ଲକ୍ଷ୍ନୌ, ୦୧/୦୯: ଉତ୍ତରପ୍ରଦେଶରେ ସୋମବାର ପ୍ରୟାଗରାଜ ଏବଂ କୌଶାମୀ ସୀମା ନିକଟରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ଏଥିରେ ୮ ପିଲାଙ୍କ ସମେତ ୧୧ଜଣ ପ୍ରାଣ ହରାଇଛନ୍ତି । ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରୟାଗରାଜ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ପୂରା କାରଖାନାଟି ମାଟିରେ ମିଶିଯାଇଛି। ସେଠାରୁ ୧୦୦ ମିଟର ଦୂରତାରେ ଥିବା ୮ଟି ଘର କ୍ଷତିଗ୍ରସ୍ତ ହୋ ହୋଇଛି। ସେଥିମଧ୍ୟରୁ ୩ଟି ଘର ଭୁଶୁଡ଼ି ପଡ଼ିଛି। ପୁଲିସ, ଏନଡିଆରଏଫ୍, ଏସଡିଆରଏଫ୍ ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି। ୧୦ଟି ବୁଲଡୋଜର ଦ୍ୱାରା ଧ୍ବଂସାବଶେଷକୁ ହଟଯାଉଛି।

ଧ୍ବଂସାବଶେଷ ତଳେ କିଛି ଲୋକ ଫସିଥିବା ନେଇ ଆଶଙ୍କା କରାଯାଉଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ। ସୋମବାର ଦିନ ପ୍ରାୟ ସାଢ଼ ୧୨ଟାରେ କୌଶମୀ ଜିଲ୍ଲାର ମହମ୍ମଦପୁର ଗାଁରେ ଏହି ବିସ୍ଫୋରଣ ଘଟିଥିଲା। ଏହି ଗାଁ ପ୍ରୟାଗରାଜ ସୀମାରେ ଅବସ୍ଥିତ। ଏଠାରୁ ମନୋରିସ୍ଥିତ ବାୟୁସେନା ଷ୍ଟେସନ୍ ପ୍ରାୟ ୨ କିମି। ଦୁର୍ଘଟଣା ସମୟରେ କାରଖାନରେ ୭ ଜଣ ଶ୍ରମିକ କାମ କରୁଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ପ୍ରାଣ ହରାଇଛନ୍ତି। ବାକି ୮ ଜଣ ମୃତକ ଆଖପାଖରେ ରହୁଥିଲେ। ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ିନାହିଁ। ତେବେ ଜଣେ ପ୍ରତ୍ୟକ୍ଷଦର୍ଶୀ ବିଦ୍ୟୁତ୍ ଖୁଣ୍ଟ ଖସି ପଡ଼ିବା ଯୋଗୁ ବାଣ କାରଖାନାରେ ରଖାଯାଇଥିବା ବାରୁଦରେ ଜୋରଦାର ବିସ୍ଫୋରଣ ଘଟିଥିବା ପ୍ରକାଶ କରିଛନ୍ତି ।

Also Read :- ଭାଙ୍ଗିବ ପ୍ରତାପ ଷଡ଼ଙ୍ଗୀଙ୍କ ଚାଳଘର, ତିଆରି ହେବ କୋଠା ! ଖୁବ୍ ଶୀଘ୍ର ନିର୍ମାଣ କାର୍ଯ୍ୟ

ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ପ୍ରାୟ ୨ କିମି ଯାଏ ତା'ର ଶବ୍ଦ ଶୁଭିଥିଲା। କିଛି ମିନିଟ୍ ମଧ୍ଯରେ ଧୂଆଁର କୁଣ୍ଡଳୀ ଚାରିଆଡ଼କୁ ଆଚ୍ଛାଦିତ କରିଦେଇଥିଲା। ଏହାପରେ ବାଣ କାରଖାନାର ମାଲିକ ଆଦିଲଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା ହୋଇଛି। ସେମାନଙ୍କୁ ଗିରଫ ଲାଗି ଏକ ୪ ଜଣିଆ ଟିମ୍ ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନଥ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଏଥିସହ ମୃତକଙ୍କ ପରିଜନଙ୍କୁ ୨ ଲକ୍ଷ ଲେଖାଏଁ ସହାୟତା ପ୍ରଦାନ ଲାଗି ସେ ଘୋଷଣା କରିଛନ୍ତି। ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ମିଳିବ ବୋଲି ସିଏମ୍ କହିଛନ୍ତି ।