ଭୁବନେଶ୍ୱର: ପାର୍ବଣ ଋତୁ। ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରିବେ ମା ଦୁର୍ଗା। ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଜୋରଦାର ଚାଲିଛି। ଭିଡ଼ ପରିଚାଳନା ସହ ସୁରକ୍ଷା ସୁନିଶ୍ଚିତ କରିବା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ। ତେଣୁ ଦୁର୍ଗାପୂଜାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଚଳିତ ବର୍ଷ ରାଜଧାନୀରେ ପ୍ରାୟ ୧୯୫ଟି ପୂଜା ମଣ୍ଡପରେ ପୂଜା ପାଇବେ ମା ଦୁର୍ଗା। ଏହାର ସଫଳ ପରିଚାଳନା ନେଇ ମେୟର, କର୍ପୋରେଟର ଏବଂ ବିଭିନ୍ନ ପୂଜା କମିଟିର କର୍ତ୍ତୃପକ୍ଷଙ୍କୁ ନେଇ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୪୦ଟି ନୂଆ ପାର୍କିଂ ସ୍ଥଳ

ପୂଜା ସମୟରେ ଲୋକଙ୍କ ଯାତାୟାତକୁ ସହଜ ଓ ସୁରକ୍ଷିତ କରିବା ପାଇଁ ବୈଠକରେ କେତେକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ମଣ୍ଡପଗୁଡ଼ିକ ଆଖପାଖରେ ଥିବା ରାସ୍ତାଘାଟର ଖାଲଖମାଗୁଡ଼ିକୁ ଆସନ୍ତା ୭ ଦିନ ଭିତରେ ସମ୍ପୂର୍ଣ୍ଣ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ରାସ୍ତାକଡ଼ର ଗଛ ଡାଳ କାଟିବା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୪୦ଟି ନୂଆ ପାର୍କିଂ ସ୍ଥଳକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ପ୍ରାଥମିକତା ଦିଆଯାଇଛି।

Also Read: ପୂଜା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି, ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ମଣ୍ଡପଗୁଡ଼ିକରେ ପ୍ଲାଷ୍ଟିକ୍ ବ୍ୟବହାର ମନା

ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ମଣ୍ଡପଗୁଡ଼ିକରେ ପ୍ଲାଷ୍ଟିକ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ପୂଜା ସାମଗ୍ରୀ ସହ ଫୁଲ ସଂଗ୍ରହ ପାଇଁ ସ୍ୱତନ୍ତ୍ର ଗାଡ଼ିର ବ୍ୟବହାର କରାଯିବ। ଏହାବ୍ୟତୀତ ବିଜ୍ଞାପନ ନିୟମର କଡ଼ା ପାଳନ ଏବଂ ମୂର୍ତ୍ତି ବିସର୍ଜନ ପାଇଁ କେବଳ ନିର୍ଦ୍ଦିଷ୍ଟ ପୋଖରୀଗୁଡ଼ିକୁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଯାଞ୍ଚ ହେବ ତୋରଣ

ବର୍ଷା ଓ ପବନର ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। BMC ଏବଂ ୱାର୍ଡ ଇଞ୍ଜିନିୟରମାନେ ମିଳିତ ଭାବେ ସମସ୍ତ ତୋରଣ ଓ ମଣ୍ଡପର ସ୍ଥିରତା (ଷ୍ଟ୍ରକଚରାଲ୍ ଷ୍ଟାବିଲିଟି) ଯାଞ୍ଚ କରିବେ। ସେହିପରି ପୂଜା ସରିବାର ମାତ୍ର ୨ ରୁ ୩ ଦିନ ମଧ୍ୟରେ ମଣ୍ଡପଗୁଡ଼ିକୁ ଖାଲି କରିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଏକ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ସମନ୍ୱୟ ରକ୍ଷା କରାଯାଉଥିବାବେଳେ, ଆଗାମୀ ୩ ରୁ ୪ ଦିନ ଭିତରେ ସମସ୍ତ ଅସୁବିଧା ଦୂର କରିବାକୁ ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।

Also Read: ପିଙ୍କ୍ ବୁଥ୍‌ରୁ ପିଙ୍କ୍ ଭଲ୍ୟୁଣ୍ଟର, ମହିଳା ସଶକ୍ତିକରଣ ଥିମ୍‌ରେ ଝାରପଡ଼ା ପୂଜା ପେଣ୍ଡାଲ