ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରିଛି ବିଜେପି। ଗତ ୨୨ ବର୍ଷରେ ରାହୁଲଙ୍କ ବିଦେଶ ଯାତ୍ରାକୁ ନେଇ ପ୍ରଶ୍ନ ଉଠାଇଛି, ଅଭିଯୋଗ କରିଛି ଯେ ତାଙ୍କ ଘୋଷିତ ଆୟ ଓ ବିଦେଶ ଯାତ୍ରାରେ ହୋଇଥିବା ଖର୍ଚ୍ଚ ମଧ୍ୟରେ ବେଶ୍ ଅନ୍ତର ରହିଛି। ବିଜେପି ଦାବି କରିଛି ଯେ ଗାନ୍ଧି ଲଣ୍ଡନ, ନ୍ୟୁୟର୍କ, ଇଟାଲୀ, ଜର୍ମାନୀ, କତାର, ଭିଏତନାମ, କମ୍ବୋଡିଆ, ମାଲଦ୍ୱୀପ ଓ ଦୁବାଇ ସମେତ ଅନେକ ସ୍ଥାନକୁ ୫୪ ପ୍ରମାଣିତ ଯାତ୍ରା କରିଛନ୍ତି। ଏହା ଛଡା ସେ ଓମାନକୁ ଏକ ଗୋପନ ଯାତ୍ରା ମଧ୍ୟ କରିଛନ୍ତି।

ଶାସକ ଦଳ ଅଭିଯୋଗ କରିଛି ଯେ ଏହି ସବୁ ଯାତ୍ରାରେ ମୋଟ ଆନୁମାନିକ ଖର୍ଚ୍ଚ ୬୦ କୋଟି ଟଙ୍କା ହୋଇପାରେ, ଯେଉଁଥିରେ ପ୍ରଥମ ଶ୍ରେଣୀ ଯାତ୍ରା, ପ୍ରାଇଭେଟ ଜେଟ୍, ପଞ୍ଚତାରକା ହୋଟେଲ ରହଣୀ ଓ ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିଛି। ବିଜେପି କହିଛି ଯେ ପିଛିଲା ୧ ଦଶନ୍ଧୀରେ ଗାନ୍ଧିଙ୍କ ଘୋଷିତ ଆୟ ପାଖାପାଖି ୧୧ କୋଟି ଟଙ୍କା ଥିଲା। ଏଣୁ ଗାନ୍ଧିଙ୍କ ବିଶ୍ୱ ଭ୍ରମଣ ବାବଦ ଖର୍ଚ୍ଚ କିଏ କରୁଛି ବୋଲି ବିଜେପି ପ୍ରଶ୍ନ ଉଠାଇଛି।

ରାହୁଲଙ୍କ କର, ଏଫସିଆରଏ ଓ ଘୋଷଣାକୁ ନେଇ ପ୍ରଶ୍ନ କରିଛି ବିଜେପି
ବିଜେପି ରାହୁଲ ଗାନ୍ଧିଙ୍କ ବିଦେଶ ଯାତ୍ରାରେ ବ୍ୟୟ ହୋଇଥିବା ଧନର ସ୍ରୋତକୁ ନେଇ ପ୍ରଶ୍ନ କରିଛି ଓ ତାଙ୍କ ଉପରେ ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ (ଏଫସିଆରଏ) ଓ ଆୟକର ଆଇନରେ ସମ୍ଭାବିତ ଉଲ୍ଲଂଘନର ଆରୋପ ଲଗାଇଛି। ଏହା ଛଡା ବିଜେପି ରାହୁଲ ଗାନ୍ଧିଙ୍କ ଆୟକର ରିଟର୍ଣ୍ଣ, ଲୋକପାଳ ଘୋଷଣା ଅଥବା ସମ୍ପତ୍ତି ଘୋଷଣାରେ କେଉଁଠାରେ ବି ତାଙ୍କ ଯାତ୍ରା ବ୍ୟୟର ଉଲ୍ଲେଖ ନଥିବା ଅଭିଯୋଗ କରିଛି। ସେହିପରି ବ୍ୟାଙ୍କ ଷ୍ଟେଟମେଣ୍ଟ, ବିଦେଶୀ ମୁଦ୍ରା ରେକର୍ଡ ଓ ବ୍ୟୟ ବିବରଣୀର ଅନୁପସ୍ଥିତିକୁ ନେଇ ମଧ୍ୟ ପ୍ରଶ୍ନ କରିଛି।

