ମୁମ୍ବାଇ: ବଲିଉଡ ଦୁଇ ଲୋକପ୍ରିୟ ଚେହେରା ସୋନୁ ନିଗମ ଓ ସୋନୁ ସୁଦ୍ । ଦୁହେଁ ନିଜ ନିଜ କାମ ଏବଂ ପ୍ରତିଭାକୁ ନେଇ ବେଶ ପରିଚିତ । ତେବେ ଆଜି ହେଉଛି ୨ ସୋନୁଙ୍କ ଜନ୍ମଦିନ । ଦୁହେଁ ନିଜ ନିଜ ଜନ୍ମଦିନ ପାଳନ କରୁଛନ୍ତି। ଜଣେ ନିଜ ସ୍ୱରର ଯାଦୁରେ ଦଶନ୍ଧି ଧରି ଦର୍ଶକଙ୍କ ହୃଦୟ ଜିତିଛନ୍ତି, ତ ଆଉ ଜଣେ ଅଭିନୟ ସହ ସାମାଜିକ ସେବା ପାଇଁ ଘରେ ଘରେ ପରିଚିତ। ଏହି ବିଶେଷ ଦିନରେ ଦୁହିଁଙ୍କୁ ଫ୍ୟାନ୍ସଙ୍କ ତରଫରୁ ଅନେକ ଶୁଭେଚ୍ଛା ମିଳିଛି । ଖାଲି ଏତିକି ନୁହେଁ କିଛି ଲୋକଙ୍କ ମନରେ ଗୋଟେ ପ୍ରଶ୍ନ ବି ରହିଛି ଯେ ଦୁଇ ‘ସୋନୁ’ଙ୍କ ମଧ୍ୟରୁ କିଏ ଅଧିକ ଧନୀ ?

ସୋନୁ ନିଗମ : ସଙ୍ଗୀତ ଜଗତର ତାରକା

ସୋନୁ ନିଗମ ଭାରତର ସବୁଠାରୁ ସଫଳ ପ୍ଲେବ୍ୟାକ୍ ସିଙ୍ଗରମାନଙ୍କ ମଧ୍ୟରୁ ଜଣେ। ‘ଅଚ୍ଛା ସିଲା ଦିଆ’, ‘କଲ୍ ହୋ ନା ହୋ’, ‘ଅଭି ମୁଝ୍ ମେ କହିଁ’ ଭଳି ଅନେକ ହିଟ୍ ଗୀତ ତାଙ୍କୁ ଆଜି ଘରେ ଘରେ ପରିଚିତ କରାଇଛି । ଗୀତ, ଲାଇଭ୍ କନ୍ସର୍ଟ, ମ୍ୟୁଜିକ୍ ଆଲବମ୍ ଓ ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟ ତାଙ୍କ ଆୟର ମୁଖ୍ୟ ଉତ୍ସ। କିଛି ମିଡିଆ ରିପୋର୍ଟ ଅନୁସାରେ ସୋନୁ ନିଗମଙ୍କ ଆନୁମାନିକ ସମ୍ପତ୍ତି ପ୍ରାୟ ୩୫୦-୪୦୦ କୋଟି ଟଙ୍କା ମଧ୍ୟରେ ରହିଥିବା କୁହାଯାଏ। ତେବେ ଏହି ଆକଳନ ସ୍ପଷ୍ଟ ପ୍ରମାଣିତ ନୁହେଁ ।

ସୋନୁ ସୁଦ୍: ଅଭିନେତାରୁ ମାନବସେବୀ ପର୍ଯ୍ୟନ୍ତ

ସୋନୁ ସୁଦ୍ ହିନ୍ଦୀ, ତାମିଲ ଓ ତେଲୁଗୁ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନରେ ରାଜ କରିଛନ୍ତି । ‘ଦବଙ୍ଗ’, ‘ସିଂହ ଇଜ୍ କିଙ୍ଗ୍’, ‘ଆରୁନ୍ଧତୀ’ ଭଳି ଫିଲ୍ମ ତାଙ୍କୁ ବେଶ ଲୋକପ୍ରିୟ କରିଥିଲା। କୋଭିଡ୍ ସମୟରେ ଲୋକଙ୍କୁ ସାହାଯ୍ୟ କରି ସେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିଥିଲେ। ରିପୋର୍ଟ ଅନୁସାରେ ସୋନୁ ସୁଦଙ୍କ ଆନୁମାନିକ ସମ୍ପତ୍ତି ପ୍ରାୟ ୯୦-୧୨୦ କୋଟି ଟଙ୍କା ମଧ୍ୟରେ ଥିବା କୁହାଯାଏ।

ତେବେ ଆକଳନ ଅନୁସାରେ ସୋନୁ ନିଗମଙ୍କ ସମ୍ପତ୍ତି ସୋନୁ ସୁଦଙ୍କ ତୁଳନାରେ ଅଧିକ ଥିବା ଦେଖାଯାଏ। ସଙ୍ଗୀତ କ୍ୟାରିୟରରେ ଦୀର୍ଘ ସମୟର ସଫଳତା, ଆନ୍ତର୍ଜାତୀୟ କନ୍ସର୍ଟ ଓ ବିଭିନ୍ନ ବ୍ୟବସାୟିକ ଆୟ ତାଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିଛି। କିନ୍ତୁ ଧନ-ସମ୍ପତ୍ତିର ତୁଳନାରେ ଦୁଇ ଜଣଙ୍କ ଅବଦାନ ଭିନ୍ନ କ୍ଷେତ୍ରରେ ପ୍ରାୟତଃ ସମାନ ରହିଛି । ସୋନୁ ନିଗମ ସଙ୍ଗୀତ ମାଧ୍ୟମରେ ଓ ସୋନୁ ସୁଦ୍ ମାନବସେବା ମାଧ୍ୟମରେ ଲୋକଙ୍କ ମନରେ ବିଶେଷ ସ୍ଥାନ ତିଆରି କରିଛନ୍ତି। ତେବେ ଦୁହିଁଙ୍କୁ ଆଜି ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି ।