ବେଙ୍ଗାଲୁରୁ: ଉତ୍ତର କର୍ଣ୍ଣାଟକର ବିଜୟପୁରା ସହରରୁ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିଜୟପୁରା ସହର ବାହାରେ ଥିବା ଭୂତାନାଲ ହ୍ରଦରୁ ବୁଧବାର ଜଣେ ମହିଳା ଓ ତାଙ୍କର ପାଞ୍ଚଟି ପିଲାଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ହୁଏତ ଏହା ଆତ୍ମହତ୍ୟା ମାମଲା ହୋଇଥାଇପାରେ। ତେବେ କେଉଁ କାରଣରୁ ମା ଓ ପିଲାମାନଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇ ପାରିନାହିଁ। ମୃତକମାନଙ୍କୁ ଶୋଭା ଜଲଗେରୀ ଓ ତାଙ୍କ ପିଲାମାନେ ବିଦ୍ୟା (୧୪), ସୁବର୍ଣ୍ଣ (୧୪), ଗୌଦେଶ (୧୦), ସାନିକା (୭) ଓ ବିକାଶ (୫) ଭାବେ ଚିହ୍ନଟ କରାଯାଇଛି।

ଏହି ପରିବାର ବିଜୟପୁରା ଜିଲ୍ଲା ଟିକୋଟା ତାଲୁକ ତୋରାଭି ଗାଁରେ ରହୁଥିଲେ। ବିଜୟପୁରା ପୋଲିସ ଅଧିକ୍ଷକ ଲକ୍ଷ୍ମଣ ନିବାର୍ଗୀ କହିଛନ୍ତି ଯେ ବୁଧବାର ସକାଳ ପାଖାପାଖି ୮ଟା ୪୫ରେ ଭୂତାନାଲ ହ୍ରଦରେ ୬ଟି ଶବ ଭାସୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ସୂଚନା ଅନୁସାରେ ପୋଲିସ ଏବଂ ଦମକଳବାହିନୀ ଘଟଣାସ୍ଥଳକୁ ପହଞ୍ଚି ହ୍ରଦରୁ ଶବ ଉଦ୍ଧାର କରିବା ସହ ଚିହ୍ନଟ କରିବାକୁ ଉଦ୍ୟମ କରିଥିଲେ। ପୋଲିସ ଅଧିକ୍ଷକ କହିଛନ୍ତି ଯେ ବିଜୟପୁରା ଗ୍ରାମୀଣ ପୋଲିସ ଷ୍ଟେସନରେ୬ ଜଣ ନିଖୋଜ ଥିବା ନେଇ ସୋମବାର ସନ୍ଧ୍ୟାରେ ଏତଲା ରୁଜୁ ହୋଇଥିଲା। ଏହି ଅଭିଯୋଗ ଶୋଭାଙ୍କ ସ୍ୱାମୀ ଭୀମ ରାୟ ରୁଜୁ କରିଥିଲେ।

ତଦନ୍ତରୁ ଜଣାପଡିଛି ଯେ ଅଗଷ୍ଟ ୨୪ ତାରିଖ ଦିନ ଭୀମ ରାୟଙ୍କ ସହ ଶୋଭାଙ୍କର ଝଗଡ଼ା ହୋଇଥିଲା ଓ ସେ କହିଥିଲେ ଯେ ନିଜର ୫ଜଣ ଛୁଆଙ୍କୁ ନେଇ ଘରୁ ଚାଲିଯିବେ ଓ ଜୀବନ ହାରିଦେବେ। ଏସପିଙ୍କ ସୂଚନା ଅନୁସାରେ ଶୋଭା ସକାଳ ୬ଟା ବେଳେ ଘରୁ ବାହାରି ଯାଇଥିଲା ଓ ଯିବାବେଳେ ସାଙ୍ଗରେ ୪ଟି ଛୁଆଙ୍କୁ ନେଇଥିଲା। ଏହା ପରେ ସେ ପୁଅ ପଢୁଥିବା ଆବାସିକ ସ୍କୁଲକୁ ଯାଇଥିଲା ଓ ସେଠାରୁ ତାକୁ ମଧ୍ୟ ସାଙ୍ଗରେ ନେଇଯାଇଥିଲା। ଅଭିଯୋଗ ଆଧାରରେ ପୋଲିସ ପରିବାରର ସନ୍ଧାନ ନେବାକୁ ଚେଷ୍ଟା କରିଥିଲା। ହେଲେ ସେମାନଙ୍କ ଲୋକେସନ ଜଣାପଡିନଥିଲା। କାରଣ ଶୋଭା ଘରେ ତାଙ୍କ ମୋବାଇଲ ଫୋନ ଛାଡି ଯାଇଥିଲେ।

ପୋଲିସ ଏହି ମାମଲାକୁ ଏବେ ସନ୍ଦିଗ୍ଧ ଆତ୍ମହତ୍ୟା ମାମଲା ଭାବି ଯାଞ୍ଚ କରୁଛି। ହେଲେ ସେମାନଙ୍କ ମୃତ୍ୟୁର ଅସଲ କାରଣ ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ। ଏସପି ନିବାର୍ଗୀ କହିଛନ୍ତି ଯେ ପ୍ରଥମ ନଜରରେ ଏହା ଆତ୍ମହତ୍ୟା ମାମଲା ଲାଗୁଛି। ତେବେ ମୃତ୍ୟୁର କାରଣ ଓ ଉପାୟ ପୋଷ୍ଟମର୍ଟମ ପରେ ଜଣାପଡିଯିବ। ପୋଲିସ ସନ୍ଦେହ କରୁଛି ଯେ ପାରିବାରିକ ଝଗଡା କାରଣରୁ ଏହି ଆତ୍ମହତ୍ୟା ଘଟଣା ଘଟିଥାଇପାରେ। ପ୍ରାରମ୍ଭିକ ସୂଚନାରୁ ଜଣାପଡୁଛି ଯେ ଶୋଭା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଶ୍ରାବଣ ସୋମବାର ପ୍ରସ୍ତୁତିକୁ ନେଇ ଝଗଡା ଆରମ୍ଭ ହୋଇଥିଲା।