ଭୁବନେଶ୍ବର ୪।୩: ଚାରିଆଡେ ରଙ୍ଗର ପର୍ବ ହୋଲି ମାହୋଲ ଚାଲିଥିବା ବେଳେ ଏହି ରଙ୍ଗରେ ରଙ୍ଗେଇ ହୋଇଛି ରାଜ୍ୟ ରାଜନୀତି । ଯେତେବେଳେ ରାଜ୍ୟସଭା ୪ର୍ଥ ସିଟ୍ ପାଇଁ ଛକାପଞ୍ଝା ଚାଲିଛି ଏହି ମୌକାରେ ନେତାମାନେ ପିଚକାରୀରୁ ରାଜନୀତିର ରଙ୍ଗ ମାରିବାକୁ ଭୁଲି ନାହାନ୍ତି । କାରଣ ୪ର୍ଥ ସିଟ୍ ପାଇଁ କାହା ପାଖେ ଆବଶ୍ୟକ ସଂଖ୍ୟା ନଥିବାରୁ  ଅସଲ ଖେଳ ସେଇଠି ହେବ ବୋଲି ସମସ୍ତେ ଆକଳନ କରୁଛନ୍ତି । ଏତିକିବେଳେ ରାଜ୍ୟସଭା ନିର୍ବାଚନ ନେଇ ବିଜେପିକୁ ତେରଛା ବାଣ ମାରିଛନ୍ତି ବିଜେଡି ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତି ମିଶ୍ର । ସେ କହିଛନ୍ତି, ହୋଲି ଖେଳିଲେ ରଙ୍ଗ ବଦଳି ଯାଏ, କିନ୍ତୁ ଗାଧୋଇ ପଡିଲେ ଅସଲ ଚେହେରା ସାମ୍ନାକୁ ଆସେ । ଆଉ ଓଡ଼ିଶାବାସୀ ଅସଲ ଚେହେରାକୁ ଚିହ୍ନିଛନ୍ତି । ଆମେ ଆଶାବାଦୀ ଆମର ଦୁଇ ପ୍ରାର୍ଥୀ ଜିତିବେ ।

ଏ ଖବର ବି ପଢ଼ନ୍ତୁ:- ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା, ସଂତୃପ୍ତ ଓ ଦତ୍ତେଶ୍ୱରଙ୍କ ନାଁରେ ମୋହର ମାରିଲେ ସୁପ୍ରିମୋ ନବୀନ

ସୂଚନାଯୋଗ୍ୟ ଯେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟସଭା ନିର୍ବାଚନ ନେଇ ବିଜେଡିରୁ ତୃତୀୟ ସିଟ୍ ପାଇଁ ସଂତୃପ୍ତ ମିଶ୍ରଙ୍କ ନାଁ ଘୋଷଣା କରିଥିବା ବେଳେ ଚତୁର୍ଥ ସିଟ୍ ପାଇଁ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଘୋଷଣା କରିଛନ୍ତି । ନବୀନ ଏଥର ସଂତୃପ୍ତ ମିଶ୍ରଙ୍କ ଉପରେ ଭରଷା କରିଛନ୍ତି । ଯିଏକି ୨୦୨୪ରେ କଟକ ଲୋକସଭା ସାଂସଦ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଥିଲେ ସଂତୃପ୍ତ । ଆଦିତ୍ୟ ବିର୍ଲ୍ଲା ଗ୍ରୁପ୍‌ର ମାନବ ସମ୍ବଳ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ଚାକିରିରୁ ଅବସର ନେଇ ସେ ରାଜନୀତିରେ ଯୋଗ ଦେଇଥିଲେ ।