ନୂଆଦିଲ୍ଲୀ: ପୁଣିଥରେ ଚର୍ଚ୍ଚାରେ ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋ ଓ ଏହାର ମିଲିଟାରି ଶାସକ ଇବ୍ରାହିମ ଟ୍ରାଓରେ। ଲୋକଙ୍କ ସହ ରହି ସରକାର ଚଳାଇବାକୁ ନେଇ ଚର୍ଚ୍ଚାରେ ଥିବା ଟ୍ରାଓରେ ଏବେ ଏମିତି ଏକ ନିଷ୍ପତ୍ତି ନେଇଛନ୍ତି ଯାହା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି।

ଦେଶରେ ପୁଣିଥରେ ମୃତ୍ୟୁ ଦଣ୍ଡ ନିୟମକୁ ଲାଗୁ କରିଛନ୍ତି ଟ୍ରାଓରେ। କେବଳ ସେତିକି ନୁହେଁ, ପୂରା ଆପ୍ରିକୀୟ ଦେଶରେ ସୁନ୍ଦରୀ ପ୍ରତିଯୋଗିତାକୁ ମଧ୍ୟ ସ୍ଥଗିତ କରି ଦିଆଯାଇଛି। ୨୦ ଅକ୍ଟୋବର ୨୦୨୬ରେ ବୁର୍କିନା ଫାସୋର ଅନ୍ତରୀଣ ସଂସଦ ଏହାକୁ ସର୍ବସମ୍ମତି କ୍ରମେ ଅନୁମୋଦନ ଦେଇଛି। ନୂଆ ନିୟମ ଅନୁସାରେ ଯେଉଁମାନେ ଦେଶଦ୍ରୋହ, ଆତଙ୍କବାଦ ଓ ଗୁପ୍ତଚର ଭଳି ଗୁରୁତର ଅପରାଧ କରିବେ ସେମାନଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବ।

ସମସ୍ତ ୭୧ ଜଣ ସାଂସଦ ଏହି ଆଇନକୁ ସମର୍ଥନ କରିଥିଲେ। ଫଳରେ ଦେଶରେ ପୁଣିଥରେ କ୍ୟାପିଟାଲ ପନିସମେଣ୍ଟର ଧାରା ଆରମ୍ଭ ହୋଇଯାଇଛି। ବୁର୍କିନା ଫାସୋରେ ୨୦୧୮ ମସିହାରେ ମୃତ୍ୟୁ ଦଣ୍ଡ ହଟାଇ ଦିଆଯାଇଥିଲା। ଶେଷ ଥର ପାଇଁ ୧୯୮୮ ମସିହାରେ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ ହୋଇଥିଲା।

ନୂଆ ଆଇନକୁ ଦେଶର ନ୍ୟାୟ ମନ୍ତ୍ରୀ ଏଡାସୋ ରୋଡ୍ରିଗ୍ ବାୟାଲା ସମର୍ଥନ କରିଛନ୍ତି। ନିଷ୍ପତ୍ତି ସପକ୍ଷରେ ଯୁକ୍ତି ବାଢ଼ି ସେ କହିଛନ୍ତି ଯେ ବର୍ତ୍ତମାନ ଏହି କଡ଼ା ନିୟମର ଆବଶ୍ୟକତା ରହିଛି। କାରଣ ଆତଙ୍କବାଦର ମୁକାବିଲା କରିବା ଏବଂ ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ କଠୋର ଦଣ୍ଡବିଧାନ ରହିବା ନିହାତି ଆବଶ୍ୟକ।

ଦେଶରେ ସୁନ୍ଦରୀ ପ୍ରତିଯୋଗିତା ବନ୍ଦ

ମୃତ୍ୟୁ ଦଣ୍ଡ ପୁନଃ ଲାଗୁ କରିବା ପୂର୍ବରୁ ବୁର୍କିନା ଫାସୋ ସରକାର ସାରା ଦେଶରେ ସୁନ୍ଦରୀ ପ୍ରତିଯୋଗିତା ଉପରେ ରୋକ୍ ଲଗାଇଥିଲେ। ୮ ଜୁନ ୨୦୨୬ରେ ଯୋଗାଯୋଗ, ସଂସ୍କୃତି, କଳା ଓ ପର୍ଯ୍ୟଟନ ମନ୍ତ୍ରଣାୟ ଏନେଇ ଘୋଷଣା କରିଥିଲା। ପରବର୍ତ୍ତି ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ବନ୍ଦ ରହିବ ବୋଲି ମନ୍ତ୍ରଣାଳୟ କହିଥିଲା।

