ବାଲେଶ୍ୱର, ୦୧/୦୯: ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଚାଳଘରେ ସରଳ ଜୀବନ ଯାପନ କରିବା, ନିମ୍ବ ଦାନ୍ତକାଠି ଘଷିବା, ନଳକୂପ ଓ ପୋଖରୀରେ ଗାଧୋଇବାର ଭିଡିଓ, ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ଏହା ରାଜ୍ୟ ଓ ଜାତୀୟ ଗଣମାଧ୍ଯମ ଖବରର ଶିରୋନାମା ପାଲଟିଥିଲା। ଦେଶରେ ଚର୍ଚ୍ଚିତ ଚେହେରା ସାଜିଥିବା ବେଳେ ପରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସେ ସାମିଲ ହୋଇଥିଲେ। ଏବେ ତାଙ୍କ ଚାଳ ଘର ବଦଳରେ ନିର୍ମାଣ ହେବ କୋଠାଘର। ଏଭଳି ସୂଚନା ଦେଇଛନ୍ତି ବାଲେଶ୍ଵର ସାଂସଦ ତଥା ନୀଳଗିରି ବ୍ଳକ ଗୋପୀନାଥପୁର ନିବାସୀ ପ୍ରତାପ ଷଡ଼ଙ୍ଗୀ।

ସାକ୍ଷାତକାରରେ କହିଲେ

ପ୍ରମେୟ, ନିଉଜ-୭କୁ ସାକ୍ଷାତକାର ଦେବା ଅବସରରେ ବାଲେଶ୍ଵର ଜିଲ୍ଲାର ଅନେକ ସମସ୍ୟା ଓ ତାର ସମାଧାନ, ରାଜ୍ୟ ରାଜନୀତି ଓ କେନ୍ଦ୍ରର କିଛି ସମସ୍ୟା ନେଇ ପ୍ରଶ୍ନର ସାଂସଦ ଉତ୍ତର ରଖିଥିଲେ। ସୁବର୍ଣ୍ଣରେଖା ବନ୍ଦର ନିର୍ମାଣରେ ବନ ବିଭାଗର ଅସହଯୋଗ, ବନ୍ୟାପାଣି ନିଷ୍କାସନ ପାଇଁ ଚିଙ୍ଗୁଡ଼ି ଘେରି ଦାୟୀ, ବାଲେଶ୍ଵର ପ୍ରବେଶ ପଥ କୁରୁଡ଼ା ଠାରେ ଷ୍ଟ୍ରିଟ ଲାଇଟ୍ ନଜଳି ଅନ୍ଧାର ହେବା ଓ ବିଲ୍ ପେମେଣ୍ଟ ନେଇ ପଞ୍ଚାୟତ ସ୍ତରରେ ସମସ୍ୟା ଇଦ୍ୟାଦିର ଉତ୍ତର ରଖିଥିଲେ ସାଂସଦ।

Also Read :- ଥାଇଲାଣ୍ଡରୁ ମାଡ଼ି ଆସୁଛି ଘୂର୍ଣ୍ଣିବଳୟ ! ଓଡ଼ିଶାରେ ପ୍ରବଳ ବର୍ଷିବ, ୧୦ ତାରିଖରୁ ନିସ୍ତାର ନାହିଁ

ଏହାସହ ତାଙ୍କ ଚାଳଘର ରହିବ ନା ବଦଳିବ ସେନେଇ ପ୍ରତାପଙ୍କୁ ପ୍ରଶ୍ନ କରାଯାଇଥିଲା । ଏହି ପ୍ରଶ୍ନର ଉତ୍ତରରେ ସେ ଚଳିତ ବର୍ଷ କୋଠାଘର ନିର୍ମାଣ କରିବେ ବୋଲି କହିଥିଲେ। ଚାଳଘରେ ରହିବାକୁ ଇଛା ଥିଲେ ବି ସମ୍ପ୍ରତି ନଡ଼ା ମଜଭୁତ ନଥିବା କାରଣରୁ କୋଠାଘର ନିର୍ମାଣ ହେବ ବୋଲି କହିଛନ୍ତି। ତେବେ ଚାଳ ଛପର ଘରେ ସରଳ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ସାଂସଦ ଶ୍ରୀ ଷଡ଼ଙ୍ଗୀ ଏବେ କୋଠାଘର ନିର୍ମାଣ ସୂଚନା ଦେବା ପରେ ତାଙ୍କର ଜୀବନଶୈଳୀ ଉପରେ ପୁଣି ଆଉ ଏକ ଚର୍ଚ୍ଚା ଜୋର ଧରିଛି ।