ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ନିଜର କୋଚିଂ ଷ୍ଟାଫକୁ ନେଇ ବଡ଼ ନିଷ୍ପତ୍ତି ନେଇଛି। ମହେଲା ଜୟବର୍ଦ୍ଧନେ ମୁଖ୍ୟ କୋଚ୍ ପଦରୁ ଅପସାରିତ ହେବା ପରେ ଏବେ ଦଳରୁ ଆଉ ତିନି କୋଚଙ୍କ ଛୁଟି ହୋଇଛି। ଏମଆଇ ଏବେ ଲସିଥ ମାଲିଙ୍ଗା, ପାରସ ମହାମ୍ବ୍ରେ ଓ କାର୍ଲ ହପକିନସନ ସହ ସଂପର୍କ ଛିନ୍ନ କରିଛି। ଫ୍ରାଞ୍ଚାଇଜ ଗୁରୁବାର ଏହାର ଘୋଷଣା କରିଛି। ସବୁଠୁ ଚର୍ଚ୍ଚାର ବିଷୟ ଲସିଥ ମାଲିଙ୍ଗାକୁ ନେଇ ରହିଛି। କାରଣ ମାଲିଙ୍ଗା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୧୧ ବର୍ଷ ଖେଳିବା ପରେ ୨୦୧୮ ସିଜିନରୁ ବୋଲିଂ ମେଣ୍ଟର ଭାବେ ସପୋର୍ଟ ଷ୍ଟାଫରେ ଥିଲେ। ପରବର୍ତ୍ତୀ ସମୟରେ ସେ ଦଳର ବୋଲିଂ ଦାୟିତ୍ଵ ନିର୍ବାହ କରୁଥିଲେ।

ମାଲିଙ୍ଗା ଅଭିନ୍ନ ଅଙ୍ଗ

ଫ୍ରାଞ୍ଚାଇଜ କହିଛି, ମାଲିଙ୍ଗା ମୁମ୍ଵାଇ ଇଣ୍ଡିଆନ୍ସ ପରିବାରର ଅଭିନ୍ନ ଅଙ୍ଗ। ଫ୍ରାଞ୍ଚାଇଜର ଇତିହାସରେ ସବୁଠୁ ପ୍ରତିଷ୍ଠିତ ବ୍ୟକ୍ତି ମଧ୍ୟରୁ ଜଣେ ହେଉଛନ୍ତି ମାଲିଙ୍ଗା। ଏମଆଇର ବୋଲିଂ ଆକ୍ରମଣର ନେତୃତ୍ଵ ନେଇ ଟିମକୁ ଚାରି ଥର ଚାମ୍ପିଅନ କରାଇବାରେ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୨୦୧୧ ଚାମ୍ପିଅନ୍ସ ଲିଗ୍ ଟି-୨୦ ବିଜୟରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାଠୁ ନେଇ ପରାମର୍ଶଦାତା କୋଚ୍ ଭାବେ ମୁମ୍ବାଇ ଇଣ୍ଡିଆନ୍ସରେ ତାଙ୍କର ଯାତ୍ରା ବାସ୍ତବରେ ସ୍ଵତନ୍ତ୍ର ରହିଛି। ତାଙ୍କର ଦଳ ପ୍ରତି ଉତ୍ସର୍ଗୀକୃତ, ପ୍ରତିଯୋଗିତାମୂଳକ ଭାବନା ଏବଂ ଦଳରେ ପ୍ରତିଟି ପିଢିର ଖେଳାଳିଙ୍କୁ ପ୍ରେରିତ କରିବ। ତାଙ୍କର ଅବଦାନ ସର୍ବଦା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପ୍ରେରଣା ସାଜିବ।

Also Read: Rohit Sharma: ‘ମୋତେ ୨୦୨୭ ବିଶ୍ଵକପ୍ ...’, ନିଜ ମନର କଥା କହି ଦେଲେ ହିଟମ୍ୟାନ, ଭିଡିଓ ଭାଇରାଲ୍