ସେଠାକାର ସରକାର କହିଥିଲେ ଯେ ଏଭଳି କାର୍ଯ୍ୟକ୍ରମଗୁଡ଼ିକ ଯେପରି ଜାତୀୟ ପରମ୍ପରା, ସାଂସ୍କୃତିକ ପରିଚୟ ଏବଂ ସାମାଜିକ ମୂଲ୍ୟବୋଧକୁ ସମ୍ମାନ ଜଣାଉଛନ୍ତି କି ନା ତାହା ସୁନିଶ୍ଚିତ କରାଯିବ। ଏହାପରେ ନୂଆ ନିୟମାବଳୀ ପ୍ରଣୟନ କରାଯିବ। ସେପର୍ଯ୍ୟନ୍ତ ଏହି କଟକଣାଗୁଡ଼ିକ ବଳବତ୍ତର ରହିବ ବୋଲି ମନ୍ତ୍ରଣାଳୟ କହିଥିଲା।

ଟ୍ରାଓରେଙ୍କ ଫୋକସ ଶିକ୍ଷା

ଟ୍ରାଓରେଙ୍କ ସରକାରରେ ସବୁବେଳେ ଶିକ୍ଷାକୁ ଗୁରୁତ୍ୱ ଦେଇ ଆସିଛନ୍ତି। ଯୁବତୀମାନଙ୍କୁ ଗଣିତ, ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନରେ ଶିକ୍ଷା ଗ୍ରହଣ କରିବାକୁ ଉତ୍ସାହିତ କରିବା ପାଇଁ ଅଗଷ୍ଟ ମାସରେ ଏକ ବିଜ୍ଞାନ ପ୍ରତିଯୋଗିତା ଘୋଷଣା କରାଯାଇଥିଲା। 'ହାକିଲି ମୁସୋ' (HAKILI Mousso) ନାମକ ଏକ ଜାତୀୟ ବିଜ୍ଞାନ ପ୍ରତିଯୋଗିତାରେ ଦେଶର ୮୪ ଛାତ୍ରୀ ସାମିଲ ହୋଇଥିଲେ। ଉତ୍ତୀର୍ଣ୍ଣ ଛାତ୍ରୀଙ୍କୁ ପୁରସ୍କାର ଦେବା ସହିତ ଶିକ୍ଷାଗତ ସପୋର୍ଟ ଦିଆଯାଇଥିଲା। ଖୋଦ୍ ରାଷ୍ଟ୍ରପତି ଟ୍ରାଓରେ ବିଜେତା ମାନଙ୍କୁ ଭେଟିବା ସହ ବିଜ୍ଞାନ ଓ ଟେକ୍ନୋଲୋଜୀ କ୍ଷେତ୍ରରେ ନିଜ କ୍ୟରିୟର ଗଢ଼ିବାକୁ ସେମାନଙ୍କୁ ଉତ୍ସାହିତ କରିଥିଲେ।

ମାନବାଧିକାର ଉଲ୍ଲଂଘନ ଚର୍ଚ୍ଚା ଆରମ୍ଭ

ଟ୍ରାଓରେ ସରକାର ପୁଣିଥରେ ମୃତ୍ୟୁ ଦଣ୍ଡ ଲାଗୁ କରିବା ନେଇ ମାନବାଧିକାର କର୍ମୀମାନେ ସମାଲୋଚନା କରିଛନ୍ତି। ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୁଦ୍ଧରେ ଏହି ଦଣ୍ଡର ବ୍ୟବହାର କରାଯାଇପାରେ ବୋଲି ସେମାନେ ଚିନ୍ତା ବ୍ୟକ୍ତ କରିଛନ୍ତି। ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ୍ ମଧ୍ୟ ମୃତ୍ୟୁଦଣ୍ଡକୁ ବିରୋଧ କରିବା ସହ ଏହାକୁ ଜୀବନଧାରଣର ଅଧିକାରରକୁ ଉଲ୍ଲଂଘନ କରିବ ବୋଲି କହିଛି।

ସେପଟେ ଆଉ କିଛି ଟ୍ରାଓରେଙ୍କ ସମର୍ଥକ କିନ୍ତୁ ଏହାକୁ ସମର୍ଥନ କରିଛନ୍ତି। ଏବଂ ସୁ୍ନ୍ଦରୀ ପ୍ରତିଯୋଗିତା ଉପରେ ରୋକ ଲଗାଇବାକୁ ସ୍ୱାଗତ କରିଛନ୍ତି। ସୂଚନା ଥାଉକି ୨୦୨୨ ସେପ୍ଟେମ୍ବର ଠାରୁ ବୁର୍କିନା ଫାସୋରେ ଟ୍ରାୱରେଙ୍କ ସାମରିକ ଶାସନ ଚାଲିଛି। ତାଙ୍କ ନେତୃତ୍ୱରେ ଏହି ପଶ୍ଚିମ ଆପ୍ରିକୀୟ ଦେଶରେ ହୋଇଥିବା ପରିବର୍ତ୍ତନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଟ୍ରାଓରେ ସରକାରଙ୍କର ସାମ୍ପ୍ରତିକ ନିଷ୍ପତ୍ତି ଗୁଡ଼ିକ ସାଂସ୍କୃତିକ, ସୁରକ୍ଷା ଓ ବ୍ୟକ୍ତିଗତ ସ୍ୱାଧୀନତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି।