ବ୍ରହ୍ମପୁର: ପାଖରେ ରଖିଥିଲେ ଜୀବନ୍ତ ବୋମା ଏବଂ ଖଣ୍ଡା। ଆଉ ଜରି ବ୍ୟାଗରେ ଚିତା ବାଘ ଚମଡ଼ା ରଖି କରୁଥିଲେ ଚାଲାଣ। ହେଲେ ପୋଲିସକୁ ଦେଖି ଖସିବାକୁ ଉଦ୍ୟମ କଲାବେଳେ ଧରାପଡ଼ିଗଲେ। ରବିବାର ବ୍ରହ୍ମପୁର ପୋଲିସ ଦୁଇଟି ଚିତା ବାଘ ଚମଡ଼ା ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ଜରଡ଼ା ପୋଲିସ ରବିବାର ଅପରାହ୍ନରେ ବିଶ୍ୱସ୍ତ ସୂଚନା ପାଇ ଉପର ବୁରାତାଲ ଅଞ୍ଚଳରେ ଚଢ଼ାଉ କରିବାକୁ ଯାଇଥିଲା। ଏହି ସମୟରେ ପାହାଡ଼ ଉପର ଅଞ୍ଚଳରେ ଜଙ୍ଗଲ ଆଡ଼କୁ ଦୁଇଜଣ ବ୍ୟକ୍ତି ଦୌଡ଼ି ଯାଉଥିବା ବେଳେ ପୋଲିସ ସେମାନଙ୍କ ପିଛା କରିଥିଲା। ପିଛା କରିବା ସମୟରେ, ଅଭିଯୁକ୍ତମାନେ ପୋଲିସ ଟିମକୁ ଠେଲି ଦେବା ସହ ଖଣ୍ଡାରେ ଆକ୍ରମଣ କରିବା ନେଇ କର୍ମଚାରୀଙ୍କୁ ଧମକ ଦେଇଥିଲେ। ତେବେ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା।

Also Read: ହତ୍ୟାର ୨୬ ଦିନ ପରେ ଜଙ୍ଗଲରୁ ଯୁବତୀଙ୍କ କଙ୍କାଳ ଉଦ୍ଧାର, ମାରି ପୋତି ଦେଇଥିଲା ପ୍ରେମିକ

ଦୁଇ ଅଭିଯୁକ୍ତ ହେଲେ କେଶବା ଜମାଦାର ଓ ବୀରା ଜମାଦାର। ସେମାନଙ୍କ ଠାରୁ ଗୋଟିଏ ଚିତାବାଘର ଦୁଇଟି ପୂର୍ଣ୍ଣ ଆକାରର ଚମଡ଼ା ଥିବା ଦୁଇଟି ଜରି ବ୍ୟାଗ ଉଦ୍ଧାର କରିଛି। ଏହା ସହ ଅଭିଯୁକ୍ତ କେଶବା ଜମାଦାରଠାରୁ ଦୁଇଟି ଜୀବନ୍ତ ହାତ ତିଆରି ବୋମା ଏବଂ ଅଭିଯୁକ୍ତ ବୀରା ଜମାଦାରଙ୍କଠାରୁ ଗୋଟିଏ ଖଣ୍ଡା ଜବତ କରିଛି ପୋଲିସ । ଅଭିଯୁକ୍ତ ଚିତାବାଘ ଚମଡ଼ା, ଖଣ୍ଡା କିମ୍ବା ବିସ୍ଫୋରକ ସାମଗ୍ରୀ ରଖିବା ପାଇଁ କୌଣସି ଲାଇସେନ୍ସ କିମ୍ବା ପରମିଟ୍ ଦେଖାଇପାରିନଥିଲେ ଦୁଇ ଅଭିଯୁକ୍ତ। ସୂଚନା ଦେଲେ ବ୍ରହ୍ମପୁର ଏସ.ପି।