ମହାମ୍ବ୍ରେ ଓ ହପକିନସନ

ମହାମ୍ବ୍ରେ ଆଇପିଏଲ୍ ୨୦୨୫ ପୂର୍ବରୁ ସହାୟକ ବୋଲିଂ କୋଚ୍ ଭାବେ ଦଳରେ ସାମିଲ୍ ହୋଇଥିଲେ। ସେ ୨୦୨୪ରେ ଟି-୨୦ ବିଶ୍ଵକପ୍ ଜିତିଥିବା ଭାରତୀୟ ଦଳର ବୋଲିଂ କୋଚ୍ ଥିଲେ। ପୁଣି ୨୦୨୪ରେ ହପକିନସନ ମୁମ୍ବାଇର ଫିଲ୍ଡିଂ କୋଚ୍ ଦାୟିତ୍ଵ ଗ୍ରହଣ କରିଥିଲେ। ପାଞ୍ଚ ଥରର ଆଇପିଏଲ୍ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ନିଜ ବୟାନରେ କହିଛି ଯେ, ଲସିଥ ମାଲିଙ୍ଗା, ପାରସ ମହାମ୍ବ୍ରେ ଓ କାର୍ଲ ହପକିନସନ ଏବେ ପୁରୁଷ ଟିମର କୋଚିଂ ଷ୍ଟାଫର ସଦସ୍ୟ ନୁହନ୍ତି। ଦଳ ପ୍ରତି ସେମାନଙ୍କର ଯୋଗଦାନ, ସେବା ଓ ପ୍ରତିବଦ୍ଧତାକୁ ଧନ୍ୟବାଦ।

ନିକଟରେ ବଦଳିଥିଲେ କୋଚ୍

ସୂଚନାଯୋଗ୍ୟ, ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମହେଲା ଜୟବର୍ଦ୍ଧନେଙ୍କୁ ହେଡ୍ କୋଚ୍ ପଦରୁ ହଟାଇଥିଲା। ତାଙ୍କ ସ୍ଥାନରେ ଓ୍ଵେଷ୍ଟଇଣ୍ଡିଜର ପୂର୍ବତନ ଅଲରାଉଣ୍ଡର କିରେନ ପୋଲାର୍ଡଙ୍କୁ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ପୋଲାର୍ଡ ଗତ କିଛି ସିଜିନ ଦଳର ବ୍ୟାଟିଂ କୋଚ୍ ଥିଲେ। ସେ ୨୦୦୯ରୁ ୨୦୨୨ ପର୍ଯ୍ୟନ୍ତ ମୁମ୍ବାଇ ପାଇଁ ୧୮୯ଟି ମ୍ୟାଚ୍ ଖେଳିଛନ୍ତି। ଷ୍ଟ୍ରାଇକ ରେଟ୍ ୧୪୭.୩୨ ରହିଥିବା ବେଳେ ୩ ହଜାର ୪୧୨ ରନ କରିଛନ୍ତି। ବୋଲିଂରେ ୬୯ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ମୁମ୍ବାଇ ଆଇପିଏଲ୍ ଇତିହାସରେ ଯୁଗ୍ମ ଭାବେ ସବୁଠୁ ସଫଳ ଦଳ। ହେଲେ ୨୦୨୦ରେ ଶେଷ ଥର ଟାଇଟିଲ୍ ଜିତିଥିଲା ମୁମ୍ବାଇ ଇଣ୍ଡିଆନ୍ସ।

Also Read: ଚେନ୍ନାଇ ନୁହେଁ, ହାର୍ଦ୍ଦିକଙ୍କୁ କ୍ୟାପ୍ଟେନ୍ କରିବ ଏହି IPL ଟିମ୍ ! ସତ କହିଦେଲେ ଅଶ୍ୱିନ୍