ଅଯୋଧ୍ୟା: ଦୀପାବଳୀ ଅବସରରେ ଅଯୋଧ୍ୟା ଦୀପୋତ୍ସବ ଏବେ କେବଳ ଆସ୍ଥା ଅଥବା ପରମ୍ପରାର ଉତ୍ସବ ହୋଇ ନାହିଁ, ବରଂ ସ୍ଥାନୀୟ କାରିଗରଙ୍କ ଲାଗି ରୋଜଗାରର ଅବସର ବଢାଇବାର ମାଧ୍ୟମ ପାଲଟି ଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ପ୍ରୋତ୍ସାହନରେ ଦୀପୋତ୍ସବକୁ ଭବ୍ୟ ସ୍ୱରୂପ ଦିଆଯିବା ପରେ ମାଟି ଦୀପର ଚାହିଦା ବଢିଛି, ଯାହାର ଲାଭ ଏବେ କୁମ୍ଭାର ପରିବାରଙ୍କୁ ମିଳୁଛି। ଏକଦା ରୋଜଗାର ସନ୍ଧାନରେ ଦୂରଦୂରାନ୍ତ ସହରକୁ ଯାଉଥିବା ଏହି ସମୂଦାୟ ଏବେ ନିଜ ଗାଁରେ ଜୀବିକା ଅର୍ଜନ କରୁଛନ୍ତି।

ଜୟସିଂହ ପୁର ଗାଁର ବ୍ରଜ କିଶୋର ପ୍ରଜାପତି କହିଛନ୍ତି ଯେ ଦୀପୋତ୍ସବ ଆରମ୍ଭ ହେବା ପରେ ତାଙ୍କ ପୁରା ପରିବାର ଲଗାତାର ଦୀପ ତିଆରି କାମ କରୁଛନ୍ତି। ଚଳିତବର୍ଷ ତାଙ୍କୁ ଲକ୍ଷେ ଦୀପ ଅର୍ଡର ମିଳିଥିଲା, ଯାହାକୁ ସେ ସମୟ ପୂର୍ବରୁ ତିଆରି କରି ପହଞ୍ଚାଇ ଦେଇଛନ୍ତି। ସେହିପରି ଗାଁର ରାଜେଶ ପ୍ରଜାପତିଙ୍କୁ ୨ଲକ୍ଷ ଦୀପର ଅର୍ଡର ମିଳିଛି। ବଡ ଅର୍ଡର ମିଳୁଥିବାରୁ ପରିବାରକୁ ସ୍ଥାନୀୟ ସ୍ତରରେ ରୋଜଗାର ମିଳୁଛି ଓ ଯୁବକମାନେ ପାରମ୍ପରିକ ମୂର୍ତ୍ତିକା କଳା ମାଧ୍ୟମରେ ନିଜର ଭବିଷ୍ୟତ ଗଢୁଛନ୍ତି।

ଚଳିତବର୍ଷ ଅଯୋଧ୍ୟାରେ ଦୀପୋତ୍ସବର ୧୦ମ ବାର୍ଷିକ ପାଳନ ହେବ। ନଭେମ୍ବର ୭ ତାରିଖ ଦିନ ରାମ କୀ ପୌଡୀରେ ୩୦ ଲକ୍ଷ ଦୀପ ପ୍ରଜ୍ୱଳିତ କରିବାର ଲକ୍ଷ୍ୟ ରଖା ଯାଇଛି। ଏଥି ଲାଗି ଏବେ ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିବା ବେଳେ କ୍ୱିନ ହୋ ମେମୋରିୟାଲ ପାର୍କର ଦୀପ ଘାଟ ଗୋଦାମକୁ ୧୭ଲକ୍ଷ ୬୪ ହଜାର ଦୀପ ପହଞ୍ଚିଛି। ଏହି ଆୟୋଜନକୁ ସଫଳ କରିବା ପାଇଁ ଅବଧ ବିଶ୍ୱବିଦ୍ୟାଳୟର ଛାତ୍ର, ଅଧିକାରୀ ଓ କର୍ମଚାରୀଙ୍କ ସମେତ ସ୍ୱେଚ୍ଛା ସେବୀ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଦୀପୋତ୍ସବ କାଳରେ ବ୍ୟବସ୍ଥାରେ ସହଯୋଗ କରିବା ପାଇଁ ୩୫ ହଜାର ସ୍ୱୟଂସେବୀଙ୍କୁ ନିୟୋଜିତ କରାଯାଇଛି।

ଅଯୋଧ୍ୟାର ଦୀପୋତ୍ସବ ସ୍ଥାନୀୟ କୁମ୍ଭାର ପରିବାରଙ୍କ ଲାଗି ସେମାନଙ୍କ ପାରମ୍ପରିକ କଳାକୁ ରୋଜଗାର ସହ ଯୋଡିଛି। ମାଟି ଦୀପର ବଢୁଥିବା ଚାହିଦା, ବଡ଼ ଅର୍ଡର ଓ ଆଧୁନିକ ଉପକରଣର ଉପଯୋଗ ଯୋଗୁ କାରିଗରଙ୍କୁ ସେମାନଙ୍କ କାମ ସମ୍ପ୍ରସାରଣ କରିବାକୁ ସହାୟତା ମିଳୁଛି। ଯୋଗୀ ସରକାର ଦୀପୋତ୍ସବକୁ ବ୍ୟାପକ ରୂପ ଦେବା ଯୋଗୁ ଏଥିରେ ସ୍ଥାନୀୟ କାରିଗରଙ୍କ ଭାଗିଦାରୀ ବଢିଛି ଓ ପାରମ୍ପରିକ ମୂର୍ତ୍ତିକା କଳାକୁ ନୂଆ ପରିଚୟ ମିଳିଛି।