ନୂଆଦିଲ୍ଲୀ, ୩୧। ୦୭ : ବିଜେପି ଛାଡିବେ କି ଶେହଜାଦ ପୁନାଓ୍ୱାଲା ? ଅନ୍ୟ ଦଳରେ ଯୋଗଦେବେ କି ? ଏବେ ସୋସିଆଲ ମିଡିଆରେ ବିଜେପି ମୁଖପାତ୍ର ଶେହଜାଦ ପୁନାଓ୍ୱାଲାଙ୍କୁ ନେଇ କିଛି ଏମିତି ଚର୍ଚ୍ଚା ହେଉଛି । ଏକ୍ସ ଆକାଉଣ୍ଟରେ ବାୟୋ ପରିବର୍ତ୍ତନ ଦଳ ଛାଡିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

ଶେହଜାଦଙ୍କ ଏକ୍ସ ବାୟୋରେ ଏବେ ଆଉ ବିଜେପି ଉଲ୍ଲେଖ ନାହିଁ । ଏଥିରେ ସମ୍ପ୍ରଦାୟ ମୁସଲିମ, ସଂସ୍କୃତି ହିନ୍ଦୁ ଏବଂ ବିଚାରଧାରା ଭାରତୀୟ ବୋଲି ଉଲ୍ଲେଖ ରହିଛି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜୀବନ ସମର୍ଥକ ବୋଲି ଲେଖାଯାଇଛି । କିନ୍ତୁ ଇନଷ୍ଟା ବାୟୋରେ ବିଜେପିର ମୁଖପାତ୍ର ଥିବା ସେ ଲେଖିଛନ୍ତି ।

ତେବେ ସେ ଦଳ ଛାଡିବେ ନା ନାହିଁ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ୨୦୧୭ ମସିହାରେ ପୁନାଓ୍ୱାଲା ବିଜେପିରେ ସାମିଲ ହୋଇଥିଲେ । ୨୦୨୧ରେ ବିଜେପି ପକ୍ଷରୁ ତାଙ୍କୁ ଦିଲ୍ଲୀର ସୋସିଆଲ ମିଡିଆ ଟିମ୍ ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଥିଲା ।

Also Read :- ହଠାତ ଭୁଶୁଡି ପଡି଼ଲା ୪ ମହଲା କୋଠା, ଫସି ରହିଛନ୍ତି ୧୦ରୁ ଅଧିକ ବ୍ୟକ୍ତି

ଦୀର୍ଘଦିନ ହେବ ସେ ପ୍ରଧାନମନ୍ତ୍ରୀ ଏବଂ ବିଜେପିର ସମର୍ଥକ ରହି ଆସିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ଦଳ ପାଇଁ ସେ ଜାତୀୟ ଟେଲିଭିଜନରେ ମତ ରଖନ୍ତି । କଂଗ୍ରେସ ତଥା ଅନ୍ୟ ବିରୋଧୀ ଦଳଙ୍କୁ ସେ ଲଗାତାର ଟାର୍ଗେଟ୍ କରନ୍ତି । ତାଙ୍କ ବଡ଼ ଭାଇ ତେହସିନ୍ ପୁନାଓ୍ୱାଲା ମଧ୍ୟ ରାଜନୈତିକ ବିଶ୍ଲେଷକ ଭାବେ ଅନେକ ଟିଭି ବିତର୍କରେ ଭାଗନେଇଥାନ୍ତି । ସେ ବିଜେପିର କଟ୍ଟର ବିରୋଧୀ ଭାବେ ଜଣାଶୁଣା । ଅନେକ ସମୟରେ ଦୁଇ ଭାଇ ଟିଭି ବିତର୍କରେ ମୁହାଁମୁହିଁ ହୋଇଛନ୍ତି । ପୂର୍ବରୁ ଦୁଇ ଭାଇଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିଲା । ପରେ କିନ୍ତୁ ଶେହଜାଦ ବିଜେପିରେ ମିଶିଲା ପରେ ସମ୍ପର୍କ ଆଗଭଳି ନାହିଁ । ଯଦି ଶେହଜାଦ ବିଜେପି ଛାଡି ଅନ୍ୟ କେଉଁ ଦଳକୁ ଯାଆନ୍ତି ତାହାଲେ ଦୁଇ ଭାଇଙ୍କ ବର୍ତ୍ତମାନର ସମ୍ପର୍କରେ ସୁଧାର ଆସିପାରେ ବୋଲି ନେଟିଜେନ୍ସ ମତ ଦେଉଛନ୍ତି ।