ନୂଆଦିଲ୍ଲୀ:  ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟର ଦଳର ଅଧିନାୟକ ପଦ ଛାଡ଼ିବା ପରେ ସ୍ମୃତି ମନ୍ଧାନା ନୂଆ କ୍ୟାପ୍ଟେନ୍‌ ହୋଇଛନ୍ତି । ଷ୍ଟାର ଓପନର ସ୍ମୃତି ମନ୍ଧାନାଙ୍କୁ  ମହିଳା କ୍ରିକେଟ୍ ଟିମ୍‌ର ନୂତନ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି ।  ୨୦୧୩ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ୍‌‌ରେ ପଦାର୍ପଣ କରିଥିବା ସ୍ମୃତି, ଦୀର୍ଘ ଦିନ ଧରି ଉପଅଧିନାୟକ ଭାବରେ ଦାୟିତ୍ବ ତୁଲାଉଥିଲେ । ଏହା ପୂର୍ବରୁ ସେ ୧୮ଟି ଟି-୨୦  ଏବଂ ୪ଟି ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳର ନେତୃତ୍ୱ ମଧ୍ୟ ନେଇସାରିଛନ୍ତି।

ନୂଆ ଦାୟିତ୍ୱ ସମ୍ପର୍କରେ ପ୍ରତିକ୍ରିୟା ଦେଇ ସ୍ମୃତି କହିଛନ୍ତି ଯେ, ଭାରତୀୟ ଦଳର ନେତୃତ୍ୱ ନେବା ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସମ୍ମାନର ବିଷୟ। ସେ ଦଳର ବିକାଶ ପାଇଁ ନିଜର ଶ୍ରେଷ୍ଠ ଯୋଗଦାନ ଦେବେ । ଏହା ସହ ସେ ପୂର୍ବତନ ଅଧିନାୟକ ହରମନପ୍ରୀତ କୌରଙ୍କ ବହୁମୂଲ୍ୟ ଯୋଗଦାନ ଓ ନେତୃତ୍ୱର ଉଚ୍ଚ ପ୍ରଶଂସା କରିଛନ୍ତି।

ସ୍ମୃତି ମନ୍ଧାନାଙ୍କ ପାଖରେ ଅଧିନାୟିକା ଭାବରେ ବ୍ୟାପକ ଅଭିଜ୍ଞତା ରହିଛି। ସେ ମହିଳା ପ୍ରିମିୟର ଲିଗ୍‌ (WPL)ରେ 'ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ' ଫ୍ରାଞ୍ଚାଇଜିର ସଫଳ ନେତୃତ୍ୱ ନେଇ ଦଳକୁ ଦୁଇଥର ଚାମ୍ପିୟନ୍ କରାଇଛନ୍ତି। ଆସନ୍ତା ଅକ୍ଟୋବର ୧୬ ତାରିଖରୁ ଭାରତୀୟ ମହିଳା ଦଳ ନିଜ ମାଟିରେ ଜିମ୍ବାୱେ ବିପକ୍ଷରେ ତିନୋଟି ଟି-୨୦ ଏବଂ ତିନୋଟି ଦିନିକିଆ ମ୍ୟାଚ୍‌ ବିଶିଷ୍ଟ ସିରିଜ୍ ଖେଳିବ । ଏହା ସ୍ମୃତିଙ୍କ ନିୟମିତ ଅଧିନାୟକ ଭାବରେ ପ୍ରଥମ ସିରିଜ୍ ହେବ।

ଜିମ୍ବାୱେ ବିପକ୍ଷରେ ଭାରତୀୟ ଟି-୨୦ ଦଳ
ସ୍ମୃତି ମନ୍ଧାନା (ଅଧିନାୟକ), ଶେଫାଳି ବର୍ମା (ଉପଅଧିନାୟକ), ନିକି ପ୍ରସାଦ, ହରମନପ୍ରୀତ କୌର, ଅନୁଷ୍କା ଶର୍ମା, ରିଚା ଘୋଷ (ଓ୍ବିକେଟ କିପର), ଜି କମଳିନୀ (ୱିକେଟ କିପର), ଦୀପ୍ତି ଶର୍ମା, ପ୍ରେମା ରାୱତ, ଶ୍ରୀ ଚରଣୀ, ନନ୍ଦିନୀ ଶର୍ମା, କ୍ରାନ୍ତି ଗୌଡ଼, ଅରୁନ୍ଧତୀ ରେଡ୍ଡୀ, ଜିନ୍ତିମଣି କଲିତା, ମିନ୍ନୁ ମଣି।

ଜିମ୍ବାୱେ ବିପକ୍ଷରେ ଭାରତୀୟ ଦିନିକିଆ ଦଳ
ସ୍ମୃତି ମନ୍ଧାନା (ଅଧିନାୟିକା), ଶେଫାଳି ବର୍ମା, ପ୍ରତିକା ରାୱଲ, ହରମନପ୍ରୀତ କୌର, ହରଲୀନ୍ ଦେଓଲ, ତେଜଲ ହସବନିସ୍, ଦୀପ୍ତି ଶର୍ମା (ଉପ-ଅଧିନାୟକ), ରିଚା ଘୋଷ (ୱିକେଟ କିପର), ଯସ୍ତିକା ଭାଟିଆ (ୱିକେଟ କିପର), ବୈଷ୍ଣବୀ ଶର୍ମା, ନନ୍ଦିନୀ ଶର୍ମା, ଶ୍ରୀ ଚରଣୀ, କ୍ରାନ୍ତି ଗୌଡ଼, ସାୟଲୀ ସତଘରେ, ରେଣୁକା ଠାକୁର।