କଟକ: Barabati T 20

ବାରବାଟୀ ମୁକାବିଲାକୁ ବାକି ରହିଲା ଆଉ ଅଳ୍ପ ସମୟ। କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଚରମରେ। ଆଜି ଦୁଇ ଦଳର ଖେଳାଳି ବାରବାଟୀରେ ନେଟ୍ ପ୍ରାକ୍ସିସ  କରିଛନ୍ତି। ଏହା ସହିତ ସାମ୍ବାଦିକ ସମ୍ମିଳନୀରେ ଦୁଇ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ଆଡନ ମାରକ୍ରମ ବାରବାଟୀରେ ଜିତିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି। ତେବେ ବାରବାଟୀରେ ଖେଳାଯାଇଥିବା ଟି ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲରେ ଟିମ ଇଣ୍ଡିଆର ପ୍ରଦର୍ଶନ ଆଦୌ ଭଲ ନାହିଁ। ପୂର୍ବରୁ ଖେଳା ଯାଇଥିବା ୩ଟି ଆନ୍ତର୍ଜାତୀୟ ଟି-୨୦ ମ୍ୟାଚରୁ ଭାରତ ଜିତିଛି କେବଳ ଗୋଟିଏ।

୨୦୧୫ ଅକ୍ଟୋବର ୫ରେ ପ୍ରଥମେ ଦକ୍ଷିଣ ଆଫ୍ରିକା ସହିତ ବାରବାଟୀରେ ଟି ଟ୍ୱେଣ୍ଟି ଖେଳିଥିଲା ଟିମ ଇଣ୍ଡିଆ। ଉକ୍ତ ମ୍ୟାଚକୁ ୬ ୱକେଟରେ ଜିତିଥିଲା ସାଉଥ ଆଫ୍ରିକା। ପୁଣି ୨୦୨୨ ଜୁନ ୧୨ ତାରିଖରେ ଖେଳାଯାଇଥିବା ଟି ଟ୍ୱେଣ୍ଟିକୁ ୪ ଓ୍ଵିକେଟରେ ଜିତିଥିଲା ଦକ୍ଷିଣ ଆଫ୍ରିକା। ଅର୍ଥାତ ପୂର୍ବରୁ ଭାରତକୁ ବାରବାଟୀ ପିଚରେ ୨ ଦୁଇ ଥର ହରାଇ ସାରିଛି ଭ୍ରମଣକାରୀ ଦଳ ସାଉଥ ଆଫ୍ରିକା। ତେବେ ଉଭୟ ଦଳ ମଧ୍ୟରେ ଏ ପର୍ଯ୍ୟନ୍ତ ୩୧ଟି ଟି-୨୦ ମ୍ୟାଚ୍ ଖେଳା ଯାଇଛି। ଏଥିରୁ ଭାରତ ୧୮ଟି ଜିତିଥିବା ବେଳେ ୧୨ଟି ହାରିଛି। ଗୋଟିଏ ମ୍ୟାଚ୍ ଟାଇ ରହିଛି। ଦକ୍ଷିଣ ଆଫ୍ରିକା ଖାତାକୁ ୧୨ଟି ବିଜୟ ଯାଇଛି।

ତେବେ ୨୦୧୭ ଡିସେମ୍ବର ୨୦ରେ ଶ୍ରୀଲଙ୍କା ବିରୁଦ୍ଧରେ ଖେଳାଯାଇଥିବା ଟି ଟ୍ୱେଣ୍ଟି ମ୍ୟାଚରେ ଟିମ ଇଣ୍ଡିଆର ଜିତାପଟ ହୋଇଥିଲା। ବାରବାଟୀ ଗ୍ରାଉଣ୍ଡରେ ୯୩ ରନରେ ଶ୍ରୀଲଙ୍କାକୁ ହରାଇଛି ଇଣ୍ଡିଆ ଟିମ।  ବର୍ତ୍ତମାନର ଟିମ ଇଣ୍ଡିଆ ପୂର୍ବ ଭଳି ନାହିଁ। ଟି ଟ୍ୱେଣ୍ଟି ଫର୍ମାଟରେ ଟିମ ଇଣ୍ଡିଆ ଖୁବ ଶକ୍ତିଶାଳୀ।କିନ୍ତୁ ଚଳିତ ସିଜିନରେ ଦକ୍ଷିଣ ଆଫ୍ରିକାର ପରଫର୍ମାନ୍ସ ମଧ୍ୟ ଚମତ୍କାର ରହିଛି। ଟେଷ୍ଟ ସିରିଜ ଜିତି ସାରିଥିବା ସାଉଥ ଆଫ୍ରିକା, ଟି ଟ୍ୱେଣ୍ଟି ସିରିଜ ହାତେଇବା ଲାଗି ମଧ୍ୟ ସବୁ ପ୍ରକାରର ଦମ ଲଗାଇବ। ଟିମ ସନ୍ତୁଲିତ ରହିଛିବ୍ୟାଟର ମାନଙ୍କ ଉପରେ ଟିମ ଅଧିକ ନିର୍ଭରଶୀଳ ରହିବ।କିନ୍ତୁ ବୋଲର ମାନେ ବି ଚମତ୍କାର ପରଫର୍ମ କରିବେ ବୋଲି କହିଛନ୍ତି ଦକ୍ଷିଣ ଆଫ୍ରିକା କ୍ୟାପଟେନ ବାଭୁମା।

ଡେଭିଡ ମିଲର, ଡିକକ, ମାକ୍ରମ, ରିଜା ହେଣ୍ଡ୍ରିସଙ୍କ ଭଳି ସାଉଥ ଆଫ୍ରିକାନ ପ୍ଲେୟାର ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ଅନ୍ୟ ପଟେ ଟିମ ଇଣ୍ଡିଆର କ୍ୟାପଟେନ ସୂର୍ଯ୍ୟ କୁମାର, ଅଭିଷେକ ଶର୍ମା, ତିଳକ ବର୍ମା,ଶୁଭମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ସଞ୍ଜୁ ସାମସନ ବ୍ୟାଟିଂ ଅର୍ଡର ସମ୍ଭାଳିବେ। ବୋଲିଂରେ ଯଶପ୍ରୀତ ବୁମରାହା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ ଏବଂ କୁଲଦୀପ ଯାଦବଙ୍କ କମାଲ ଦେଖିବେ କ୍ରିକେଟ ପ୍ରେମୀ ମାନେ। ମୋଟ ଉପରେ କହିଲେ ମ୍ୟାଚ ଖୁବ ରୋମାଞ୍ଚକର ହେବାର ସମ୍ଭାବନା ରହିଛି। ଟସ ଏକ ନିର୍ଣ୍ଣାୟକ ଭୂମିକା ନେଇ ପାରେ ବୋଲି ମଧ୍ୟ ଆଶା କରାଯାଉଛି।