ନୂଆଦିଲ୍ଲୀ, ୧୧।୧୧ : ଇରାନ ଉପରେ ଆକ୍ରମଣ କରିବେ ନାହିଁ ବୋଲି ମଙ୍ଗଳବାର କହିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । କିନ୍ତୁ ଏବେବି ଯୁଦ୍ଧ ସମ୍ପୂର୍ଣ୍ଣ ଭାବେ ସରିନି । କାରଣ ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ପୁଣି ଜାହାଜ ଉପରେ ତେହେରାନ ଆକ୍ରମଣ କରିଛି । ତିନୋଟି ତୈଳ ଟ୍ୟାଙ୍କରରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ସବୁ ଟ୍ୟାଙ୍କର ବେଆଇନ ରାସ୍ତାରେ ପ୍ରବେଶ କରୁଥିବା ଇରାନ ଅଭିଯୋଗ କରିଛି ।

ଅନ୍ୟ ଦିଗରେ ହର୍ମୋଜରେ ଆକ୍ରମଣ କରାଯାଇଥିବା ଜାହାଜର ଭିଡିଓ ସାମ୍ନାକୁ ଆସିଛି । ଏଥିରୁ କଳାଧୂଆଁ ବାହାରୁ ଥିବା ଦେଖିବାକୁ ମିଳିଛି । ଆଇଆରଜିସିର ଖବର ଏଜେନ୍ସି ସିପାହ ନ୍ୟୁଜ୍ ଅନୁସାରେ ଦୁଇଟି ଜାହାଜ ହର୍ମୋଜ୍ ଅତିକ୍ରମ କରୁଥିଲେ । ସେମାନେ ନିଜର ନାଭିଗେସନ୍ ଏବଂ ଆଇଡେଣ୍ଟିଫିକେସନ୍ ସିଷ୍ଟମକୁ ବନ୍ଦ କରିଦେଇଥିଲେ । ଏହା ମଧ୍ୟରୁ ଗୋଟିଏ ସମୁଦ୍ରରେ ବିଛା ଯାଇଥିବା ବାରୁଦ ସଂସ୍ପର୍ଶରେ ଆସିବାରୁ ଏଥିରେ ବ୍ଲାଷ୍ଟ୍ ହୋଇଛି ।

Also Read :- ରିପବ୍ଲିକାନ୍ ପାର୍ଟିରେ ବିଦ୍ରୋହ : ହେଗସେଥଙ୍କ ବିରୋଧରେ ଦଳୀୟ ସାଂସଦ, ଆଣିଲେ ମହାଭିଯୋଗ

ସେହିପରି ଅନ୍ୟ ଜାହାଜଟି ଆମେରିକାର ବାୟୁ ସେନା ସହାୟତାରେ ବେଆଇନ ରାସ୍ତାରେ ଲୁଚି କରି ପ୍ରବେଶ କରୁଥିଲା । ଯେଉଁଥିରେ ବିସ୍ଫୋରଣ ହେବା ପରେ ନିଆଁ ଲାଗିଯାଇଥିଲା । ସେହିପରି ଇରାନ ନୌସେନାର କହିବାନୁସାରେ ତୃତୀୟ ଜାହାଜଟି ମଧ୍ୟ ବେଆଇନ ରାସ୍ତାରେ ତେଲ ନେଇ ପ୍ରବେଶ କରୁଥିଲା । ଯାହା ମାଇନ୍ସ ଜାଲରେ ଫସି ଯାଇଥିଲା । ହର୍ମୋଜରେ ବେଆଇନ ଭାବେ ପ୍ରବେଶ କରିବା ସୁରକ୍ଷିତ ନୁହେଁ ବୋଲି ଇରାନ ଚେତାବନୀ ଦେଇଛି ।

ଆଇଆରଜିସି କହିଛି ଯେ, ଆମେରିକା ସେନା ହେଉଛି ଆତଙ୍କବାଦୀ । ସେମାନଙ୍କ ସହଯୋଗରେ କିଛି ଜାହାଜ ହର୍ମୋଜ୍ ଅତିକ୍ରମ କରୁଛନ୍ତି । ସବୁ ଜାହାଜକୁ ବିସ୍ଫୋରଣରେ ଉଡାଇ ଦିଆଯିବ ବୋଲି ଆଇଆରଜିସି ପକ୍ଷରୁ ଚେତାବନୀ ଦିଆଯାଇଛି ।