ମୁମ୍ବାଇ-; ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ। ଆଜି ରାତିରେ ଦେଶର ଲୋକପ୍ରିୟ ଟେଲିଭିଜନ୍ ଶୋ’ ‘କୌନ୍ ବନେଗା କରୋଡ଼ପତି’ ରେ ନଜର ଆସିବେ ଓଡ଼ିଶାର ଲୋକପ୍ରିୟ ଲୋକସଙ୍ଗୀତ ଗାୟିକା ବର୍ଣ୍ଣାଳୀ ହୋତା। ବଲିଉଡ୍ର ମହାନାୟକ ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କ ଚିରନ୍ତନ ପ୍ରେମକାହାଣୀକୁ ନେଇ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ସଙ୍ଗୀତମୟ ପରିବେଷଣରେ ସାମିଲ ହେବେ ବର୍ଣ୍ଣାଳୀ ।

ଏହି ବିଶେଷ ସଙ୍ଗୀତ କାର୍ଯ୍ୟକ୍ରମରେ ବର୍ଣ୍ଣାଳୀଙ୍କ ସହ ନଜର ଆସିବେ ଲୋକପ୍ରିୟ କଣ୍ଠଶିଳ୍ପୀ ଅଭିଜିତ ସାୱନ୍ତ, ପ୍ରାଜକ୍ତା ଶୁକ୍ରେ, ମିସ୍କାମେ ବୋସୁ ଏବଂ ଆଶିଷ କୁଲକର୍ଣ୍ଣି। ଅମିତାଭ ଓ ଜୟାଙ୍କ ଦୀର୍ଘଦିନର ପ୍ରେମ ଓ ସମ୍ପର୍କକୁ ସଙ୍ଗୀତ ମାଧ୍ୟମରେ ଜୀବନ୍ତ କରିବା ହେଉଛି ଏହି ପରିବେଷଣର ମୁଖ୍ୟ ଉଦ୍ଦେଶ୍ୟ।

ବର୍ଣ୍ଣାଳୀ ଏକ ବଙ୍ଗଳା ଲୋକଗୀତ ପରିବେଷଣ କରିବେ ବର୍ଣ୍ଣାଳୀ। ଜୟା ବଚ୍ଚନଙ୍କ ପ୍ରାରମ୍ଭିକ ଦିନଗୁଡ଼ିକର ଭାବନାକୁ ଆଧାର କରି ଗୀତଟି ପ୍ରସ୍ତୁତ କରାଯାଇଛି। ନିଜ ସ୍ୱରରେ ସେହି ଭାବନା ଓ ଅନୁଭବକୁ ପ୍ରକାଶ କରି ବର୍ଣ୍ଣାଳୀ ଏହି ପରିବେଷଣକୁ ଆହୁରି ହୃଦୟସ୍ପର୍ଶୀ କରିଛନ୍ତି ।

ସୂତ୍ର ଅନୁସାରେ, ବର୍ଣ୍ଣାଳୀଙ୍କ ଗୀତ ଶୁଣି ଅମିତାଭ ବଚ୍ଚନ ବେଶ୍ ପ୍ରଭାବିତ ହୋଇଥିଲେ। ସୁଟିଂ ପରେ ସେ ଓଡ଼ିଶାର ଏହି କଣ୍ଠଶିଳ୍ପୀଙ୍କୁ ସ୍ନେହ ଓ ଆଶୀର୍ବାଦ ଦେଇଥିବା କୁହାଯାଉଛି। ଭାରତୀୟ ସିନେଜଗତର ଏତେ ବଡ଼ ବ୍ୟକ୍ତିତ୍ୱଙ୍କ ସମ୍ମୁଖରେ ଗୀତ ଗାଇବାର ସୁଯୋଗ ବର୍ଣ୍ଣାଳୀଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ହୋଇଛି।

ଏହି ଅବସରରେ KBC ମଞ୍ଚରେ ଅମିତାଭ ବଚ୍ଚନଙ୍କ ସମ୍ମୁଖରେ ନିଜ ପ୍ରତିଭା ପ୍ରଦର୍ଶନ କରିଥିବା ପ୍ରଥମ ଓ ଏକମାତ୍ର ଓଡ଼ିଆ କଳାକାର ଭାବେ ବର୍ଣ୍ଣାଳୀଙ୍କୁ ଉଲ୍ଲେଖ କରାଯାଉଛି।

ବର୍ଣ୍ଣାଳୀ ହୋତା ଓଡ଼ିଶାର ଲୋକସଙ୍ଗୀତ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିଛନ୍ତି। ଲୋକସଙ୍ଗୀତରେ ତାଙ୍କ ପ୍ରତିଭା ତାଙ୍କୁ ଜାତୀୟସ୍ତରର ମଞ୍ଚରେ ପହଞ୍ଚାଇଛି। ଏହା ପୂର୍ବରୁ ସେ ‘ଭାରତ କା ଅମୃତ କଳଶ’, ‘ସା ରେ ଗା ମା ପା’ ଏବଂ ଷ୍ଟାର ପ୍ଲସ୍ର ‘ଦିଲ୍ ହୈ ହିନ୍ଦୁସ୍ତାନୀ’ ଭଳି ଲୋକପ୍ରିୟ ସଙ୍ଗୀତଭିତ୍ତିକ ରିଆଲିଟି ଶୋ’ରେ ଫାଇନାଲିଷ୍ଟ ହୋଇ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି।

also read - କାହିଁକି ସୂର୍ଯ୍ୟାସ୍ତ ପରେ ହେଲା ଅନ୍ତିମ ସଂସ୍କାର ? ପୁଅ ମହ୍ଲାର କହିଦେଲେ ସବୁ କଥା...

ଓଡ଼ିଶାର ମାଟିରୁ ନିଜ ସଙ୍ଗୀତ ଯାତ୍ରା ଆରମ୍ଭ କରି ଦେଶର ଅନ୍ୟତମ ପ୍ରମୁଖ ଟେଲିଭିଜନ୍ ମଞ୍ଚରେ ପହଞ୍ଚିବା ବର୍ଣ୍ଣାଳୀଙ୍କ ସଫଳତାର ଏକ ଉଲ୍ଲେଖନୀୟ ଅଧ୍ୟାୟ। ଆଜିର ଏହି ବିଶେଷ ପରିବେଷଣ ତାଙ୍କ ପାଇଁ ଯେତିକି ଗର୍ବର ବିଷୟ, ଓଡ଼ିଶାର ସଙ୍ଗୀତପ୍ରେମୀଙ୍କ ପାଇଁ ମଧ୍ୟ ସେତିକି ଆନନ୍ଦର ମୁହୂର୍ତ୍ତ।

ନିଜ ମାଟିର ଲୋକସଙ୍ଗୀତକୁ ଜାତୀୟ ମଞ୍ଚରେ ପହଞ୍ଚାଇ ଓଡ଼ିଶାର ନାଁକୁ ଆହୁରି ଉଜ୍ଜ୍ୱଳ କରୁଛନ୍ତି ବର୍ଣ୍ଣାଳୀ ହୋତା। ଆଜି ରାତିରେ KBC ମଞ୍ଚରେ ତାଙ୍କ ସଙ୍ଗୀତ କେବଳ ଏକ ପରିବେଷଣ ନୁହେଁ, ବରଂ ଓଡ଼ିଶାର କଳା ଓ ସଂସ୍କୃତି ପାଇଁ ଏକ ଗର୍ବର ମୁହୂର୍ତ୍ତ ହେବ ବୋଲି ଆଶା କରାଯାଉଛି।