ନୂଆଦିଲ୍ଲୀ: କ୍ୟାନ୍ସର, ଅଲଜାଇମର୍ସ, ହୃଦରୋଗ ଏବଂ ମାନସିକ ଅସୁସ୍ଥତା ଆଗାମୀ ୧୦ ବର୍ଷରେ ଇତିହାସ ପାଲଟିଯିବ । ଏଆଇ ସହାୟତାରେ ଗମ୍ଭୀର ରୋଗର ଚିକିତ୍ସା ସମ୍ଭବ ହୋଇପାରିବ । ଆଗାମୀ ଏକ ଦଶନ୍ଧି ମଧ୍ୟରେ ଚିକିତ୍ସା ବିଜ୍ଞାନରେ ଆସିପାରେ ବଡ଼ ପରିବର୍ତ୍ତନ । ଏଭଳି ଆଶା ପ୍ରକାଶ କରିଛନ୍ତି ଆନ୍ଥ୍ରୋପିକର ସିଇଓ ଡାରିଓ ଆମୋଡେଇ । ତେବେ ତାଙ୍କର ଏହି ଦାବିକୁ ନେଇ ଔଷଧ ନିର୍ମାତା କମ୍ପାନୀ ଓ ବୈଜ୍ଞାନିକମାନେ ସେତେଟା ଆଶାବାଦୀ ନୁହନ୍ତି ।

ଏନଡିଟିଭି ରିପୋର୍ଟ ଅନୁସାରେ, ଆମୋଡେଇ କହିଛନ୍ତି, ଯଦି ଆମେ କୃତ୍ରିମ ବୁଦ୍ଧିମତ୍ତାର ଠିକ୍ ଭାବେ ଉପଯୋଗ କରିପାରିବା ତେବେ ମାନବ ସମାଜ ଏକ ନୂତନ ଯୁଗରେ ପ୍ରବେଶ କରିପାରିବ । ଯେଉଁ ସମସ୍ୟାଗୁଡ଼ିକର ସମାଧାନ ହଜାର ହଜାର ବର୍ଷ ଧରି ମିଳିପାରିନାହିଁ, ସେଗୁଡ଼ିକର ସମାଧାନ ମଧ୍ୟ ସମ୍ଭବ ହୋଇପାରିବ । ତାଙ୍କ ମତରେ, ଏଆଇ ଜୈବିକ ଗବେଷଣା, ନୂଆ ଔଷଧର ଆବିଷ୍କାର ଏବଂ ଚିକିତ୍ସା ବିଜ୍ଞାନରେ ନୂଆ ଉଦ୍ଭାବନର ଗତିକୁ ଅନେକ ଗୁଣ ବଢ଼ାଇପାରିବ ।

ଏଆଇର ଏଭଳି ସମ୍ଭାବନା ନେଇ କେବଳ ଆମୋଡେଇ ନୁହନ୍ତି, ଅନ୍ୟ ପ୍ରମୁଖ ଟେକ୍ନୋଲୋଜି ଉଦ୍ୟୋଗୀମାନେ ମଧ୍ୟ ଆଶା ପ୍ରକାଶ କରିଛନ୍ତି । ଏମାନଙ୍କ ମଧ୍ୟରେ ଏଲନ୍ ମସ୍କ ଏବଂ ଗୁଗଲର ଏଆଇ ବିଭାଗର ମୁଖ୍ୟ ଡେମିସ୍ ହାସାବିସ୍ ମଧ୍ୟ ଅଛନ୍ତି । ହାସାବିସଙ୍କ ମତରେ, ଏଆଇର ସହାୟତାରେ ନୂଆ ଔଷଧ ଆବିଷ୍କାର ପାଇଁ ଲାଗୁଥିବା ୧୦ ବର୍ଷର ସମୟକୁ କେବଳ କିଛି ସପ୍ତାହକୁ ହ୍ରାସ କରାଯାଇପାରେ । ଏହାଦ୍ୱାରା ଆଗାମୀ ଏକ ଦଶନ୍ଧି ମଧ୍ୟରେ ଅନେକ ରୋଗର ଚିକିତ୍ସା ମିଳିବାର ସମ୍ଭାବନା ରହିଛି ।

Also Read: ନାଇଜେରିଆରେ ଧାର୍ମିକ କାର୍ଯ୍ୟକ୍ରମକୁ ନେଇ ବଡ଼ ହଙ୍ଗାମା.. ଶତାଧିକ ଭକ୍ତଙ୍କ ମୋବାଇଲ୍ ଧରି ଛୁ' 'ପାଦ୍ରୀ'

ଏଥିପାଇଁ ସେ ଆଲଫାଫୋଲ୍ଡର ଉଦାହରଣ ଦେଇଛନ୍ତି । ଏହି ଏଆଇ ଟେକ୍ନୋଲୋଜି ୨୦ କୋଟିରୁ ଅଧିକ ପ୍ରୋଟିନର ଗଠନକୁ ଚିହ୍ନଟ ଓ ମ୍ୟାପ୍ କରିବାରେ ସହାୟତା କରିଛି । ଏହା ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ ସଫଳତା । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆଗାମୀ ୧୦ ବର୍ଷ ମଧ୍ୟରେ ଏଆଇ କ୍ୟାନ୍ସର କିମ୍ବା ଆଲଜାଇମର୍ସ ଭଳି ଜଟିଳ ରୋଗର ଚିକିତ୍ସା ଖୋଜି ବାହାର କରିଦେବ ।

ଔଷଧ ନିର୍ମାତାଙ୍କ ମତରେ ଏଆଇ ସହାୟତାରେ ଔଷଧ ତିଆରି ପାଇଁ ପ୍ରାରମ୍ଭିକ ଗବେଷଣାର ସମୟ କମିପାରେ । କିନ୍ତୁ ଏଥିପାଇଁ ଆବଶ୍ୟକ କ୍ଲିନିକାଲ୍ ଟ୍ରାଏଲ୍, ନିୟାମକ ସଂସ୍ଥାର ଅନୁମୋଦନ ଏବଂ ଜୀବଜନ୍ତୁ ଓ ମଣିଷଙ୍କ ଉପରେ ପରୀକ୍ଷାକୁ ଏଡ଼ାଇ ହେବ ନାହିଁ । ସାଧାରଣତଃ ଗୋଟିଏ ନୂଆ ଔଷଧ ବିକାଶ କରିବା ପାଇଁ ୧୦ରୁ ୧୨ ବର୍ଷ ସମୟ ଲାଗିଥାଏ । କମ୍ପ୍ୟୁଟରରେ କୌଣସି ଔଷଧୀୟ ଅଣୁ ବା ମଲିକ୍ୟୁଲ୍ ଉପଯୋଗୀ ଦେଖାଯିବା ହିଁ ଯଥେଷ୍ଟ ନୁହେଁ । ଏହାକୁ ପ୍ରଥମେ ଲାବୋରେଟୋରୀରେ, ପରେ ଜୀବଜନ୍ତୁଙ୍କ ଉପରେ ଏବଂ ଶେଷରେ ମଣିଷଙ୍କ ଉପରେ ପରୀକ୍ଷା କରିବାକୁ ପଡ଼ିଥାଏ । ଏହାଦ୍ୱାରା ଔଷଧଟି ସୁରକ୍ଷିତ କି ନୁହେଁ ଏବଂ ପ୍ରକୃତରେ କାମ କରୁଛି କି ନାହିଁ ତାହା ଜଣାପଡ଼େ ।