ସମ୍ମିଳନୀ ଚାଲିଥିବା ବେଳେ ଅନ୍ୟପଟେ ହର୍ମୁଜରେ ମିସାଇଲ୍ ମାଡ଼। ବ୍ରିକ୍ସ ସମ୍ମିଳନୀରେ ଭାରତ, ସାଉଦି ଆରବ, ଇରାନ ଓ ୟୁଏଇ ଭଳି ଦେଶଗୁଡ଼ିକ ପକ୍ଷରୁ ପଶ୍ଚିମ ଏସିଆରେ ଶାନ୍ତି ଏବଂ ସଂଯମତା ବଜାୟ ରଖିବାକୁ ଅପିଲ୍ କରାଯିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ସ୍ଥିତି ଅଧିକ ସଙ୍ଗୀନ ହୋଇପଡ଼ିଛି। ସମୁଦ୍ର ମାର୍ଗରେ ପାଇଁ ଅତି ସମ୍ବେଦନଶୀଳ କୁହାଯାଉଥିବା 'ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍' ଦେଇ ଗତି କରୁଥିବା ଏକ ବାଣିଜ୍ୟିକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟୁକେ ମ୍ୟାରିଟାଇମ୍ ଟ୍ରେଡ୍ ଅପରେସନ୍ସ ଅନୁସାରେ, ଜାହାଜର କ୍ଷତି ଏବଂ ସେଥିରେ ଥିବା କର୍ମଚାରୀଙ୍କ ସୁରକ୍ଷା ଯାଞ୍ଚ କରାଯାଉଥିବା ବେଳେ ଏହି ଜଳପଥ ଦେଇ ଯାଉଥିବା ଅନ୍ୟ ସମସ୍ତ ଜାହାଜକୁ ସର୍ବୋଚ୍ଚ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅପରପକ୍ଷରେ, ଇରାନ ସମର୍ଥିତ ୟେମେନର ହୁତି ବିଦ୍ରୋହୀମାନେ ଲୋହିତ ସାଗରର ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ 'ବାବ୍ ଅଲ-ମଣ୍ଡେବ' ଏବଂ ମୋଖା ବନ୍ଦର ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିଛନ୍ତି। ଏହି ନିୟନ୍ତ୍ରଣ ପରେ ହୁତି ବିଦ୍ରୋହୀମାନେ ସାଉଦି ଆରବର 'ଶରୁରାହ' ସାମରିକ ଘାଟି ଉପରକୁ ମଧ୍ୟ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି, ଯେଉଁଥିରେ ସାଉଦି ସୀମାନ୍ତରେ ଦୁଇଜଣ ଆହତ ହୋଇଥିବା ସୂଚନା ମିଳିଛି। ସାଉଦି ଆରବର ଅଶୋଧିତ ତୈଳ ରପ୍ତାନି ପାଇଁ ବ୍ୟବହୃତ ହେଉଥିବା ଏହି ପ୍ରମୁଖ ସାମୁଦ୍ରିକ ମାର୍ଗରେ ହୁତିଙ୍କ କବଜା ବିଶ୍ୱ ତୈଳ ଯୋଗାଣ ପ୍ରତି ବଡ଼ ସଙ୍କଟ ସୃଷ୍ଟି କରିଛି।

Also Read: ୟେମେନରେ ହୁତି ବିଦ୍ରୋହୀଙ୍କ ଭୟଙ୍କର ଆକ୍ରମଣ: ଘରଦ୍ୱାର ଛାଡ଼ି ପଳାଇଲେ ୫୦ ହଜାର ନାଗରିକ

ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହୁତି ବିଦ୍ରୋହୀଙ୍କ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ। ମାତ୍ର ବର୍ତ୍ତମାନର ସ୍ଥିତିରେ ଆମେରିକା ସେନାକୁ ଏହି ଯୁଦ୍ଧରେ ପ୍ରତ୍ୟକ୍ଷ ଭାବେ ସାମିଲ କରିବାକୁ ଟ୍ରମ୍ପ ମନା କରିଦେଇଥିବା ବିଦେଶୀ ଗଣମାଧ୍ୟମରୁ ପ୍ରକାଶ। ଏହି ସମୟରେ, ଇରାନ ଓ ଓମାନ ସମୁଦ୍ର ମାର୍ଗରେ ଗମନାଗମନ ପାଇଁ 'ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍'ରେ ନୂଆ ରୁଟ୍ ନିର୍ଦ୍ଧାରଣ କରିବାକୁ ସହମତି ପ୍ରକାଶ କରିଛନ୍ତି, ଯାହାଫଳରେ ବିଶ୍ୱ ଶକ୍ତି ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ନହୁଏ।

ବ୍ରିକ୍ସ ଶିଖର ସମ୍ମିଳନୀରେ ସମସ୍ତ ଦେଶ ସର୍ବସମ୍ମତିକ୍ରମେ ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ଶକ୍ତି ଯୋଗାଣ ଶୃଙ୍ଖଳାକୁ ସୁରକ୍ଷିତ ରଖିବା ପାଇଁ ଶାନ୍ତିପୂର୍ଣ୍ଣ ଆଲୋଚନାର ଆହ୍ୱାନ ଦେଇଥିଲେ। କିନ୍ତୁ ଭୂ-ରାଜନୈତିକ ସ୍ଥିତି ଏବଂ ସମୁଦ୍ର ମାର୍ଗରେ ବୃଦ୍ଧି ପାଉଥିବା ହିଂସା ବାସ୍ତବରେ ମଧ୍ୟପ୍ରାଚ୍ୟରେ ଏକ ବଡ଼ ଧରଣର ସାମରିକ ସଙ୍କଟ ଆଡ଼କୁ ଇଶାରା କରୁଛି।