ବଲିଉଡ୍ର ଗ୍ଲାମରସ୍ ଦୁନିଆ… ଗୋଟିଏ ମଞ୍ଚରେ ଅନେକ ଷ୍ଟାର୍, ଆଉ ଏହାରି ଭିତରେ ଏମିତି ଏକ ମୁହୂର୍ତ୍ତ, ଯାହା ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଛି। IIFA ଆୱାର୍ଡକୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଏକାଠି ନଜର ଆସିଛନ୍ତି ଶାହିଦ କପୁର ଓ କରିନା କପୁର ଖାନ୍। ଦିନେ ପରଦାରେ ଯେଉଁ ଯୋଡ଼ିଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ଦିୱାନା କରିଥିଲା, ଆଜି ସେହି ଦୁଇ ତାରକାଙ୍କ ଆଲିଙ୍ଗନକୁ ନେଇ ଚର୍ଚ୍ଚା ଜୋର୍। ଉଭୟଙ୍କୁ ଏକାଠି ଦେଖି ପରେ ଫ୍ୟାନ୍ସଙ୍କୁ ମନେ ପଡ଼ିଯାଇଛି ସୁପରହିଟ୍ ଫିଲ୍ମ ‘ଜବ୍ ୱି ମେଟ୍’ର ଗୀତ ଓ ଆଦିତ୍ୟଙ୍କ କାହାଣୀ।

ଶାହିଦ-କରିନାଙ୍କ ଆଲିଙ୍ଗନ,ଚର୍ଚ୍ଚାରେ ପୁରୁଣା ଯୋଡ଼ି

IIFA ଆୱାର୍ଡର ୨୭ତମ ସଂସ୍କରଣକୁ ନେଇ ମୁମ୍ବାଇରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବଲିଉଡ୍ ତାରକାଙ୍କ ଜମିଥିଲା ଭିଡ଼। ସଲମାନ ଖାନଙ୍କ ଠାରୁ ଆରମ୍ଭ କରି ଶାହିଦ କପୁର, ବରୁଣ ଧାୱନ, କରିନା କପୁର ଖାନ୍ ଓ ରଶ୍ମିକା ମନ୍ଦନ୍ନାଙ୍କ ପର୍ଯ୍ୟନ୍ତ, ସମସ୍ତେ ନିଜ ନିଜ ଷ୍ଟାଇଲିଶ୍ ଅନ୍ଦାଜରେ ଆକର୍ଷଣର କେନ୍ଦ୍ର ପାଲଟିଥିଲେ।

ଶାହିଦ କପୁରଙ୍କ ଅଲ୍ ହ୍ୱାଇଟ୍ ଲୁକ୍ ହେଉ କି ବରୁଣ ଧାୱନଙ୍କ ଷ୍ଟାଇଲିଶ୍ ଅନ୍ଦାଜ୍, କିମ୍ବା କରିନା ଓ ରଶ୍ମିକାଙ୍କ ଗ୍ଲାମରସ୍ ଲୁକ୍-ପ୍ରତିଟି ଝଲକ ସୋସିଆଲ୍ ମିଡିଆରେ ଚର୍ଚ୍ଚା ସାଉଁଟିଥିଲା। ହେଲେ ଏହି ଇଭେଣ୍ଟର ସବୁଠାରୁ ଚର୍ଚ୍ଚିତ ମୁହୂର୍ତ୍ତ ପାଲଟିଛି ଶାହିଦ ଓ କରିନାଙ୍କ ସାକ୍ଷାତ୍। ସେୟାର ହୋଇଥିବା ଏକ ଭିଡିଓରେ ଶାହିଦ କପୁର ଓ କରିନା କପୁର ଖାନ୍ ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। ଆଲିଙ୍ଗନ କରିବା ପୂର୍ବରୁ ଉଭୟଙ୍କ ମଧ୍ୟରେ କିଛି କଥାବାର୍ତ୍ତା ହେଉଥିବା ସହ ମୁହଁରେ ହସ ମଧ୍ୟ ନଜର ଆସିଛି। ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ଫ୍ୟାନ୍ସଙ୍କୁ ମନେ ପଡ଼ିଯାଇଛି ‘ଜବ୍ ୱି ମେଟ୍’ର ସେହି ରୋମାଣ୍ଟିକ୍ ଯୋଡ଼ି। ଆଜି ବାସ୍ତବ ଜୀବନରେ ଉଭୟ ନିଜ ନିଜ ସଂସାରରେ ବ୍ୟସ୍ତ ଥିଲେ ମଧ୍ୟ, ସେମାନଙ୍କୁ ଏକାଠି ଦେଖିବା ଫ୍ୟାନ୍ସଙ୍କ ପାଇଁ ଏକ ଭିନ୍ନ ଅନୁଭୂତି ଆଣିଛି।

ଏକ ସମୟରେ ଶାହିଦ କପୁର ଓ କରିନା କପୁରଙ୍କ ପ୍ରେମ ସମ୍ପର୍କ ବଲିଉଡ୍ରେ ବେଶ୍ ଚର୍ଚ୍ଚିତ ଥିଲା। ଉଭୟ ଏକାଠି ଅନେକ ଫିଲ୍ମରେ କାମ କରିବା ସହ ନିଜ ଯୋଡ଼ି ପାଇଁ ଦର୍ଶକଙ୍କ ଭଲପାଇବା ପାଇଥିଲେ। କିନ୍ତୁ ସମୟ ସହ ଉଭୟଙ୍କ ରାସ୍ତା ଅଲଗା ହୋଇଯାଇଥିଲା। ଆଜି ଶାହିଦ କପୁର ମୀରା ରାଜପୁତଙ୍କ ସହ ବୈବାହିକ ଜୀବନ ବିତାଉଥିବା ବେଳେ, କରିନା କପୁର ଖାନ୍ ସୈଫ ଅଲି ଖାନ୍ଙ୍କ ସହ ନିଜ ପରିବାରରେ ବ୍ୟସ୍ତ। ଏପରି ସ୍ଥିତିରେ ଉଭୟଙ୍କ ଏହି ସହଜ ଓ ହସଖୁସିର ମୁହୂର୍ତ୍ତ ଦର୍ଶାଉଛି ଯେ ପୁରୁଣା ସମ୍ପର୍କ ପରେ ମଧ୍ୟ ପରସ୍ପରକୁ ସମ୍ମାନ ଦେବା କେତେ ଗୁରୁତ୍ୱପୂର୍ଣ୍ଣ।