ଭୁବନେଶ୍ୱର: ରାଜ୍ୟରେ ଜାତୀୟ ରାଜପଥ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବାକୁ ଯୋଜନା କରୁଛନ୍ତି ସରକାର। ବିଶେଷକରି ଭୁବନେଶ୍ୱରରୁ ପୁରୀ ମଧ୍ୟରେ ଯାତାୟାତକୁ ସହଜ ଓ ସୁଗମ କରିବା ପାଇଁ ରାସ୍ତାକୁ ୬ ଲେନ୍ କରାଯିବ। ଆସନ୍ତା ୨ରୁ ଅଢ଼େଇ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ପକ୍ଷରୁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି।

ଭୁବନେଶ୍ୱରସ୍ଥିତ ନିର୍ମାଣ ସୌଧର କନଫରେନ୍ସ ହଲରେ ଜାତୀୟ ରାଜପଥ ବିଭାଗ ଓ NHAI ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବୈଠକରେ ରାଜ୍ୟରେ ରାସ୍ତା ନିର୍ମାଣର ଅଗ୍ରଗତି ସହ ଜମି ଅଧିଗ୍ରହଣ, ଜଙ୍ଗଲ ଜମି ଅନୁମତି ଏବଂ ବିଭିନ୍ନ ପ୍ରକଳ୍ପରେ ଦେଖାଦେଉଥିବା ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଛି।

Also Read: ଅନିଶ୍ଚିତତା ଭିତରେ ଶ୍ରୀମନ୍ଦିର ଧାଡ଼ି ଦର୍ଶନ ବ୍ୟବସ୍ଥା, ପୁଣି ବଦଳିବ ରାମ୍ପ୍ ଡିଜାଇନ୍ !

ମନ୍ତ୍ରୀ କହିଛନ୍ତି, ଯେଉଁ ପ୍ରକଳ୍ପଗୁଡ଼ିକରେ କୌଣସି ସମସ୍ୟା ରହିଛି, ସେଗୁଡ଼ିକର ସମାଧାନ ପାଇଁ ବୈଠକରେ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ଆବଶ୍ୟକ ସ୍ଥଳେ ସମସ୍ୟାର ତୁରନ୍ତ ସମାଧାନ ମଧ୍ୟ କରାଯାଉଛି। ଅଧାପନ୍ତରିଆ ରହିଥିବା ସମସ୍ତ କାମକୁ ଶୀଘ୍ର ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ୱର-ପୁରୀ ରାସ୍ତାରେ ରହିବ ସର୍ଭିସ ଲେନ୍

ଭୁବନେଶ୍ୱରରୁ ପୁରୀକୁ ଯାତ୍ରା କରୁଥିବା ଲୋକଙ୍କ ପାଇଁ ୬ ଲେନ୍ ରାସ୍ତା ଏକ ବଡ଼ ସୁବିଧା ଆଣିବ। ଏହି ରାସ୍ତାରେ ମୁଖ୍ୟ ୬ ଲେନ୍ ସହ ସର୍ଭିସ ଲେନ୍ ବ୍ୟବସ୍ଥା ମଧ୍ୟ ରହିବ। ଫଳରେ ଯାନବାହନ ଚଳାଚଳ ଅଧିକ ସୁଗମ ହେବା ସହ ଭୁବନେଶ୍ୱର ଓ ପୁରୀ ମଧ୍ୟରେ ଯାତାୟାତ ସମୟରେ ଭିଡ଼ କମିବା ଆଶା କରାଯାଉଛି।

ଭୁବନେଶ୍ୱର ରିଙ୍ଗ୍ ରୋଡ୍ ଉପରେ ମଧ୍ୟ ଫୋକସ୍

ମନ୍ତ୍ରୀ କହିଛନ୍ତି, କେବଳ ଭୁବନେଶ୍ୱର-ପୁରୀ ରାସ୍ତା ନୁହେଁ, ରାଜଧାନୀରେ ରିଙ୍ଗ୍ ରୋଡ୍ ଓ ଆଉଟର ରିଙ୍ଗ୍ ରୋଡ୍ ନିର୍ମାଣ ଦିଗରେ ମଧ୍ୟ ପଦକ୍ଷେପ ନିଆଯାଉଛି। ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକୁ ଆଗକୁ ବଢ଼ାଇବା ପାଇଁ ସରକାର ଯୋଜନା କରୁଛନ୍ତି। ଏହା କାର୍ଯ୍ୟକାରୀ ହେଲେ ରାଜଧାନୀରେ ଟ୍ରାଫିକ୍ ଚାପ ହ୍ରାସ ପାଇବା ସହ ସହରର ବାହ୍ୟ ଅଞ୍ଚଳରେ ଯାତାୟାତ ସୁବିଧା ବଢ଼ିବ।

ଏଥିସହ ଓଡ଼ିଶାରେ ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ପାଇଁ ମଧ୍ୟ ଯୋଜନା ରହିଛି। ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ କିମ୍ବା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଲେ ସେମାନଙ୍କ ଦ୍ୱାରା ଏହି ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ କରିବାକୁ ଯୋଜନା ହୋଇଛି।

Also Read: ୨୦୧୧ ବନ୍ୟାରେ ୮୦ ମୃତ୍ୟୁ, ୪୦ ଲକ୍ଷ ପ୍ରଭାବିତ; ନବୀନ-ସୁରେଶଙ୍କୁ ପ୍ରଶ୍ନ କଲେ ଅନୀଲ ବିଶ୍ୱାଳ

ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ରାମ୍ପ୍ ବ୍ୟବସ୍ଥା

ଅନ୍ୟପଟେ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ରାମ୍ପ୍ ବ୍ୟବସ୍ଥା ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ କିଛି ନୂଆ ପ୍ରସ୍ତାବ ଦିଆଯାଇଛି। ଆସନ୍ତା ମାର୍ଗଶିର ମାସରେ ଏହାକୁ ସ୍ଥାପନ କରିବାକୁ ଯୋଜନା ରହିଛି। ବାକି ଥିବା କାମଗୁଡ଼ିକୁ ମଧ୍ୟ ଧାର୍ଯ୍ୟ ସମୟରେ ଶେଷ କରିବାକୁ ପଦକ୍ଷେପ ନିଆଯିବ। ଏହି ସମୀକ୍ଷା ବୈଠକରେ ପୂର୍ତ୍ତ ବିଭାଗ ସଚିବ ସଞ୍ଜୟ ସିଂହଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଓ ବିଭିନ୍ନ ସମ୍ପୃକ୍ତ ବିଭାଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ।