ନୂଆଦିଲ୍ଲୀ, ୧୩/୧୦ : ସୁନା ରଖିବାରେ ବିଶ୍ବର ପଞ୍ଚମ ବୃହତ୍ ରାଷ୍ଟ୍ର ପାଲଟିଛି ଚୀନ୍। ରୁଷକୁ ପଛରେ ପକାଇ ଡ୍ରାଗନ ଏହି ମାନ୍ୟତା ହାସଲ କରିଛି। ଚୀନ୍ ଆଗରେ ଏବେ କେବଳ ଆମେରିକା, ଜର୍ମାନୀ, ଇଟାଲି ଏବଂ ଫ୍ରାନ୍ସ ରହିଛନ୍ତି।

ଫାଇନାନସିଆଲ ପ୍ଲାଟ୍ ଫର୍ମ ‘ଦ କୋବେସୀ ଲେଟର ଅନୁସାରେ, ଚୀନ୍ ପାଖରେ ଏବେ ୨,୪୧୦ ଟନର ସୁନା ଭଣ୍ଡାର ରହିଛି । ଯେଉଁଭଳି ଭାବେ ଏହା ନିଜର ଭଣ୍ଡାର ଭରିଚାଲିଛି ବିଶ୍ୱର ଶ୍ରେଷ୍ଠ-୩ ରାଷ୍ଟ୍ର ମଧ୍ୟରେ ସାମିଲ ହେବାକୁ ଏହାକୁ ଅଧିକ ସମୟ ଲାଗିବ ନାହିଁ।

Also Read :- ମାରିଦେବ ହୁତି ! ଭୟରେ ବଙ୍କରରେ ଲୁଚିଛନ୍ତି ସାଉଦି ଯୁବରାଜ, ବାହାରକୁ ବାହାରିଲେ ବିପଦ

ଫ୍ରାନ୍ସ ପାଖରେ ୨, ୪୩୭ ଟନ ଏବଂ ଇଟାଲୀ ପାଖରେ ୨,୪୫୨ ଟନ ସୁନା ରହିଛି। ଅର୍ଥାତ୍ ଚୀନ୍ ଫ୍ରାନ୍ସଠାରୁ ମାତ୍ର ୨୭ ଟନ ଏବଂ ଇଟାଲୀଠାରୁ ମାତ୍ର ୪୨ ଟନ ପଛୁଆ ଅଛି। ସେହିଭଳି ଭାରତ ଏହି ତାଲିକାରେ ଅଷ୍ଟମ ସ୍ଥାନରେ ଅଛି। ଏହା ପାଖରେ ଚୀନଠାରୁ ପ୍ରାୟ ୩ ଗୁଣା କମ୍ ସୁନା ରହିଛି।

ଚୀନର କେନ୍ଦ୍ରୀୟ ବ୍ୟାଙ୍କ୍ ଅର୍ଥାତ୍ ପିପୁଲ୍ସ ବ୍ୟାଙ୍କ୍ ଅଫ୍ ଚାଇନା ଲଗାତର ସୁନା କିଣୁଛି। ଯଦି ଏହି ଧାରା ଜାରି ରୁହେ ତେବେ ଏ ବର୍ଷ ଶେଷ ସୁଦ୍ଧା ଫ୍ରାନ୍ସ ଏବଂ ଇଟାଲୀକୁ ବି ପଛରେ ପକାଇ ଚୀନ ତୃତୀୟ ସ୍ଥାନରେ ପହଞ୍ଚିଯିବ। ଚୀନ୍ ଗତ ୨୩ ମାସରୁ ଲଗାତର ସୁନା କିଣୁଛି। ଏ ବର୍ଷ କେବଳ ସେପ୍ଟେମ୍ବର ମାସରେ ଏହା ୨୩ ଟନରୁ ଅଧିକ ସୁନା କିଣିଛି, ଯାହା ଗତ ବର୍ଷକ ମଧ୍ୟରେ କୌଣସି ଏକ ମାସରେ ସର୍ବବୃହତ୍ କ୍ରୟ। ଏହା ପୂର୍ବରୁ ଜୁଲାଇ ଏବଂ ଅଗଷ୍ଟରେ ଏହା ପ୍ରତି ମାସ ୨୦-୨୦ ଟନରୁ ଅଧିକ ସୁନା ଏହାର ଭଣ୍ଡାରରେ ଜମା କରିଥିଲା। ଏ ବର୍ଷ ସେପ୍ଟେମ୍ବର ସୁଦ୍ଧା ଚୀନ୍ ମୋଟ ୧୦୩ ଟନରୁ ଅଧିକ ସୁନା କିଣିଛି।

ବିଶ୍ୱବ୍ୟାପୀ ବଜାରଗୁଡ଼ିକରେ ସୁନା ଏବଂ ରୁପା ଦରରେ ପୁଣି ଥରେ ବୃଦ୍ଧି ଦେଖିବାକୁ ମିଳିଛି। ବ୍ଲୁମ୍ବର୍ଗ ଅନୁସାରେ, ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦର ବଢ଼ି ଆଉନ୍ସ ପିଛା ପାଖାପାଖି ୪,୨୦୭ ଡଲାରରେ ପହଞ୍ଚିଛି। ଅନ୍ୟପକ୍ଷରେ, ରୁପା ଆଉନ୍ସ ପିଛା ୬୧.୧୨ ଡଲାର ଛୁଇଁଛି ।