ଭୁବନେଶ୍ୱର ୨୮।୦୨ : ପୁଣି ଚମକେଇଲେ ନବୀନ । ସବୁ ଚର୍ଚ୍ଚା ଏବଂ ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇଲେ ବିଜେଡି ସୁପ୍ରିମୋ । ଆଗାମୀ ରାଜ୍ୟସଭା ନିର୍ବାଚନ ଲାଗି ବିଜେଡି ସୁପ୍ରିମୋ ୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ୩ୟ ସିଟ୍ ପାଇଁ ଦଳର ବରିଷ୍ଠ ନେତା ସଂତୃପ୍ତ ମିଶ୍ରଙ୍କ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୪ର୍ଥ ଆସନ ପାଇଁ ଡଃ. ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

 

ଖବର ଅନୁଯାୟୀ, ରାଜ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ରାଜନୀତି ମାହୋଲ ପୁରା ଗରମ ରହିଛି । କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ, ସେନେଇ ଚାଲିଥିଲା ଅଙ୍କକଷା । ଏହିକ୍ରମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ତୃତୀୟ ଆସନ ପାଇଁ ବିଜେଡିର ବରିଷ୍ଠ ନେତା ତଥା କଟକ ଲୋକସଭା ଆସନରୁ ସଂସଦ ପ୍ରାର୍ଥୀ ହୋଇଥିବା ସଂତୃପ୍ତ ମିଶ୍ରଙ୍କୁ ବାଛିଛନ୍ତି । ବାକି ୪ର୍ଥ ସିଟ୍‌ ଲାଗି ଡଃ. ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି । ଏହାସହିତ ସମସ୍ତ ଦଳଙ୍କୁ ଡଃ. ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି । 

ପ୍ରାର୍ଥୀ ଘୋଷଣା ସମୟରେ ନବୀନ କହିଛନ୍ତି ଯେ, ସଂତୃପ୍ତ ଆମ ଦଳର ପ୍ରାର୍ଥୀ ଏବଂ ଡା ଦତ୍ତେଶ୍ଵର ହୋତା କମନ୍ କ୍ୟାଣ୍ଡିଡେଟ୍। ସଂତୃପ୍ତ ମିଶ୍ର ନବୀନଙ୍କ ବ୍ୟକ୍ତିଗତ ରାଜନୈତିକ ସଚିବ ଅଛନ୍ତି । ଗତ ସାଧାରଣ ନିର୍ବାଚନରେ କଟକ ଲୋକସଭା ସାଂସଦ ପ୍ରାର୍ଥୀ ହୋଇଥିଲେ ସଂତୃପ। ସେହିପରି ଓଡ଼ିଆ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱ ବିଦ୍ୟାଳୟର ପ୍ରଥମ କୁଳପତି ଭାବେ କାର୍ଯ୍ୟ କରିଛନ୍ତି ଡାକ୍ତର ଦତ୍ତେଶ୍ଵର ହୋତା। ସେ ୟୁରୋଲୋଜି ବିଭାଗରେ କ୍ୟାପିଟାଲ ହସ୍ପିଟାଲରେ ଥିଲେ ଏବଂ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଥିବା ଡାକ୍ତର ଟିମର ମୁଖ୍ୟ ଥିଲେ।

ଏ ଖବର ବି ପଢନ୍ତୁ:- କିଏ ହାତେଇବେ ରାଜ୍ୟସଭା ଚତୁର୍ଥ ଆସନ, ରାଜ୍ୟ ରାଜନୀତିରେ ଚାଲିଛି ରଣନୀତି

ସୂଚନାଯୋଗ୍ୟ ଯେ, ଓଡ଼ିଶା କୋଟାରୁ ରାଜ୍ୟସଭାରେ ୪ଟି ଆସନ ଖାଲି ହେବାକୁ ଯାଉଛି । ଯେଉଁଥି ଲାଗି ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ଛକାପଞ୍ଝା । ରାଜ୍ୟସଭା ନିର୍ବାଚନ ଲାଗି ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ଯେଉଁଥିରେ ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ, ୬ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ। । ମାର୍ଚ୍ଚ ୯ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ । ମାର୍ଚ୍ଚ ୧୬ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ ଯାଏଁ ଭୋଟ୍ ଗ୍ରହଣ, ଅପରାହ୍ଣରେ ଭୋଟ୍ ଗଣତି । ​​​​​​​