ଭୁବନେଶ୍ୱର: ଆଜି(ସେପ୍ଟେମ୍ବର ୫) ଗୁରୁ ଦିବସ। ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଏ। ମହାନ ଦାର୍ଶନିକ, ଶିକ୍ଷାବିତ୍ ତଥା ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନକୁ ସମ୍ମାନ ଜଣାଇ ଏହି ଦିନଟିକୁ ଗୁରୁ ଦିବସ ଭାବେ ପାଳନ କରାଯାଏ।

ଗୁରୁ ଦିବସ କେବଳ ଏକ ଐତିହାସିକ ଦିନ ନୁହେଁ, ବରଂ ପ୍ରତ୍ୟେକ ଛାତ୍ର ଓ ଶିକ୍ଷକଙ୍କ ଜୀବନରେ ଏହାର ବିଶେଷ ମହତ୍ତ୍ୱ ରହିଛି। ଚକ୍, ଡଷ୍ଟର ଓ ବ୍ଲାକବୋର୍ଡ ମାଧ୍ୟମରେ ଜ୍ଞାନ ବାଣ୍ଟୁଥିବା ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ନାହିଁ, ସେମାନେ ଛାତ୍ରଙ୍କ ଚିନ୍ତାଧାରା, ଆତ୍ମବିଶ୍ୱାସ ଓ ଭବିଷ୍ୟତକୁ ମଧ୍ୟ ଗଢ଼ିଥାନ୍ତି।

ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମ, ପ୍ରଣବ ମୁଖାର୍ଜୀଙ୍କଠାରୁ ଆରମ୍ଭ କରି ଭାରତ ଓ ବିଦେଶର ବହୁ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଶିକ୍ଷକଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି। ସେମାନଙ୍କ କଥା ଆଜି ମଧ୍ୟ ମନେ ପଡ଼େ। ଜଣେ ଭଲ ଶିକ୍ଷକ କେବଳ ଛାତ୍ର କ’ଣ ଶିଖିବ ତାହା ନୁହେଁ, ବରଂ ସେ ନିଜକୁ ଓ ଚାରିପାଖର ଦୁନିଆକୁ କିପରି ଦେଖିବ, ତାହାକୁ ମଧ୍ୟ ପ୍ରଭାବିତ କରିପାରନ୍ତି। ଆଜି ଗୁରୁ ଦିବସ ଅବସରରେ ଆସନ୍ତୁ କିଛି ବିଶିଷ୍ଟ ବ୍ୟକ୍ତିଙ୍କର ସେହି ମୂଲ୍ୟବାନ ବାଣୀ ବିଷୟରେ ଜାଣିବା, ଯାହା ଜଣେ ଛାତ୍ର ଦୃଷ୍ଟିଭଙ୍ଗୀ ବଦଳାଇ ଦେଇପାରେ।

ଶିକ୍ଷକ ଦିବସ ୨୦୨୬ ପାଇଁ ୫ ପ୍ରେରଣାଦାୟୀ ବାଣୀ

୧. ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ

“ପ୍ରକୃତ ଶିକ୍ଷକ ସେମାନେ, ଯେଉଁମାନେ ଆମକୁ ନିଜ ବିଷୟରେ ଚିନ୍ତା କରିବାରେ ସହାୟତା କରନ୍ତି।”

ଏହି କଥା ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟକୁ ଦର୍ଶାଏ। ଜଣେ ଶିକ୍ଷକଙ୍କ କାମ କେବଳ ପାଠ୍ୟପୁସ୍ତକର ତଥ୍ୟ ଦେବା ନୁହେଁ, ବରଂ ଛାତ୍ରଙ୍କ ମଧ୍ୟରେ ନିଜସ୍ୱ ଚିନ୍ତାଧାରା ବିକଶିତ କରିବା। ଚିନ୍ତନ ଶୈଳୀ ବିକାଶ କରିବ।

୨. ଦ୍ରୌପଦୀ ମୁର୍ମୁ

“ଯେକୌଣସି ଶିକ୍ଷା ବ୍ୟବସ୍ଥାର ସଫଳତାରେ ଶିକ୍ଷକମାନଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଶିକ୍ଷାଦାନ କେବଳ ଏକ ଚାକିରି ନୁହେଁ, ଏହା ମାନବ ବିକାଶର ଏକ ପବିତ୍ର ଦାୟିତ୍ୱ।”

ଏହି ଉକ୍ତି ଶିକ୍ଷକତାକୁ କେବଳ ପେସା ଭାବେ ନୁହେଁ, ମାନବ ସମାଜ ଗଠନର ଏକ ବଡ଼ ଦାୟିତ୍ୱ ଭାବେ ଦେଖିବାକୁ ପ୍ରେରଣା ଦିଏ।

