ଭୁବନେଶ୍ବର ୨୮।୧: ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସମୟ ମାଗିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଦେଖା କରିବାକୁ ସମୟ ମାଗିଛନ୍ତି ଭକ୍ତ । ଚତୁର୍ଥ ଆସନରେ ପ୍ରାର୍ଥୀ ଦେବା ନେଇ ନବୀନଙ୍କ ସହ ଭକ୍ତ ଆଲୋଚନା କରିବେ । ଚତୁର୍ଥ ଆସନ ନେଇ ଯେହେତୁ ବିଜେଡି କିମ୍ବା କଂଗ୍ରେସର ସଂଖ୍ୟା ନାହିଁ, କଂଗ୍ରେସ ଏବଂ ବିଜେଡି ମିଳିତ ଭାବେ ପ୍ରାର୍ଥୀ ଦେବାକୁ ଭକ୍ତ ଦାସ ଆଲୋଚନା କରିବେ ବୋଲି ଚର୍ଚ୍ଚା ହେଉଛି ।

ରାଜ୍ୟସଭା ଚତୁର୍ଥ ସିଟ୍‌ରେ ଜଣେ ପଦ୍ମଶ୍ରୀ, ବୁଦ୍ଧିଜୀବୀଙ୍କୁ ପଠାଇଲେ ଓଡ଼ିଶାର ସମ୍ମାନ ରହିବ । ଏ ନେଇ ଯିଏ ଆଗ୍ରହୀ ଅଛି ତାଙ୍କ ସାଙ୍ଗରେ ଆଲୋଚନା କରିବେ ବୋଲି ଭକ୍ତ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟସଭା ପାଇଁ ଓଡ଼ିଶାରୁ ୪ଟି ସିଟ୍ ଖାଲି ହେବ । ୪ଟି ଆସନ ଭିତରୁ ବିଜେପି ୨ଟି ଏବଂ ବିଜେଡି ଗୋଟିଏ ଆସନ ଜିତିବା ଥୟ । କିନ୍ତୁ କିଏ ଏହି ଆସନରେ ପ୍ରାର୍ଥି ହେବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସେହିଭଳି ଚତୁର୍ଥ ସିଟ୍ ପାଇଁ ବିଜେପି କି ବିଜେଡି ପାଖରେ ସଂଖ୍ୟା ନଥିବାରୁ ଏହି ଆସନ ପାଇଁ ଛକାପଞ୍ଛା ଦେଖିବାକୁ ମିଳିବ । ଚତୁର୍ଥ ସିଟ୍‌କୁ ନେଇ ଏବେ ବି କଳ୍ପନାଜଳ୍ପନା ଜାରି ରହିଛି । ତେଣୁ ବିଜେଡି ଓ କଂଗ୍ରେସର ଆଭିମୁଖ୍ୟ କ'ଣ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି ।