ନୂଆଦିଲ୍ଲୀ, ୨୦।୧୧ : ଜଳୁଛି ବାଂଲାଦେଶ । ସେଖ୍ ହସିନାଙ୍କ ସମର୍ଥକମାନେ ଦେଶରେ ପୋଡ଼ାଜଳା ଆରମ୍ଭ କରିଦେଇଛନ୍ତି । ଏସବୁ ପାଇଁ ବାଂଲାଦେଶରେ ଶାନ୍ତି ପ୍ରତିଷ୍ଠା କରିବାରେ ବିଫଳ ହୋଇଥିବା ପିଏମ୍ ତାରିକ ରହମାନ୍ ଭାରତକୁ ଦୋଷ ଦେଉଛନ୍ତି । ସିଧାସଳଖ ନହେଲେ ବି ସୀମା ଆରପଟେ ବସିଥିବା ନିଜ ମୁଖିଆଙ୍କୁ ଖୁସି କରିବା ପାଇଁ ବାଂଲାଦେଶରେ ଏପରି ଚାଲିଥିବା ସେ ଅଭିଯୋଗ କରିଛନ୍ତି ।

ରହମାନ ଭାରତ ସୀମାକୁ ଲାଗିଥିବା ଉତ୍ତର ପଶ୍ଚିମ ଜିଲ୍ଲା ଲାଲମୋନିରହାଟରେ ଜନତାଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ୨୦୨୪ ହିଂସା ପରେ ବାଂଲାଦେଶରୁ ଫେରାର ହୋଇଯାଇଥିବା ଆଓ୍ୱାମୀ ଲିଗ୍ ନେତା ଦେଶ ବିରୋଧରେ ଷଡଯନ୍ତ୍ର ରଚୁଛନ୍ତି । ଛାତ୍ରଙ୍କ ନେତୃତ୍ୱରେ ହୋଇଥିବା ଆନ୍ଦୋଳନକୁ ଦୁର୍ବଳ କରିବା ପାଇଁ ଚେଷ୍ଟା ଚାଲିଛି ।

ସେ ଆହୁରି କହିଛନ୍ତି ଯେ, ଆଓ୍ୱାମୀ ଲିଗ୍ ନେତା ବାଂଲାଦେଶ ତଥା ବାଂଲାଦେଶୀଙ୍କୁ ଧୋକା ଦେଇଛନ୍ତି । ସୀମା ଆରପଟ ଦେଶରେ ଥିବା ମୁଖିଆଙ୍କୁ ଖୁସି କରିବା ପାଇଁ ପ୍ରୟାସ କରାଯାଉଛି । ତେଣୁ ସେମାନେ ବାଂଲାଦେଶକୁ ଅଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଦେଶବାସୀଙ୍କ ବିରୋଧରେ ଷଡଯନ୍ତ୍ର ରଚୁଛନ୍ତି । ଏହା କରିବାକୁ ଦିଆଯିବନି ବୋଲି ସେ ଲୋକଙ୍କୁ ଉସକାଉଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ସେଖ୍ ହସିନା ୨୦୨୪ ଅଗଷ୍ଟରେ ଭାରତ ଚାଲି ଆସିଥିଲେ । ସେ ଆସନ୍ତା ଡିସେମ୍ବରରେ ବାଂଲାଦେଶ ଫେରିବେ ବୋଲି ଘୋଷଣା କରିଥିଲେ । ଏହାପୂର୍ବରୁ ଦେଶରେ ହିଂସା ବୃଦ୍ଧି ପାଇଛି । ଅନେକ ଅଞ୍ଚଳରେ ଭଙ୍ଗାରୁଜା କରାଯାଇଛି । ବୋମା ମାଡ ହୋଇଛି । ଏସବୁକୁ ରୋକିବାକୁ ୩ ହଜାରରୁ ଅଧିକ ଅର୍ଧସାମିରକ ଫୋର୍ସ ମୁତୟନ ହୋଇଛନ୍ତି ।

Also Read :- ବିଧାନସଭାରେ ପୁଣି ହଟ୍ଟଗୋଳ, ୧୧ଟା ୩୦ ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି

ଏପରିକି ଦେଶରେ ଅନେକ ଟ୍ରେନ୍ ସେବା ବନ୍ଦ ହୋଇଛି । ଗୋପାଳଗଞ୍ଜରେ ପୋଲିସ ଷ୍ଟେସନକୁ ଜାଳି ଦିଆଯାଇଛି । ବିଏନପି ସାଂସଦଙ୍କ ଘରେ ଆକ୍ରମଣ କରାଯାଇଛି । ଖାଲି ଏତିକି ନୁହେଁ ବ୍ୟାଙ୍କ ସମେତ ଅନେକ କାର୍ଯ୍ୟାଳୟରେ ମଧ୍ୟ ଭଙ୍ଗାରୁଜା କରାଯାଇଛି । ଏସବୁ ମଧ୍ୟରେ ସେଖ୍ ହସିନା ବାଂଲାଦେଶ ସରକାରଙ୍କୁ ନୂଆ ଆଇଡି କାର୍ଡ ଏବଂ ପାସପୋର୍ଟ ପ୍ରଦାନ ପାଇଁ ଦାବି କରିଛନ୍ତି । ଏନେଇ ତାଙ୍କ ଓକିଲ ନୂଆଦିଲ୍ଲୀ ସ୍ଥିତ ବାଂଲା ଦୂତାବାସରେ ଆବେଦନ କରିଛନ୍ତି ।