୩. ନରେନ୍ଦ୍ର ମୋଦୀ

“ମନକୁ ଗଢ଼ି ତୋଳିବାରେ ଶିକ୍ଷକମାନଙ୍କ ସମର୍ପଣ ଏକ ମଜଭୁତ ଓ ଉଜ୍ଜ୍ୱଳ ଭବିଷ୍ୟତର ନିଅଁ।” ଶିକ୍ଷକଙ୍କ ନିଷ୍ଠା ଓ ସମର୍ପଣ ହିଁ ଭବିଷ୍ୟତ ପିଢ଼ିକୁ ଗଢ଼ିବାରେ ମୁଖ୍ୟ ଭୂମିକା ନିଏ। ଏହି କଥା ଶିକ୍ଷକଙ୍କ ଦୀର୍ଘମିଆଦୀ ପ୍ରଭାବକୁ ସ୍ପଷ୍ଟ କରେ।

୪. ଦିବ୍ୟା ମିତ୍ତଲ

“ଜଣେ ଉତ୍ତମ ଶିକ୍ଷକ ଯୁବ ମାନସିକତା ଗଢ଼ନ୍ତି ଏବଂ ସେମାନଙ୍କ ମଧ୍ୟରେ ଜିଜ୍ଞାସାର ବହ୍ନି ପ୍ରଜ୍ୱଳନ କରନ୍ତି । ସେମାନଙ୍କ ସମର୍ପଣ, ଧୈର୍ଯ୍ୟ ଓ ମାର୍ଗଦର୍ଶନରେ ଗୋଟି ଗୋଟି କରି ପ୍ରତ୍ୟେକ ଛାତ୍ରଙ୍କ ମାଧ୍ୟମରେ ଦୁନିଆକୁ ଏକ ସୁନ୍ଦର ସ୍ଥାନ ଭାବେ ଗଢ଼ି ତୋଳନ୍ତି।” ଅର୍ଥାତ୍ ଜଣେ ଭଲ ଶିକ୍ଷକ ଛାତ୍ରଙ୍କ ମନରେ ପ୍ରଶ୍ନ କରିବା, ଜାଣିବା ଓ ନୂଆ କିଛି ଶିଖିବାର ଇଚ୍ଛା ସୃଷ୍ଟି କରନ୍ତି।

​​​​​​​

୫. ସୋନମ ୱାଙ୍ଗଚୁକ୍

“ଜଣେ ଶିକ୍ଷକ ପୂରା ପିଢ଼ିକୁ ଗଢ଼ିପାରେ। କିନ୍ତୁ ଯଦି ଆମେ ଶିକ୍ଷକଙ୍କ ଉପରେ ଗୁରୁତ୍ୱ ନଦେଉ, ତେବେ ସମ୍ପୂର୍ଣ୍ଣ ପିଢ଼ି ଧ୍ୱଂସ ହୋଇପାରେ।” ଏହି କଥା ଶିକ୍ଷକଙ୍କ ଗୁରୁତ୍ୱକୁ ଆହୁରି ଗଭୀର ଭାବରେ ଦର୍ଶାଏ। ଜଣେ ଦକ୍ଷ ଓ ସମର୍ପିତ ଶିକ୍ଷକ ଏକ ପିଢ଼ିର ଭବିଷ୍ୟତ ବଦଳାଇପାରନ୍ତି।

ଶିକ୍ଷକ ଦିବସ ଭାଷଣ ପାଇଁ ମଧ୍ୟ ଉପଯୋଗୀ

ଶିକ୍ଷକ ଦିବସ ୨୦୨୬ ଅବସରରେ ଛାତ୍ରଛାତ୍ରୀମାନେ ଭାଷଣ, ପ୍ରବନ୍ଧ, ସ୍କୁଲ୍ କାର୍ଯ୍ୟକ୍ରମ କିମ୍ବା ବିଭିନ୍ନ ସ୍କ୍ରିପ୍ଟରେ ଏହି ପ୍ରେରଣାଦାୟୀ କଥାଗୁଡ଼ିକୁ ବ୍ୟବହାର କରିପାରିବେ। ଏହି କୋଟ୍‌ଗୁଡ଼ିକ ଶିକ୍ଷକଙ୍କ ମହତ୍ତ୍ୱ, ସେମାନଙ୍କ ସମର୍ପଣ ଏବଂ ଛାତ୍ରଙ୍କ ଜୀବନ ଗଢ଼ିବାରେ ସେମାନଙ୍କ ଭୂମିକାକୁ ସ୍ପଷ୍ଟ କରେ।