ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ସୁରକ୍ଷା ନେଇ ଭାରତ ଯେଉଁ ଚିନ୍ତା କରିଥିଲା ରବିବାର ବାଂଲାଦେଶ ସରକାର ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ହିନ୍ଦୁଙ୍କ ସହ ହେଉଥିବା ଅତ୍ୟାଚାର ସମ୍ପୂର୍ଣ୍ଣ ଅଲଗା ଘଟଣା। ଏହା ବାଂଲାଦେଶ ସରକାରଙ୍କର ବ୍ୟବସ୍ଥାଗତ ନିର୍ଯାତନା ନୁହେଁ ବୋଲି ୟୁନୁସ ସରକାର କହିଛନ୍ତି। ଢାକା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏକ ପ୍ରେସ୍ ବିବୃତ୍ତିରେ କୁହାଯାଇଛି ଯେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ମୁଖପାତ୍ରଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ବାସ୍ତବ ତଥ୍ୟକୁ ପ୍ରତିଫଳିତ କରୁନାହିଁ। ଏହା ଭୁଲ ଏବଂ ଅତିରଞ୍ଜିତ ବର୍ଣ୍ଣନା।

ଏଥିରେ କୁହାଯାଇଛି “ବାଂଲାଦେଶର ସାମ୍ପ୍ରଦାୟିକ ସଦ୍ଭାବର ଦୀର୍ଘକାଳୀନ ପରମ୍ପରାକୁ ଭୁଲ ଭାବରେ ଉପସ୍ଥାପନ କରୁଥିବା ଯେକୌଣସି ଭୁଲ, ଅତିରଞ୍ଜିତ କିମ୍ବା ପ୍ରେରିତ କାହାଣୀକୁ ବାଂଲାଦେଶ ସରକାର ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରନ୍ତି।”

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ନେଇ ଭାରତ ପ୍ରତିକ୍ରିୟା ପ୍ରକାଶ କରିଥିଲା। ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଥିଲା। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଥିଲା ଯେ ବାଂଲାଦେଶରେ ହିନ୍ଦୁ, ଖ୍ରୀଷ୍ଟିଆନ ଏବଂ ବୌଦ୍ଧ ସମେତ ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୁଦ୍ଧରେ ହିଂସା ଜାରି ରହିଥିବାରୁ ଆମେ ଗମ୍ଭୀର ଭାବରେ ଚିନ୍ତିତ। ସଂଖ୍ୟାଲଘୁଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଭାରତ ଢାକାକୁ ଅନୁରୋଧ ମଧ୍ୟ କରିଛି।ଡିସେମ୍ବର ୧୮ ତାରିଖରେ ବାଂଲାଦେଶର ମୈମନସିଂରେରେ୨୭ ବର୍ଷୀୟ ହିନ୍ଦୁ ଶ୍ରମିକ ଦୀପୁ ଚନ୍ଦ୍ର ଦାସଙ୍କ ହତ୍ୟା ଘଟଣାକୁ ନିନ୍ଦା କରିଥିଲା ଭାରତ। ସେହିଭଳି ରାଜଭାରି ଜିଲ୍ଲାରେ ମଧ୍ୟ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରିବା ନେଇ ଭାରତ ଚିନ୍ତା ବ୍ୟକ୍ତ କରିଥିଲା। ଏବଂ ବାଂଲାଦେଶ ସରକାର ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଭାରତ ଦାବି କରିଥିଲା।

ଏହାର ଜବାବ ଦେଇ ବାଂଲାଦେଶ ଭାରତକୁ ଓଲଟି ଦୋଷ ଦେଇଛି। ହିନ୍ଦୁମାନଙ୍କ ଉପରେ ବ୍ୟାପକ ନିର୍ଯାତନାର ପ୍ରମାଣ ଭାବରେ ଅପରାଧର ପୃଥକ ଘଟଣାଗୁଡ଼ିକୁ ପ୍ରଦର୍ଶିତ କରିବା ପାଇଁ ଏକ ବ୍ୟବସ୍ଥିତ ପ୍ରୟାସ କରାଯାଉଛି। ବାଂଲାଦେଶ ଓ ଏହାର ଜନତା ଏବଂ ଭାରତରେ ଥିବା ଏହାର କୂଟନୈତିକ ମିଶନ ବିରୁଦ୍ଧରେ ଶତ୍ରୁତା ସୃଷ୍ଟି କରିବା ପାଇଁ ଏପରି କାହାଣୀଗୁଡ଼ିକୁ ବାଛିବାଛି ଭୁଲ ଭାବରେ ଉପସ୍ଥାପନ କରାଯାଉଛି ବୋଲି ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ କହିଛି।

ସେହିପରି ରାଜଭାରୀରେ ହିନ୍ଦୁ ଯୁବକଙ୍କୁ ହତ୍ୟା କରିବା ଘଟଣାକୁ ନେଇ ବାଂଲାଦେଶୀ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ସମ୍ପୃକ୍ତ ବ୍ୟକ୍ତି ଜଣେ ଅପରାଧୀ ଥିଲେ। ଯିଏ ଜଣେ ମୁସଲମାନ ସହଯୋଗୀଙ୍କ ସହିତ ଚାନ୍ଦା ଆଦାୟ କରୁଥିଲା। ତେଣୁ ତାଙ୍କୁ ପରେ ଗିରଫ ବି କରାଯାଇଥିଲା। ଭାରତ ଆଣିଥିବା ଅଭିଯୋଗ ତଥ୍ୟଭିତ୍ତିକ ନୁହେଁ ବିଭ୍ରାନ୍ତିକର ବୋଲି ବାଂଲାଦେଶ କହିଛି।