କଟକ ୧୨।୫: ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଯାଇଛି ବୋଲି ଅଭିଯୋଗ କରିଛି ବିଜୁ ଜନତା ଦଳ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ବିଜେପି ଦଳ କ୍ଷମତାସୀନ ହେବା ପରଠାରୁ ସର୍ବସାଧାରଣରେ ପୋଲିସ କର୍ମୀଙ୍କ ସହ ନିରୀହ ଲୋକଙ୍କୁ ହତ୍ୟା, ରାହାଜାନୀ, ଅରାଜକତା, ବର୍ବରତା, ଧର୍ଷଣ ଓ ଲୁଣ୍ଠନ ଆଦି ଘଟଣା ବହୁମାତ୍ରାରେ ବୃଦ୍ଧି ପାଇଛି । ଯେଉଁଭଳି ଭାବେ ବାଲିଅନ୍ତା ଠାରେ ସୌମ୍ୟ ରଞ୍ଜନଙ୍କୁ ଦିନ ଦ୍ବିପ୍ରହରରେ ପୋଲିସ ଉପସ୍ଥିତିରେ ପିଟି ପିଟି ମାରିଦିଆଗଲା, ନୟାଗଡ଼ରେ ମାଫିଆମାନେ ଜଣକୁ ହତ୍ୟା କଲେ ଏଥିରୁ ସ୍ପଷ୍ଟ ଜଣାପଡୁଛି ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ିଯାଇଛି । ଏଭଳି ଅମାନୁଷିକ ଘଟଣା ମାନଙ୍କ ଉପରେ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ବିଜେପି ସରକାରଙ୍କ ଏକ ପ୍ରକାର ସ୍ଥାଣୁତା ଓ ଅପାରଗତା ସଭ୍ୟ ସମାଜକୁ ଚକିତ ଓ ବିଚଳିତ କରୁଛି ବୋଲି ବିଜେଡି ଉପସଭାପତି ପ୍ରତାପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ବଡ଼ ଅଭିଯୋଗ ଆଣିଛନ୍ତି । ହେଲେ ବଡ଼ ଦୁଃଖ ଓ ପରିତାପର କଥା ଯେ ଶାନ୍ତିପୂର୍ଣ୍ଣ ରାଜ୍ୟ ଓଡ଼ିଶା ଆଜି ଭାରତର ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ.ସି.ଆର.ବି) ତାଲିକାରେ ଏକ ନମ୍ବର ସ୍ଥାନ ଅଧିକାର କରିଛି । ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟର ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେଡି ଆସନ୍ତା ୧୪ ତାରିଖ ଦିନ କଟକ ଜିଲ୍ଲା ବିଜେଡି ପକ୍ଷରୁ ଡିଜିଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବ ଏବଂ ପୋଲିସ ଡିଜିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ । ତୁରନ୍ତ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିଜେଡି ରାଜ୍ୟବ୍ୟାପୀ ରାସ୍ତାକୁ ଓହ୍ଲାଇବ ବୋଲି ପ୍ରେସମିଟରେ ବିଜେଡି ନେତା ସୂଚନା ଦେଇଛନ୍ତି ।