ନୂଆଦିଲ୍ଲୀ: ଟାଇମ୍ ପକ୍ଷରୁ ପ୍ରମଥ ଥର ପାଇଁ ‘ଟାଇମ୍ ୧୦୦ ନେକ୍ସଟ୍ ଇଣ୍ଡିଆ’ ଜାରି କରାଯାଇଛି । ଏଥିରେ ଦେଶର ଭବିଷ୍ୟତକୁ ଆକାର ଦେଉଥିବା ୧୦୦ ଉଦୀୟମାନ ବ୍ୟକ୍ତିଙ୍କୁ ସ୍ଥାନିତ କରାଯାଇଛି । ପ୍ରଥମ ସଂସ୍କରଣରେ ଭାରତର ଖେଳ ଜଗତରୁ ଛଅ ଜଣ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି । ହରମନପ୍ରୀତ କୌର, ଲଭଲିନା ବୋରଗୋହେନ, ସାନିଆ ମିର୍ଜା, ସବିତା ପୁନିଆ, ବୈଭବ ସୂର୍ଯ୍ୟବଂଶୀ ଏବଂ ବିଦ୍ୟା ରାମରାଜଙ୍କୁ ସେମାନଙ୍କର ସଫଳତା ଏବଂ ସେମାନଙ୍କ ନିଜ ନିଜ କ୍ଷେତ୍ରରେ ବଢ଼ୁଥିବା ପ୍ରଭାବକୁ ସ୍ୱୀକୃତି ଦିଆଯାଇଛି ।

ଟାଇମ୍ ପକ୍ଷରୁ ଜାରି ସୂଚୀରେ ସବୁଠୁ ଅଧିକ ଆଶ୍ଚର୍ଯ୍ୟ କରିଥିବା ନାଁ ହେଉଛି ବୈଭବ ସୂର୍ଯ୍ୟବଂଶୀ । କ୍ରିକେଟ୍ ମୈଦାନରେ ନିଜର ଆକ୍ରାମକ ବ୍ୟାଟିଂରେ ପାଇ ପରିଚୟ ସୃଷ୍ଟି କରିଥିବା ବୈଭବଙ୍କୁ ଦୁନିଆର ପ୍ରତିଷ୍ଠିତ ମାଗାଜିନ୍ ଟାଇମର ପ୍ରଥମ ଟାଇମ୍ ୧୦୦ ନେକ୍ସଟ୍ ଇଣ୍ଡିଆ’ ସୂଚୀରେ ସ୍ଥାନ ମିଳିଛି । ମାତ୍ର ୧୫ ବର୍ଷ ବୟସରେ ହାସଲ କରିଥିବା ଏହି ଉପଲବ୍ଧି ଦେଶରେ ୧୦୦ ଉଦୀୟମାନ ବ୍ୟକ୍ତିଙ୍କ ମଧ୍ୟରେ ଛିଡ଼ା କରିଛି ।

ବୈଭବଙ୍କ ଏହି ଉପଲବ୍ଧି ଗୋଟିଏ ଦିନର ପରିଶ୍ରମର ପରିଣାମ ନୁହେଁ । ଏହା ପଛରେ ମୈଦାନରେ ଲଗାତାର ଭଲ ପ୍ରଦର୍ଶନ ଏବଂ ରେକର୍ଡ ସୃଷ୍ଟିକାରୀ ଇନିଂସ ରହିଛି । ଆଇପିଏଲ୍ ୨୦୨୫ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳି ସେ ଗୁଜରାଟ ଟାଇଟନ୍ସ ବିରୋଧରେ ମାତ୍ର ୩୫ ବଲରେ ଶତକ ପୂରଣ କରି ଇତିହାସ ରଚିଥିଲେ । ୧୪ ବର୍ଷ ବୟସରେ ସେ ୩୮ ବଲରେ ଅପରାଜିତ ୧୦୧ ରନ୍ ଇନିଂସ ଖେଲିଥିଲେ । ଆଇପିଏଲ୍ ଇତିହାସ ଶତକ ମାରିବାରେ ସର୍ବକନିଷ୍ଠ ଖେଳାଳି ହୋଇଥିଲେ ।

ବୈଭବ ତା’ପରେ ୨୦୨୬ ମସିହାରେ ୧୯ ବର୍ଷରୁ କମ୍ ବିଶ୍ୱକପରେ ନିଜ ବ୍ୟାଟିଂରେ ଇତିହାସ ସୃଷ୍ଟି କରିଥିଲେ । ଇଂଲଣ୍ଡ ବିପକ୍ଷ ଫାଇନାଲରେ ସେ ମାତ୍ର ୮୦ ବଲରେ ୧୭୫ ରନର ଏକ ଧମାକାଦାର ଇନିଂସ ଖେଳିଥିଲେ । ସେ ପୂରା ଟୁର୍ଣ୍ଣାମେଣ୍ଟରେ ୪୩୯ ରନ୍ କରି ନିଜ ବ୍ୟାଟିଂ ଦକ୍ଷତା ପ୍ରଦର୍ଶନ କରିଥିଲେ । ଏତେ କମ୍ ବୟସରେ ବିଶ୍ୱକପ୍ ଭଳି ଏକ ପ୍ରମୁଖ ପର୍ଯ୍ୟାୟରେ ଏପରି ପ୍ରଦର୍ଶନ ତାଙ୍କ ପ୍ରତିଭା ଏବଂ ଆତ୍ମବିଶ୍ୱାସର ପ୍ରମାଣ ଥିଲା ।