ସ୍ପଷ୍ଟିକରଣ ଦାବି କରିଛନ୍ତି ବିଜେପି ନେତା
କେନ୍ଦ୍ରମନ୍ତ୍ରୀ କିରେଣ ରିଜିଜୁ ଏପରି ଅଭିଯୋଗକୁ ଗୁରୁତର ବୋଲି କହିଛନ୍ତି ଓ ରାହୁଲ ଗାନ୍ଧି ତାଙ୍କ ବିଦେଶ ଯାତ୍ରାର ବିବରଣୀ ସମ୍ପର୍କିତ ଅଧିକାରୀଙ୍କୁ ଦିଅନ୍ତୁ ବୋଲି ଦାବି କରିଛନ୍ତି। ସେ କହିଛନ୍ତି ଯେ ରାହୁଲ ଗାନ୍ଧି ଓ କଂଗ୍ରେସ ପାର୍ଟିକୁ ଅନୁରୋଧ କରୁଛି ଦୟାକରି ନିୟମ ପାଳନ କରନ୍ତୁ ଓ ଆବଶ୍ୟକୀୟ ସୂଚନା ଦିଅନ୍ତୁ। ସେ କହିଛନ୍ତି ଯେ ସାଂସଦଙ୍କ ବିଦେଶ ଯାତ୍ରା ସମ୍ପର୍କରେ ଲୋକସଭା ଅଥବା ରାଜ୍ୟସଭା ସଚିବାଳୟ ସହିତ ଗୃହମନ୍ତ୍ରାଳୟ ଓ ବିଦେଶ ମନ୍ତ୍ରାଳୟ କୁ ସୂଚିତ କରିବା ଆବଶ୍ୟକ। ବିଶେଷ କରି ଯେତେବେଳେ ବିଦେଶୀ ଆତିଥ୍ୟ ସ୍ୱୀକାର କରନ୍ତି।

ଅଭିଯୋଗକୁ ଅଗ୍ରାହ୍ୟ କରିଛି କଂଗ୍ରେସ
ଏଥି ମଧ୍ୟରେ କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ଏଆଇ ଭିଡିଓ ସେୟାର କରି ତାଙ୍କ ବିଦେଶ ଯାତ୍ରାଗୁଡିକ ଉପରେ ପ୍ରଶ୍ନ ଉଠାଇଛି। ତେବେ ଏହା ପୂର୍ବରୁ ବିଜେପିର ଅଭିଯୋଗକୁ କଂଗ୍ରେସ ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ କହି ଖାରଜ କରିଦେଇଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ବିଜେପି ଏବେକା ଆର୍ଥିକ ଓ ବିଦେଶ ନୀତି ପ୍ରସଙ୍ଗରୁ ଦେଶବାସୀଙ୍କ ଧ୍ୟାନ ହଟାଇବାକୁ ଉଦ୍ୟମ କରୁଛି। ସେହିପରି ଆଉ ଜଣେ କଂଗ୍ରେସ ନେତା ମଣିକମ ଟାଗୋର ବିଜେପି ବେକାରୀ, ମୁଦ୍ରାସ୍ଫୀତି ଓ ସୀମା ସମ୍ପର୍କିତ ଚିନ୍ତା ଦୂର କରିବା ବଦଳେ ବଦନାମୀ ଅଭିଯାନ ଚଳାଇଥିବାର ଅଭିଯୋଗ କରିଛନ୍ତି।