ନୂଆଦିଲ୍ଲୀ: ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଏକାସାଙ୍ଗରେ ତିନୋଟି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ସକ୍ରିୟ ରହିଛି । ଟାଇଫୁନ୍ ଚୋଇ-ୱାନ, ଟାଇଫୁନ୍ ନୋଲୋ ଏବଂ ଟ୍ରପିକାଲ୍ ଷ୍ଟୋର୍ମ କୋଗୁମା ଭିନ୍ନ ଭିନ୍ନ ସ୍ଥାନରେ ଆଗକୁ ବଢୁଛନ୍ତି । ପ୍ରାୟ ପାଞ୍ଚ ବର୍ଷ ପରେ ଅକ୍ଟୋବରରେ ଏକାସାଙ୍ଗରେ ତିନି ବାତ୍ୟା ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଜାପାନର ସାମୁଦ୍ରିକ ଉପକୂଳରେ ଉଚ୍ଚ ଲହଡ଼ି ଏବଂ ସମୁଦ୍ରରେ ହଇଚଇ ସୃଷ୍ଟି ହେବାର ଆଶଂକା ରହିଛି ।

ତିନି ଘୂର୍ଣ୍ଣିବାତ୍ୟା ପରସ୍ପର ଠାରୁ ବହୁତ ଦୂରରେ ଅଛନ୍ତି ଏବଂ ଏମାନଙ୍କ ଶକ୍ତି ମଧ୍ୟ ଅଲଗା ଅଲଗା । ଚୋଇ-ୱାନ ଜାପାନର ଓଗାସାୱାରା ଦ୍ୱୀପଠାରୁ ଉତ୍ତର ଦିଗ ଆଡ଼କୁ ବଢ଼ୁଛି । 'ନୋଲୋ' ପଶ୍ଚିମ ଦିଗରେ ଆଗକୁ ବଢ଼ୁଥିବା ବେଳେ କୋଗୁମା ଦୁର୍ବଳ ଅବସ୍ଥାରେ ଉତ୍ତର-ପଶ୍ଚିମ ଦିଗକୁ ବଢ଼ୁଛି ।

ଚୋଇ-ୱାନ ସମୁଦ୍ରରେ ପ୍ରାୟ ୩୦ କିଲୋମିଟର ଘଣ୍ଟାପ୍ରତି ଗତି କରି ଆଗକୁ ବଢ଼ୁଥିଲା । ଜାପାନ ପାଣିପାଗ ଏଜେନ୍ସି ଅନୁସାରେ, ଏହାର କେନ୍ଦ୍ରରେ ବାୟୁଚାପ ୯୬୦ ହେକ୍ଟୋପାସ୍କାଲ୍ ଥିଲା । ଏହାର ଘଣ୍ଟାପ୍ରତି ପବନର ବେଗ ୧୪୪ କିଲୋମିଟର ଏବଂ ଝଟକା ପବନ ବେଗ ୧୯୮ କିଲୋମିଟର ଥିଲା । ଚୋଇ-ୱାନ ବୁଧବାର ସୁଦ୍ଧା ଦ୍ରୁତ ଗତିରେ ଉତ୍ତର-ପୂର୍ବ ଦିଗକୁ ବଢ଼ିବାର ଅନୁମାନ କରାଯାଉଛି । ଜାପାନର ପୂର୍ବ ପ୍ରଶାନ୍ତ ଉପକୂଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିପାରେ।

ସେପଟେ ନୋଲୋ ମଙ୍ଗଳବାର ଅପରାହ୍ନ ସୁଦ୍ଧା ଏକ ଶକ୍ତିଶାଳୀ ଟାଇଫୁନ୍ ହୋଇ ରହିଥିଲା । ଏହା ୱେକ୍ ଆଇଲ୍ୟାଣ୍ଡସ ପାଖରେ ପ୍ରାୟ ୩୦ କିଲୋମିଟର ଘଣ୍ଟାପ୍ରତି ବେଗରେ ପଶ୍ଚିମ ଦିଗକୁ ବଢ଼ୁଥିଲା । ଏହାର କେନ୍ଦ୍ରରେ ବାୟୁଚାପ ୯୬୫ ହେକ୍ଟୋପାସ୍କାଲ୍ ଥିଲା । ଏହାର ପବନର ବେଗ ଘଣ୍ଟାପ୍ରତି ୧୬୨ କିଲୋମିଟର ଏବଂ ଝଟକା ପବନ ୨୧୬ କିଲୋମିଟର ଥିଲା ।

ତିନୋଟି ମଧ୍ୟରୁ କୋଗୁମା ଶେଷରେ ସୃଷ୍ଟି ହୋଇଛି । ଏହା ସୋମବାର ମାର୍ଶଲ ଆଇଲ୍ୟାଣ୍ଡସ ପାଖରେ ସୃଷ୍ଟି ହୋଇଥିଲା । ମଙ୍ଗଳବାର ଏହା ଉତ୍ତର-ପଶ୍ଚିମ ଦିଗକୁ ବଢ଼ୁଥିଲା । ଏହାର କେନ୍ଦ୍ରରେ ବାୟୁଚାପ ୧୦୦୦ ହେକ୍ଟୋପାସ୍କାଲ୍ ଥିଲା । ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୬୫ କିଲୋମିଟର ଏବଂ ଝଟକାର ବେଗ ୯୦ କିଲୋମିଟର ଥିଲା । ପାଣିପାଗ ବିଭାଗର ଅନୁମାନ ଅନୁସାରେ, 'କୋଗୁମା' ଆଗାମୀ ଦିନଗୁଡ଼ିକରେ ଶକ୍ତିଶାଳୀ ହୋଇପାରେ ।

ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଅକ୍ଟୋବର ମାସରେ ଏକାସାଙ୍ଗରେ ତିନୋଟି ଟ୍ରପିକାଲ୍ ସିଷ୍ଟମ୍ ସକ୍ରିୟ ହେବା ସାଧାରଣ କଥା ନୁହେଁ । ଜାପାନ ୱେଦର ଆସୋସିଏସନ୍ ଅନୁସାରେ, ଅକ୍ଟୋବରରେ ଏହା ପୂର୍ବରୁ ଏପରି ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ହୋଇଥିଲା । ଏଥର ତିନୋଟିଯାକ ସିଷ୍ଟମ ଅଲଗା ଅଲଗା ସ୍ଥାନରେ ଅଛନ୍ତି ଏବଂ ଅଲଗା ଅଲଗା ଦିଗରେ ବଢ଼ୁଛନ୍ତି । ଏହି ବର୍ଷ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଟାଇଫୁନ୍ ସଂଖ୍ୟା ମଧ୍ୟ ସ୍ୱାଭାବିକଠାରୁ ଅଧିକ ରହିଛି । ୬ ଅକ୍ଟୋବର ସୁଦ୍ଧା ୨୦୨୬ରେ ୨୯ଟି ଟାଇଫୁନ୍ ରେକର୍ଡ କରାଯାଇସାରିଛି । ସାଧାରଣତଃ ଏହି ସମୟ ମଧ୍ୟରେ ଏହି ସଂଖ୍ୟା ପ୍ରାୟ ୨୦ ଆଖପାଖି ଥାଏ ।