ପାଟଣା : ହସଖୁସିରେ ବସି ପାଠ ପଢୁଥିଲେ ଛାତ୍ରଛାତ୍ରୀ । ହେଲେ କିଏ ଜାଣିଥିଲା ହଠାତ ଯମ ସାଜି ଭୁଶୁଡିବ ଛାତ । ଆଉ ନେଇଯିବ ନିରୀହ ପିଲାଙ୍କ ଜୀବନ । କାଳ ସାଜିଲା ପୁରୁଣା ଦଦରା ଛାତ ସିଢି । ଏଭଳି ଦୁଃଖଦ ଘଟଣା ଘଟିଛି ମାନସୀ ଥାନା ଅଧୀନ ଅମନୀ ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ସେଠାରେ ପିଲାମାନେ ପାଠ ପଢୁଥିବାବେଳେ ହଠାତ୍ ଭୁଶୁଡ଼ି ପଡ଼ିଲା ସ୍କୁଲର ସିଢ଼ି । ଏହି ଘଟଣାରେ ଭଗ୍ନାବଶେଷ ତଳେ ଚାପି ହୋଇ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏଥିସହ ଅନ୍ୟ କିଛି ଛାତ୍ରଛାତ୍ରୀ ଏଥିରେ ଗୁରୁତର ଆହତ ହୋଇଥିବା ନେଇ ଖବର ମିଳିଛି ।

ମିଳିଥିବା ସୂଚନା ଅନୁଯାଇ, ବୁଧବାର ସକାଳେ ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ହଠାତ୍ ଘଟିଥିଲା ଅଘଟଣ । ବିଦ୍ୟାଳୟର ସିଢ଼ି ହଠାତ୍ ପିଲାଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା । ସିଢ଼ି ତଳେ ଛାତ୍ରଛାତ୍ରୀ ଚାପି ଯାଇଥିବା ଖବର ପ୍ରଚାର ହେବା ପରେ ସ୍କୁଲ୍ ପରିସରରେ ଆତଙ୍କ ଖେଳିଯାଇଥିଲା । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀ ସହ ସ୍ଥାନୀୟ ଲୋକେ ଓ ସ୍କୁଲ୍ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଭଗ୍ନାବଶେଷ ତଳୁ ଛାତ୍ରଛାତ୍ରୀଙ୍କୁ ବାହାର କରାଯାଇ ଆହତମାନଙ୍କୁ ଶୀଘ୍ର ଚିକିତ୍ସା ପାଇଁ ହସ୍ପିଟାଲ୍ ପଠାଯାଇଥିଲା । ତେବେ ଗୁରୁତର ଆହତ ହୋଇଥିବା ଜଣେ ଛାତ୍ରୀଙ୍କୁ ବଞ୍ଚାଇ ପାରିନଥିଲେ ଡାକ୍ତର ।

ସେପଟେ ଆହତ ଅନ୍ୟ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଚାଲିଥିବା ନେଇ ରିପୋର୍ଟ ମିଳିଛି । ଘଟଣା ପରେ ସ୍କୁଲ୍ ଶ୍ରେଣୀଗୃହର ନିରାପତ୍ତା ଓ ନିର୍ମାଣର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି । କିପରି ଓ କାହିଁକି ଭୁଶୁଡ଼ିଲା ସିଢ଼ି , ଶ୍ରେଣୀଗୃହର ଅବସ୍ଥା କିପରି ଥିଲା ଏବଂ ଏହାର ପୂର୍ବରୁ କୌଣସି ତ୍ରୁଟି ଚିହ୍ନଟ ହୋଇଥିଲା କି ନାହିଁ ତାହା ତଦନ୍ତ ହେବା ପରେ କାରଣ ସ୍ପଷ୍ଟ ହେବ ।