ନୟାଗଡ଼ ୧୨।୫: ନୟାଗଡ଼ ଗଣିଆ ଥାନା ଅଞ୍ଚଳରେ ବାଲିସାହି ଏରୁଣ୍ଡିପଥର ରାସ୍ତାକଡ଼ରୁ ସୋମବାର ସନ୍ଧ୍ୟାରେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା । ରାତିରେ ମୃତକଙ୍କ ପରିଚୟ ମିଳିଥିଲା । ମୃତକ ହେଲେ ଖଣ୍ଡପଡ଼ା ଥାନା କନ୍ଧମିରିଗି ଗାଁର ସଞ୍ଜୟ ପ୍ରଧାନ । ପାରିପାର୍ଶ୍ବିକ ଅବସ୍ଥାରୁ ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଇଥିଲା ।

ଭୁବନେଶ୍ବରରେ କାଠକାମ କରୁଥିବା ସଞ୍ଜୟ ଭୁବନେଶ୍ଵରରୁ ଗାଁକୁ ଫେରୁଥିବା ପରିବାର ଲୋକଙ୍କୁ ସେ ଜଣାଇଥିଲେ । ତେବେ ସଞ୍ଜୟଙ୍କ ଷ୍ଟାଟସ୍‌ରେ ରହିଥିବା ଗୀତରୁ ମୃତ୍ୟୁର କାରଣକୁ ନେଇ ସନ୍ଦେହ ସୃଷ୍ଟି କରିଛି । ଆଜି ରାତି ଗଲେ ପାହି ଜଳିବ ମୋ ଜୁଇ.. ଏହି ଗୀତକୁ ସେ ନିଜ ଷ୍ଟାଟସ୍‌ରେ ଅପଲୋଡ୍ କରିଛନ୍ତି । ସନ୍ଧ୍ୟାରେ ଗଣିଆ ଥାନା ବାଲିସାହି ଏରୁଣ୍ଡିପଥର ରାସ୍ତା କଡ଼ରେ ଏକ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବା ସ୍ଥାନୀୟ ଲୋକମାନେ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ମଙ୍ଗଳବାର ସକାଳୁ ସାଇଣ୍ଟିଫିକ୍ ଟିମ୍ ଏବଂ ଡଗ୍ ସ୍କ୍ବାଡ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଗଣିଆ ଥାନା ଅଧିକାରୀ ଏବଂ ଖଣ୍ଡପଡା ଏସଡିପିଓ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ।

Also Read:- Dead Body Carried On Cycle: ସାଇକେଲରେ ଭଉଣୀର ମୃତଦେହ ବୋହିଲା ଭାଇ, ଘର ଛାତପକାକୁ କେନ୍ଦ୍ରକରି ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ସଞ୍ଜୟଙ୍କର ବାଲିସାହିର ଜଣେ ବିବାହିତ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା । ଇନଷ୍ଟାଗ୍ରାମରୁ ସମ୍ପୃକ୍ତ ମହିଳାଙ୍କ ସହ ଦୁଇ ବର୍ଷ ତଳୁ ସଞ୍ଜୟଙ୍କର ସମ୍ପର୍କ ରହିଥିଲା । ଏପରିକି ମହିଳା ଜଣଙ୍କ ନିଜ ପରିବାର ଛାଡି ଭୁବନେଶ୍ବରରେ ରହୁଥିବା ସଞ୍ଜୟଙ୍କ ପାଖରେ ୧୫ ଦିନ ରହିଥିଲେ ବୋଲି ସଞ୍ଜୟଙ୍କ ମାଉସୀ କହିଛନ୍ତି । ପୋଲିସରେ ଏ ସମ୍ପର୍କରେ ଜଣାଇବାକୁ କହିବା ପରେ ମହିଳା ଜଣକ ସ୍ବାମୀଙ୍କୁ ଡାକି ଫେରିଆସିଥିଲେ । ମହିଳାଙ୍କ ସ୍ବାମୀ ସଞ୍ଜୟଙ୍କୁ ମାରିଦେବାକୁ ଧମକ ଦେଇଥିଲେ ବୋଲି ମାଉସୀ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ମହିଳା ତାଙ୍କ ସ୍ବାମୀ ଏବଂ ପରିବାର ଲୋକ ମିଶି ସଞ୍ଜୟଙ୍କୁ ଡାକି ଏଠାରେ ହତ୍ୟା କରିଛନ୍ତି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।

ମହିଳା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଗିରଫ କରିବା ସହ ସଞ୍ଜୟଙ୍କର ମୋବାଇଲ ଫୋନ୍ ଉଦ୍ଧାର କରିବାକୁ ଦାବିକରି ଉତ୍ତ୍ୟକ୍ତ ଲୋକମାନେ ପୋଷ୍ଟମର୍ଟମ ପାଇଁ  ମୃତଦେହକୁ ନଛାଡ଼ି ଗଣିଆ-କଣ୍ଟିଲୋ ରାସ୍ତାକୁ ଅବରୋଧ କରିଛନ୍ତି । ପରିବାର ଲୋକ ଏବଂ ସ୍ଥାନୀୟବାସିନ୍ଦା ନ୍ୟାୟ ଦାବି କରିଥିବା ବେଳେ ସବୁ ଦିଗକୁ ନେଇ ତଦନ୍ତ ଚାଲିଛି ବୋଲି ଏସଡିପିଓ କହିଛନ୍ତି ।