ବଲାଙ୍ଗିର: ଗୁରୁବାର ଛାତ୍ର ସଂସଦ ନିର୍ବାଚନ । ହେଲେ ଏହା ପୂର୍ବରୁ ବଲାଙ୍ଗିର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ମଙ୍ଗଳବାର ବିସିଜେଡି ସର୍କିଟ ହାଉସକୁ ଯାଇ ଏବିଭିପି ଛାତ୍ରମାନଙ୍କୁ ଦୁର୍ବ୍ୟବହାର କରିଥିବା ଏବିଭିପି ଅଭିଯୋଗ କରିଥିଲା। ଏହ ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଦୁର୍ବ୍ୟବହାର କରିବା ଏବଂ ତାଙ୍କୁ ମାଡ଼ ମାରିବାକୁ ଧମକ ଦେବା ଏବଂ ବିସିଜେଡି ସଭାପତି ଓ କିଛି ସହଯୋଗୀ କଲେଜ ଛାତ୍ରଙ୍କୁ ଅପହରଣ କରିଥିବା ନେଇ ମଧ୍ୟ ଟାଉନ ଥାନାରେ ଅଭିଯୋଗ ହୋଇଥିଲା।

ଏହି ମାମଲାରେ ପୋଲିସ ବୁଧବାର ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ସୁମନ ନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପରେ ତାଙ୍କୁ ଜେଲ୍ ପଠାଇଦିଆଯାଇଛି । ଖାଲି ସେତିକି ନୁହେଁ ରାଜ୍ୟ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତିଙ୍କୁ ମଧ୍ୟ ଅଟକ ରଖିଥିଲା ପୋଲିସ । ଅବଶ୍ୟ ତାଙ୍କୁ ପରେ ଛାଡ଼ିଦିଆଯାଇଛି ।

Also Read: ସବୁକୁ ଟପିଗଲା ଏଥର କଲେଜ୍ ନିର୍ବାଚନ, ସରିଲା ହ୍ବାଏ ଆଇ ଷ୍ଟାଣ୍ଡ ଫର ମିଟିଂ; ଆସନ୍ତାକାଲି ପଡ଼ିବ ଭୋଟ୍

ତେବେ ଏହି ଗିରଫଦାରୀକୁ ନେଇ ବିଜେଡିରେ ତୀବ୍ର ଅସନ୍ତୋଷ। ଏହାର ପ୍ରତିବାଦରେ ବଲାଙ୍ଗିର ଟାଉନ ଥାନା ଘେରାଉ କରିଛନ୍ତି ବିଜେଡି ମହିଳା, ଯୁବ ଓ ବରିଷ୍ଠ ନେତା। ବେଆଇନ ଭାବରେ ଛାତ୍ର ସଭାପତିଙ୍କୁ ଗିରଫ କରି ଜେଲ ପଠାଇବା ପଛରେ ପୋଲିସ ହାତ ରହିଛି, ଏମିତି କରି ଛାତ୍ରଙ୍କୁ ଭୋଟ ଦେବାରୁ ଦୂରେଇବା ଏବଂ ଛାତ୍ର ଜୀବନ ନଷ୍ଟ କରୁଥିବା ନେଇ ପୋଲିସ ନାମରେ ଅଭିଯୋଗ ଆଣିଛନ୍ତି ଦଳୀୟ ନେତା । ମାମଲାର ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ମଧ୍ୟ ଚେତାବନୀ ଦେଇଛନ୍ତି କର୍ମୀ ।

ସେପଟେ ପୋଲିସ କହିଛି ଅପହରଣ ମାମଲାରେ କୋର୍ଟ ଚାଲାଣ କରାଯାଇଛି। ଏଥିରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ? ତାହାର ଯାଞ୍ଚ ଚାଲିଛି । ଆଗକୁ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଦେଇଛନ୍ତି ଉତ୍ତର ବଲାଙ୍ଗିର ଏସଡିପିଓ ।